ସୁନ୍ଦରଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ନିରାମୟ ଯୋଜନାର ସଫଳ ରୂପାୟନ ! ସକାଳୁ ରାତି ଯାଏଁ ଜମୁଛି ରୋଗୀଙ୍କ ଭିଡ

25

କନକ ବ୍ୟୁରୋ : ରାଜ୍ୟବାସୀଙ୍କ ସ୍ୱାସ୍ଥ୍ୟକୁ ଗୁରୁତ୍ୱ ଦେଇ ସରକାର ଆରମ୍ଭ କରିଛନ୍ତି ନିରାମୟ ଯୋଜନା । ସରକାର କହୁଛନ୍ତି, ଗାଁରୁ ସହର ଯାଏଁ , ସବୁଠି ରୋଗୀଙ୍କୁ ମାଗଣାରେ ଔଷଧ ଦିଆଯାଉଛି । ହେଲେ ଅନେକ ସ୍ଥାନରେ ନିରାମୟର ବିଫଳତା ନେଇ ଅଭିଯୋଗ ଆସୁଛି । ତେବେ ଯୋଜନାର ୩ ବର୍ଷ ପରେ ନିରାମୟର ବାସ୍ତବ ସ୍ଥିତି କଣ ରହିଛି, ସୁନ୍ଦରଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସ୍ଥିତି ପରଖିଛି କନକ ନ୍ୟୁଜ୍ ।

ସୁନ୍ଦରଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ । ସକାଳୁ ରାତି ଯାଏଁ ଏଠି ଜମେ ରୋଗୀଙ୍କ ଭିଡ । ସୁନ୍ଦରଗଡ ଜିଲ୍ଲା ସମେତ ପଡୋଶୀ ଝାଡଖଣ୍ଡ ଓ ଛତିଶଗଡରୁ ରୋଗୀ ଧାଇଁ ଆସନ୍ତି ଚିକିତ୍ସା ପାଇଁ । ହସପିଟାଲରେ ଯୋଜନା ଆରମ୍ଭରୁ ରହିଛି ନିରାମୟ ଔଷଧ ବିତରଣ କେନ୍ଦ୍ର । ଯେଉଁଠି ରୋଗୀଙ୍କ ପାଇଁ ବିନା ମୂଲ୍ୟରେ ଔଷଧ ଉପଲବ୍ଧ ହେଉଛି ।

ନିରାମୟ କେନ୍ଦ୍ର ଆଗରେ ଲମ୍ବା ଲାଇନ୍ । ବାହାରେ ଲାଗିଛି ମହଜୁଦ୍ ଥିବା ଔଷଧର ଲମ୍ବା ତାଲିକା । ଥଣ୍ଡା- କାଶ, ଜ୍ୱରରୁ ଗୁରୁତର ରୋଗ, ପ୍ରାୟ ସବୁ ରୋଗର ଔଷଧ ରହିଛି ନିରାମୟ କେନ୍ଦ୍ରରେ । ଡାକ୍ତର ଲେଖିଥିବା ସମସ୍ତ ଔଷଧ ବିନାମୂଲ୍ୟରେ ପାଉଛନ୍ତି ରୋଗୀ । ସୁନ୍ଦରଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ବ୍ୟବସ୍ଥା ଏବଂ ରୋଗୀଙ୍କ ପ୍ରତିକ୍ରିୟା ସ୍ପଷ୍ଟ କରୁଛି ଯେ, ଏଠାରେ ନିରାମୟର ସଫଳ ରୂପାୟନ ହୋଇପାରିଛି ।