ବାଟବଣା ନିରାମୟ ଯୋଜନା ! ଧର୍ମଗଡ ଉପଖଣ୍ଡ ଡାକ୍ତରଖାନା ନିରାମୟ କେନ୍ଦ୍ରରେ ରୋଗୀଙ୍କୁ ଔଷଧ ମିଳୁନଥିବା ଅଭିଯୋଗ

36

କନକ ବ୍ୟୁରୋ : ରାଜ୍ୟ ସରକାର ନିରାମୟ ଯୋଜନା କାର୍ଯ୍ୟକାରୀ କରି ସବୁ ସରକାରୀ ଡାକ୍ତରଖାନାରେ ରୋଗୀକୁ ଜରୁରୀ ଔଷଧ ମାଗଣାରେ ଯୋଗାଇବା ପାଇଁ ବ୍ୟବସ୍ଥା କରିଛନ୍ତି । ଧର୍ମଗଡ ଉପଖଣ୍ଡ ଡାକ୍ତରଖାନାରେ ଏହି ଯୋଜନା ବାଟବଣା ହୋଇଥିବା ବେଳେ ରୋଗୀଙ୍କୁ ମିଳୁନି ଆବଶ୍ୟକ ଔଷଧ ।

ଧର୍ମଗଡ ଉପଖଣ୍ଡ ଡାକ୍ତରଖାନା ଉପରେ ନିର୍ଭର କରନ୍ତି ଧର୍ମଗଡ ଓ ଗୋଳାମୁଣ୍ଡା ବ୍ଲକ ସମେତ ପଡୋଶୀ ନୂଆପଡା, ନବରଙ୍ଗପୁର ଜିଲ୍ଲାର ଲୋକ । ଏହାସହ ବାହାର ରାଜ୍ୟର ରୋଗୀ ମଧ୍ୟ ଏହି ଡାକ୍ତରଖାନାକୁ ଚିକିତ୍ସା ପାଇଁ ଆସିଥାନ୍ତି । ଲକ୍ଷଲକ୍ଷ ଲୋକଙ୍କ ଭରସାର ଡାକ୍ତରଖାନାରେ ସରକାରଙ୍କ ନିରାମୟ ଯୋଜନା ବାଟବଣା ହୋଇଥିବା ଅଭିଯୋଗ ହୋଇଛି । ଡାକ୍ତର ଲେଖୁଥିବା ଔଷଧ ନିରାମୟ କେନ୍ଦ୍ରରେ ମିଳୁନଥିବାରୁ ରୋଗୀ ବାଧ୍ୟ ବାହାରୁ ଅଧିକ ଟଙ୍କା ଦେଇ କିଣୁଥିବା କହିଛନ୍ତି ।

ଧର୍ମଗଡ ଉପଖଣ୍ଡ ଡାକ୍ତରଖାନାରେ ନିରାମୟ ଯୋଜନା କାର୍ଯ୍ୟକାରୀ ବାବଦରେ ଜାଣିବା ପାଇଁ ଧର୍ମଗଡର ଜଣେ ସ୍ୱେଚ୍ଛାସେବୀ ଆରଟିଆଇରେ ଆବେଦନ କରିଥିଲେ । ଆରଟିଆଇରୁ ମିଳିଥିବା ତଥ୍ୟ ଓ ଡାକ୍ତରଖାନାରେ ଥିବା ସୂଚନା ବୋର୍ଡର ତଥ୍ୟରେ ତାଳମେଳ ରହୁନଥିବାରୁ ନିରାମୟ ଯୋଜନା ବାଟବଣା ହେଉଥିବା ସ୍ପଷ୍ଟ ହୋଇଛି । ଡାକ୍ତରଖାନାର ସୁଚନା ଫଳକରେ ୧୫୫ପ୍ରକାର ଔଷଧ ଉପଲବ୍ଧ ନେଇ ଉଲ୍ଲେଖ ଥିବା ବେଳେ ଆରଟିଆଇ କହୁଛି ମାତ୍ର ୮୫ ପ୍ରକାର ଔଷଧ ଉପଲବ୍ଧ ରହିଛି । ଏଥିରେ ପୁଣି ଜରୁରୀକାଳିନ ପରିସ୍ଥିତିରେ ଆବଶ୍ୟକ ପଡୁଥିବା ଏସିଡ ଟାବଲେଟ, ଆଂଟିବାୟୋଟିକ ଟାବଲେଟ, ଇଞ୍ଜେକସନ କି ହୃଦରୋଗୀଙ୍କ ପାଇଁ କୌଣସି ଔଷଧ ମଧ୍ୟ ନଥିବା ଜଣାପଡିଛି । ନିରାମୟ ଯୋଜନାରେ ଆବଶ୍ୟକ ଔଷଧ ନଥିବା ଅଭିଯୋଗକୁ ସ୍ୱୀକାର କରିଛନ୍ତି ଖୋଦ ଉପଖଣ୍ଡ ଚିକିତ୍ସାଧିକାରୀ ।