ଗଣମାଧ୍ୟମ ଆଗରେ ମୁହଁରେ ତୁଣ୍ଡି ବାନ୍ଧିବାକୁ ନିରଂଜନଙ୍କ ପରାମର୍ଶ ! ସେପଟେ ସ୍ୱର ବଦଳାଇଲେ ସୁର ରାଉତରାୟ ।

35

କନକ ବ୍ୟୁରୋ : କଂଗ୍ରେସ କର୍ମକର୍ତାଙ୍କ ପାଇଁ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ନୂଆ ଫର୍ମୁଲା । ଏଣିକି ଗଣାମାଧ୍ୟମ ଆଗରେ ମୁହଁରେ ତୁଣ୍ଡି ବାନ୍ଧ । ଦଳୀୟ ନୀତି ନିୟମ ଅନୁସାରେ ମନ୍ତବ୍ୟ ରଖ । କଂଗ୍ରେସ କର୍ମକର୍ତାଙ୍କୁ କିଛି ଏହିପରି ଢଙ୍ଗରେ ତାଗିଦ କରିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । ଖାଲି ସେତିକି ନୁହେଁ, ସୋଶିଆଲ ମିଡିଆରେ ସକାରାତ୍ମକ ଭାବେ ଅଂଶ ଗ୍ରହଣ କରିବାକୁ ଦଳୀୟ କର୍ମୀଙ୍କୁ ପରାମର୍ଶ ଦେଇଛନ୍ତି ନିରଞ୍ଜନ । ପ୍ରଥମ ପର୍ଯ୍ୟାୟରେ ୧୦ଟି ଜିଲ୍ଲାର ନବନିଯୁକ୍ତ ଜିଲ୍ଲା ସଭାପତି ଓ ଜିଲ୍ଲା କାର୍ଯ୍ୟକାରୀ ସଭାପତିଙ୍କୁ ନେଇ ବସିଥିବା ବୈଠକରେ ସେ ଏହା କହିଛନ୍ତି ।

ତେବେ କଂଗ୍ରେସରେ ଅନ୍ତକନ୍ଦଳ ଓ ପରସ୍ପର ବିରୋଧରେ ବୟାନବାଜି ଲାଗି ରହିଥାଏ । ଏସବୁ ଦୃଷ୍ଟିରୁ ନବ ନିଯୁକ୍ତ ଜିଲ୍ଲା ସଭାପତିଙ୍କ ପ୍ରଥମ ବୈଠକରେ ନିରଞ୍ଜନ ଗଣମାଧ୍ୟମରେ ପରସ୍ପର ବିରୋଧରେ ବୟାନବାଜି ଉପରେ ରୋକ ଲଗାଇବାକୁ ଚେଷ୍ଟା କରିଛନ୍ତି ।

ଏଥିସହ ଆକ୍ରମଣାତ୍ମକ ପ୍ରଚାର ଓ ସୋଶିଆଲ ମିଡିଆରେ ଅଧିକ ଆକ୍ଟିଭ ହେବା ସହ କେନ୍ଦ୍ର ତଥା ରାଜ୍ୟ ସରକାରଙ୍କ ବିରୋଧରେ ପ୍ରସଙ୍ଗ ତିଆରି କରିବାକୁ ପରାମର୍ଶ ଦେଇଛନ୍ତି । ୩୩ଟି ଜିଲ୍ଲାରେ ଜିଲ୍ଲା ସଭାପତି ଓ ଜିଲ୍ଲା କାର୍ଯ୍ୟକାରୀ ସଭାପତି ନିଯୁକ୍ତ ହେବା ପରେ ଆଜି ପ୍ରଥମ ପର୍ଯ୍ୟାୟରେ ୧୦ଟି ନବନିଯୁକ୍ତ ଜିଲ୍ଲା ସଭାପତି ଓ ଜିଲ୍ଲା କାର୍ଯ୍ୟକାରୀ ସଭାପତିଙ୍କ ବୈଠକ ବସିଥିଲା । ସେପଟେ ୱାନ୍ ମ୍ୟାନ୍ ୱାନ୍ ପୋଷ୍ଟ ବିବାଦରେ ଗତକାଲି ନିରଞ୍ଜନ ପୂର୍ଣ୍ଣଛେଦ ପକାଇବା ପରେ ମୁହଁ ଖୋଲିଛନ୍ତି ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟ । ସେ କହିଛନ୍ତି ନିରଞ୍ଜନ ପଟ୍ଟନାୟକ ଠିକ୍ ସମୟରେ ଠିକ ନିଷ୍ପତ୍ତି ନେଇଥାନ୍ତି ।