ଠକ ସର୍ଦ୍ଦାର ନିରବ ମୋଦି ଗିରଫ । ୧୩ ମାସ ହେଲା ଖୋଜୁଥିଲେ ଭାରତ ସରକାର, ଦେଶକୁ ଆଣିବାକୁ ଆରମ୍ଭ ହେଲା ପ୍ରକିୟା ।

186

କନକ ବ୍ୟୁରୋ : ପୋଲିସ ପଞ୍ଝାରେ ଧରାପଡିଲା ୧୩,୫୦୦ କୋଟି ଟଙ୍କା ଠକେଇର ମାଷ୍ଟରମାଇଣ୍ଡ ନିରବ ମୋଦି । ପିଏନବି ମହାଠକେଇର ସର୍ଦ୍ଦାର ନିରବଙ୍କୁ ଦୀର୍ଘ ୧୩ ମାସ ପରେ ଲଣ୍ଡନରୁ ଗିରଫ କରିଛି ପୋଲିସ । ନିରବଙ୍କ ଗିରଫଦାରୀ ଭାରତ ସରକାରଙ୍କ ସବୁଠୁ ବଡ କୂଟନୈତିକ ସଫଳତା ବୋଲି କୁହାଯାଉଥିବା ବେଳେ ଖୁବଶୀଘ୍ର ତାଙ୍କୁ ଭାରତ ଆଣିବାକୁ ଆରମ୍ଭ ହୋଇଛି ପ୍ରସ୍ତୁତି । ତେବେ ଗିରଫ ପରେ ନିରବଙ୍କୁ ପ୍ରଥମେ ୱେଷ୍ଟମିନିଷ୍ଟର କୋର୍ଟରେ ହାଜର କରାଯିବ ।

ନିରବଙ୍କୁ ପ୍ରର୍ତ୍ୟପଣ ଚୁକ୍ତି ଆଧାରରେ ଦେଶକୁ ଆଣିବାକୁ ବ୍ରିଟେନ ସରକାରଙ୍କୁ ପୂର୍ବରୁ ଅନୁରୋଧ କରି ଆସିଛି ଭାରତ । ତେବେ ଗିରଫ ହେବା ପରେ ନିରବଙ୍କୁ ଦେଶକୁ ଆଣିବାକୁ ଜୋରଦାର ପ୍ରୟାସ ଆରମ୍ଭ କରିଛି ଭାରତ । ଏଥିପାଇଁ ସିବିଆଇ ଓ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଏକ ଟିମ ଲଣ୍ଡନ ଅଭିମୁଖେ ଖୁବଶୀଘ୍ର ଯାତ୍ରା କରିବେ ବୋଲି ସୂଚନା ମିଳିଛି । ଏପରିକି ଏହି ଟିମ୍ ଲଗାତାର ବ୍ରିଟେନର ଅଧିକାରୀ ଓ ସେଠାରେ ଥିବା ଭାରତୀୟ କମିସନରଙ୍କ ଯୋଗାଯୋଗରେ ରହି ଆସିଛନ୍ତି ।

ନିର୍ବାଚନ ପୂର୍ବରୁ ନିରବଙ୍କ ଗିରଫ ମୋଦି ସରକାରଙ୍କ ପାଇଁ ମାଷ୍ଟରଷ୍ଟ୍ରୋକ ସାବ୍ୟସ୍ତ ହେବାକୁ ଯାଉଛି । କାରଣ ନିରବ ଦେଶରୁ ଫେରାର ହେବା ପରେ ବିରୋଧୀଙ୍କ ଟାର୍ଗେଟରେ ରହି ଆସିଛି ମୋଦି ସରକାର । ଏପରିକି ସରକାରଙ୍କ ଦାୟିତ୍ୱହୀନତା ଯୋଗୁଁ ମହାଠକ ନିରବ ମୋଦି ଦେଶରୁ ଫେରାର ହୋଇଯିବାକୁ ସକ୍ଷମ ହୋଇଥିଲା ବୋଲି ବିରୋଧୀ ଅଭିଯୋଗ ଆଣିଥିଲେ । ତେବେ ନିରବ ଗିରଫ ହେବା ପରେ ଯଦି ତାଙ୍କୁ ଭାରତ ଅଣାଯାଇପାରିବ ତେବେ ଏହା ମୋଦି ସରକାରଙ୍କ ସବୁଠୁ ବଡ କୂଟନୈତିକ ବିଜୟ ବୋଲି ବାର୍ତ୍ତା ଯିବା ସହ ନିର୍ବାଚନରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିବ ।