‘ନ୍ୟାୟ’ ଯୋଜନାକୁ ସ୍ୱାଗତ କଲେ ପିସିସି ସଭାପତି । ନିରଂଜନ କହିଲେ, ଏହା ବିଶ୍ବର ସବୁଠାରୁ ବଡ଼ ଯୋଜନା, ବହୁଳ ଭାବେ ଉପକୃତ ହେବ ଓଡ଼ିଶା

143

କନକ ବ୍ୟୁରୋ: ଜାତୀୟ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ ଐତିହାସିକ ନିଷ୍ପତ୍ତି ନେଇ ‘ନ୍ୟାୟ’ ବା ନ୍ୟୂନତମ ଆୟ ଯୋଜନା ଘୋଷଣା କରିଛନ୍ତି। ଏହା ବିଶ୍ବର ସବୁଠାରୁ ବଡ଼ ଯୋଜନା। ଏହା ଜରିଆରେ ଦାରିଦ୍ର‌୍ୟ ସୀମାରେଖା ତଳେ ରହିଥିବା ଗରିବମାନେ ସବୁଦିନ ପାଇଁ ମୁକ୍ତି ପାଇବେ ଦର୍ଶାଇ ଓଡ଼ିଶା ଭଳି ରାଜ୍ୟମାନେ ଏହା ଦ୍ବାରା ବହୁଳ ଭାବେ ଉପକୃତ ହେବେ ବୋଲି ପ୍ରଦେଶ କଂଗ୍ରେସ କମିଟି(ପିସିସି) ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି।

ଗତକାଲି କଂଗ୍ରେସ ଭବନରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ପିସିସି ସଭାପତି କହିଲେ ଯେ ରାହୁଲ ଏହି ଯୋଜନା ସଂପର୍କରେ ଘୋଷଣା କରିଥିଲେ। ଗତକାଲି ଏଆଇସିସି ପକ୍ଷରୁ ଆନୁଷ୍ଠାନିକ ଭାବେ ଯୋଜନାର ଚୂଡ଼ାନ୍ତ ରୂପରେଖ ଦିଆଯାଇଛି। ମନରେଗା ତୁଳନାରେ ଏହି ଯୋଜନାର ଆକାର ବିଶାଳ। କଂଗ୍ରେସ ନେତୃତ୍ବାଧୀନ ଉପା ସରକାର ୨୦୦୪-୨୦୧୪ରେ ମନରେଗା ଯୋଜନା ମାଧ୍ୟମରେ ପ୍ରାୟ ୧୪ କୋଟି ଲୋକଙ୍କୁ ଦାରିଦ୍ର‌୍ୟ ସୀମାରେଖା ତଳୁ ଉଠାଇବାରେ ସକ୍ଷମ ହୋଇଥିଲା। ତେବେ ନ୍ୟାୟ ଯୋଜନା କାର୍ଯ୍ୟକାରୀ ହେଲେ ଦେଶର ଜନସଂଖ୍ୟାର ୨୦ ପ୍ରତିଶତ ସବୁଠାରୁ ଗରିବ ଲୋକ ଅର୍ଥାତ୍ ୫ କୋଟି ପରିବାରଙ୍କୁ ଗରିବ ସୀମାରେଖାରୁ ସବୁଦିନ ପାଇଁ ବାହାର କରିହେବ। ସିଧାସଳଖ ଭାବେ ୨୫ କୋଟି ଲୋକ ଉପକୃତ ହେବେ। ଓଡ଼ିଶା, ଝାଡ଼ଖଣ୍ଡ, ଛତିଶଗଡ଼ ଆଦି ରାଜ୍ୟମାନେ ବିଶେଷ ଭାବେ ଉପକୃତ ହେବେ। ଏହି ପ୍ରସଙ୍ଗରେ ଶ୍ରୀ ପଟ୍ଟନାୟକ କହିଲେ, ଏହି ଯୋଜନା ବାବଦରେ ପ୍ରତି ପରିବାରକୁ ବର୍ଷକୁ ୭୨ ହଜାର ଟଙ୍କା ମିଳିବ। ପ୍ରଧାନମନ୍ତ୍ରୀ କିଷାନ ଯୋଜନାରେ ଦିନକୁ ମାତ୍ର ଟ ୩.୧୨ ପଇସା ମିଳୁଥିବା ବେଳେ ନ୍ୟାୟ ଯୋଜନାରେ ଦିନକୁ ମିଳିବ ୨୦୦ ଟଙ୍କା।

ପିସିସି ଗଣମାଧ୍ୟମ ବିଭାଗ ମୁଖ୍ୟ ସତ୍ୟପ୍ରକାଶ ନାୟକ କହିଲେ, ଏହି ଯୋଜନାକୁ ପ୍ରଶଂସା କରିବା ପରିବର୍ତେ ବିଜେପି ନେତାମାନେ ବିରୋଧ କରିବା ଦର୍ଶାଉଛି ଯେ ସେମାନେ ଦେଶରୁ ଦାରିଦ୍ର‌୍ୟ ହଟୁ ବୋଲି ଚାହୁଁନାହାନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଦେଶ ଗସ୍ତରେ ୨୨୦୦ କୋଟି ଅପବ୍ୟୟ କରିଥିବା ବେଳେ ରାଫେଲ୍ ଦୁର୍ନୀତିରେ ୩୦ ହଜାର କୋଟି ଅମ୍ବାନୀଙ୍କୁ ପ୍ରଦାନ କରିଛନ୍ତି। ସେହିପରି କିଛି ଶିଳ୍ପପତିଙ୍କ ଉପରୁ ୩.୩୦ ଲକ୍ଷ କୋଟି ଟଙ୍କାର ଋଣଛାଡ଼ କରିଥିବା ଦର୍ଶାଇ ସେ ବିଜେପିର ଆଭିମୁଖ୍ୟକୁ ସମାଲୋଚନା କରିଥିଲେ।