ଚିଟଫଣ୍ଡ କ୍ଷତିଗ୍ରସ୍ତଙ୍କୁ ଚିହ୍ନଟ କରିବାକୁ ତଦନ୍ତ କମିଶନଙ୍କ ବାବଦକୁ ଖର୍ଚ୍ଚ ହୋଇଛି ୬ କୋଟି ଟଙ୍କା । ବିଧାନସଭାରେ ଉତ୍ତର ରଖିଲେ ଅର୍ଥମନ୍ତ୍ରୀ ।

200

କନକ ବ୍ୟୁରୋ : କେତେ ଜଣ ଚିଟଫଣ୍ଡ କ୍ଷତିଗ୍ରସ୍ତଙ୍କୁ ମିଳିଛି କ୍ଷତିପୂରଣ? ଏପରିକି କ୍ଷତିଗ୍ରସ୍ତଙ୍କୁ ଚିହ୍ନଟ କରିବାକୁ ଆଉ କେତେ ଦିନ ସମୟ ଲାଗିବ ଓ ୭ ବର୍ଷ ତଦନ୍ତ ମଧ୍ୟରେ କମିଶନଙ୍କ ବାବଦରେ ମୋଟ କେତେ ଟଙ୍କା ଖର୍ଚ୍ଚ ହୋଇଛି । ଏନେଇ ବିଧାନସଭାରେ ଉତ୍ତର ରଖିଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ।ବିଜେଡି ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ପ୍ରଶ୍ନର ଉତ୍ତରରେ ଏମିତି ତଥ୍ୟ ରଖିଛନ୍ତି ଅର୍ଥମନ୍ତ୍ରୀ ।

ଅର୍ଥମନ୍ତ୍ରୀଙ୍କ ଉତ୍ତର ଅନୁଯାୟୀ, ଜଷ୍ଟିସ ମଦନ ମୋହନ ଦାସ ତଦନ୍ତ କମିଶନ ଏହାମଧ୍ୟରେ ୩ ଲକ୍ଷ ୯୧ ହଜାର କ୍ଷୁଦ୍ର ଜମାକାରୀଙ୍କୁ ଚିହ୍ନଟ କରିଥିବା ବେଳେ ୭ଗୋଟି ଅନ୍ତରୀଣ ରିପୋର୍ଟ ପ୍ରଦାନ କରିଛନ୍ତି । କମିଶନଙ୍କ ସୁପାରିଶ ମୁତାବିକ ରାଜ୍ୟ ସରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି । ଏହାବାଦ୍ ୧୦ ହଜାରରୁ ଅଧିକ ଟଙ୍କା ଠକେଇର ଶିକାର ହୋଇଥିବା ଜମାକାରୀଙ୍କୁ ଚିହ୍ନଟ ବା କ୍ଷତିପୂରଣ ରାଶି ପ୍ରଦାନ ପାଇଁ କୌଣସି ବ୍ୟବସ୍ଥା ହୋଇନାହିଁ । ସେହିଭଳି ତଦନ୍ତ କମିଶନ, ଏହାର ଅଧିକାରୀ ଓ କର୍ମଚାରୀଙ୍କ ଦରମା ଓ ଭତ୍ତା, କାର୍ଯ୍ୟାଳୟର ଆନୁଷଙ୍ଗିକ ଖର୍ଚ୍ଚ, ଜମାକାରୀଙ୍କ ଠାରୁ ପ୍ରାପ୍ତ ସତ୍ୟପାଠର କମ୍ପ୍ୟୁଟରୀକରଣ ଆଦି ବାବଦକୁ ୨୦୨୦ ଜାନୁଆରୀ ଶେଷ ସୁଦ୍ଧା ମୋଟ ୬,୧୯,୭୨,୫୩୮ଟଙ୍କା ଖର୍ଚ୍ଚ ହୋଇଛି ।