ପାଟକୁରା ପାଇଁ କମର କଷିଲା କଂଗ୍ରେସ: ବାହୁଡ଼ା ପରଠାରୁ ପ୍ରାଣମୂର୍ଚ୍ଛା ପ୍ରଚାର

179

କନକ ବ୍ୟୁରୋ: ପାଟକୁରା ପାଇଁ ପାଗ ଭିଡିଲା ହାତ । ହାତରେ ମାତ୍ର ୧୦ ଦିନ ଥିବାରୁ ଯୁଦ୍ଧ ପାଇଁ କମର କଷିଲା କଂଗ୍ରେସ । ପାଟକୁରା ଦଖଲ ପାଇଁ ଉଭୟ ବିଜେପି ଓ ବିଜେଡି ଘମାଘୋଟ ପ୍ରଚାର ଆରମ୍ଭ କରିଦେଇଥିବା ବେଳେ ଏବେ କଂଗ୍ରେସ ବି ନିଜ କ୍ୟାମ୍ପେନକୁ ଜୋର କରିବ ବୋଲି କହିଛି । ତେବେ ବାହୁଡା ପର ଠାରୁ ପାଟକୁରାରେ କଂଗ୍ରେସ ଜୋରଦାର ପ୍ରଚାର କରିବ ବୋଲି କହିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ।

ତେବେ ପ୍ରଚାର ପାଇଁ ସମସ୍ତ ବିଧାୟକ ଓ ସାଂସଦଙ୍କୁ ସେଠାରେ ୨ରୁ ୩ ଦିନ ରହିବାକୁ କୁହାଯାଇଛି । କେନ୍ଦ୍ରୀୟ ନେତାଙ୍କୁ ପ୍ରଚାରରେ ଆସିବାକୁ ମଧ୍ୟ ଅନୁରୋଧ କରାଯାଇଛି । ଆମେ ପଇସାରେ ପାଟକୁରା ଜିତି ପାରିବୁନି କି ଲଢି ପାରିବୁନି । ପାଟକୁରାବାସୀଙ୍କୁ ସୁସ୍ଥ ଗଣତନ୍ତ୍ର ପରମ୍ପରା ରକ୍ଷା କରିବାକୁ ଅନୁରୋଧ କରିବୁ ଆଉ କଂଗ୍ରେସକୁ ଭୋଟ ଦେବାକୁ କହିବୁ ବୋଲି ଗଣମାଧ୍ୟମରେ ପ୍ରତିକ୍ରିୟା ରଖିଛନ୍ତି ନିରଞ୍ଜନ ।

ପାଟକୁରା ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଲା ବେଳେ ବିଜେପି-ବିଜେଡିକୁ ସମାଲୋଚନାର ଶର ମାରିଛନ୍ତି ନିରଞ୍ଜନ । ଓଡିଶାରେ ବିଜେଡି-ବିଜେପି ଏକ କହି ଦୁଇ ଦଳକୁ କଟାକ୍ଷ କରିଛନ୍ତି । ବିଜେଡି-ବିଜେଡି ଏକ ହୋଇଥିବାରୁ କଂଗ୍ରେସ ହିଁ ଏକମାତ୍ର ବିରୋଧୀ ଯିଏ ଓଡିଶାବାସୀଙ୍କ ଆଶା, ଆକାଂକ୍ଷାକୁ ଉପସ୍ଥାପନ କରିପାରିବ । ସେଥିପାଇଁ କଂଗ୍ରେସକୁ ଭୋଟ ଦେବାକୁ ଆମେ ନିବେଦନ କରିବୁ ବୋଲି ପିସିସି ସଭାପତି କହିଛନ୍ତି ।