ନିରଞ୍ଜନ ପଟ୍ଟନାୟକଙ୍କ ଟ୍ୱିଟର ପଲିଟିକ୍ସ ! ଫିଟନେସ ଚ୍ୟାଲେଞ୍ଜ ନୁହେଁ, ନବୀନ ଓ ଧର୍ମେନ୍ଦ୍ରଙ୍କୁ ଦେଲେ ‘ଆଇଜିଏଚ’ଚ୍ୟାଲେଞ୍ଜ

29

କନକ ବ୍ୟୁରୋ : ରାଉରକେଲା ଆଇଜିଏଚ୍ ହସ୍ପିଟାଲକୁ ନେଇ ଏବେ ଜୋର ଧରିଛି ରାଜ୍ୟ ରାଜନୀତି । ଖାସକରି ଯେତେବେଳେ ଆଇଜିଏଚ ହସ୍ପିଟାଲ ନିର୍ମାଣର ପ୍ରତିଶୃତି କଥା ମୋଦିଙ୍କୁ ମନେପକାଇ ଦେବାକୁ ରାଉରକେଲା ଯୁବକ ମୁକ୍ତିକାନ୍ତ ବିଶ୍ୱାଳ ୧୪୦୦ କିଲୋମିଟର ଚାଲି ଚାଲି ଆଗ୍ରାରେ ବେହୋସ ହୋଇଥିଲେ । ସେତେବେଳେ ଏହି ଘଟଣାରେ ମୁକ୍ତିକାନ୍ତଙ୍କ ସମର୍ଥନରେ ବାହାରିଥିଲା କଂଗ୍ରେସ । ଏପରିକି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଟ୍ୱିଟ୍ କରି କହିଥିଲେ ଏପ୍ରିଲ ପହିଲାରେ ରାଉରକେଲାରେ ମୋଦି ଆଇଜିଏଚ୍ ହସ୍ପିଟାଲ ନିର୍ମାଣ ପାଇଁ ଘୋଷଣା କରି ଓଡ଼ିଶାବାସୀଙ୍କୁ ଏପ୍ରିଲ ଫୁଲ ବନାଇଥିଲେ । ଆଉ ଏହାପରେ ଆରମ୍ଭ ହୋଇଥିଲା କାଦୁଅଫିଙ୍ଗା ରାଜନୀତି ।


ଆଉ ଏହାପରେ ମୁକ୍ତିକାନ୍ତଙ୍କ ମିଶନକୁ ସଫଳ କରିବାକୁ ଅଣ୍ଟା ଭିଡ଼ିଥିଲା କଂଗ୍ରେସ । ଆଇଜିଏଚ୍ ହସ୍ପିଟାଲ ପାଇଁ ପାଣ୍ଠି ସଂଗ୍ରହ କରିବାକୁ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଟ୍ୱିଟ କରିଥିଲେ । ଆଉ ଏସବୁ ଭିତରେ ରାହୁଲଙ୍କ ଏହି ଅଭିଯାନକୁ ଆଗେଇ ନେବାକୁ ନିରଞ୍ଜନ ଟ୍ୱିଟରରେ ଆରମ୍ଭ କରିଛନ୍ତି ନୂଆ ଅଭିଯାନ । ଆଇଜିଏଚ୍ ପାଇଁ ଆର୍ଥିକ ସହଯୋଗ କରିବାକୁ ସେ ରାଜ୍ୟର କିଛି ନେତାଙ୍କୁ ଟ୍ୱିଟର ମାଧ୍ୟମରେ ଆହ୍ୱାନ ଦେଇଛନ୍ତି ନିରଞ୍ଜନ । ମୋଦିଙ୍କ ଫିଟନେସ ଚ୍ୟାଲେଞ୍ଜ ଭଳି ଆଇଜିଏଚ ପାଇଁ ଆର୍ଥିକ ସହାୟତା କରିବାକୁ କଂଗ୍ରେସ ନେତା ଭକ୍ତ ଦାସ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଉରକେଲା ବିଧାୟକ ଦିଲୀପ ରାୟ, ବିଜେଡ଼ିରୁ ନିଲମ୍ବିତ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ଓ ଭୁବନେଶ୍ୱର ଜିଲ୍ଲା କଂଗ୍ରେସ କମିଟିର ସଭାପତି ମାନସ ଚୌଧୁରୀଙ୍କୁ ଆହ୍ୱାନ ଦେଇଛନ୍ତି । ଆଇଜିଏଚ ପାଇଁ ସେ ନିଜେ ମଧ୍ୟ ସହଯୋଗର ହାତ ବଢାଇଛନ୍ତି ବୋଲି ଟ୍ୱିଟରେ ଉଲ୍ଲେଖ କରିଛନ୍ତି ।

ଏହାବାଦ୍ ଆଇଜିଏଚ୍ ପ୍ରସଙ୍ଗରେ ରାହୁଲଙ୍କୁ ଧର୍ମେନ୍ଦ୍ର ଯେଉଁଭଳି ଭାବେ ଫେକ୍ ଫ୍ୟାକ୍ଟ୍ରି କହିଥିଲେ ତାହାର ଜବାବ ମାଗିଛନ୍ତି ନିରଞ୍ଜନ । ଏପରିକି ଆଇଜିଏଚ୍ ପାଇଁ ୨୦୦ କୋଟି ଟଙ୍କା ମଞ୍ଜୁର ହୋଇଥିବା ନେଇ ଧର୍ମେନ୍ଦ୍ର ଯେଉଁ କଥା କହିଥିଲେ ତାହାର କାଗଜପତ୍ର ଦେଖାନ୍ତୁ ବୋଲି ଟ୍ୱିଟରରେ କହିଛନ୍ତି ନିରଞ୍ଜନ । ଏସବୁ ବାଦ୍ ଆଇଜିଏଚ୍ ନିର୍ମାଣ ଭଳି ମହତ କାର୍ଯ୍ୟରେ କଂଗ୍ରେସ ପକ୍ଷରୁ ହେଉଥିବା ଫଣ୍ଡ ସଂଗ୍ରହ କ୍ୟାମ୍ପେନରେ ସହଯୋଗ କରନ୍ତୁ ବୋଲି ସେ ଆହ୍ୱାନ ଦେଇଛନ୍ତି ।