ଭୁବନେଶ୍ୱରରେ ଅନୁଭୂତି ବଖାଣିଲେ ଜାଭଲିନ୍ ତାରକା ନୀରଜ ଚୋପ୍ରା ! କହିଲେ ଓଡିଶାରୁ ମିଳିଥିବା ସମର୍ଥନ ଅଧିକ ଉତ୍ସାହିତ କରିଛି ।

44

କନକ ବ୍ୟୁରୋ : ଭାରତରେ ଜାଭଲିନ୍ ଥ୍ରୋ ଭଳି ଖେଳର ଲୋକପ୍ରିୟତା ନାହିଁ । ନୀରଜ ଚୋପ୍ରାଙ୍କ ସଫଳତା କିନ୍ତୁ ଏହାକୁ ଏକ ନୂଆ ଦିଶା ଦେଇଛି । ରାଜଧାନୀ ଭୁବନେଶ୍ୱରରେ ଆୟୋଜିତ ହୋଇଥିବା ଏକାମ୍ର ସ୍ପୋର୍ଟସ ଲିଟେରାରୀ ଫେଷ୍ଟିଭାଲରେ ଯୋଗ ଦେଇ ନିଜର ଆଗାମୀ ଲକ୍ଷ୍ୟ ବାବଦରେ କହିଛନ୍ତି ଜାଭଲିନ୍ ଷ୍ଟାର ନୀରଜ ଚୋପ୍ରା । ଗତବର୍ଷ ଭୁବନେଶ୍ୱରରେ ଆୟୋଜିତ ହୋଇଥିବା ଏସୀୟ ଦୌଡକୁଦ ସମୟରେ ମିଳିଥିବା ସମର୍ଥନ ତାଙ୍କୁ ଅଧିକ ଉତ୍ସାହିତ କରିଥିବା କହିଛନ୍ତି ନୀରଜ । ଦକ୍ଷିଣ ଆଫ୍ରିକା ଏବଂ ୟୁରୋପ ଗସ୍ତରେ ତାଲିମ ନେଇ ନିଜକୁ ପ୍ରସ୍ତୁତ କରି ଆସନ୍ତା ବର୍ଷ ସୁଦ୍ଧା ୯୦ ମିଟର୍ ଜାଭିଲିନ୍ ଫିଙ୍ଗିବା ଲକ୍ଷ୍ୟ ରଖିଥିବା ସେ କହିଛନ୍ତି ।

ଏହି ଲକ୍ଷ୍ୟରେ ପହଞ୍ଚିବା ପରେ ଆସନ୍ତା ୨୦୨୦ରେ ହୋବକୁ ଥିବା ଟୋକିଓ ଅଲିମ୍ପିକ୍ସରୁ ପଦକ ଜିତିବା ଆଶା କରିବି ବୋଲି କହିଥିଲେ ନୀରଜ। ତେବେ ଅଲମ୍ପିକ୍ସ ପାଇଁ ସେ ଏବେଠାରୁ ପ୍ରସ୍ତୁତି ଆରମ୍ଭ କରିଦେଇଥିବା କହିଛନ୍ତି । ପୂର୍ବରୁ ଥିବା ନିଜର ସମସ୍ତ ତ୍ରୁଟି ସୁଧାରି କିପରି ପ୍ରସ୍ତୁତ ହେବେ ସେନେଇ ସେ ବିଶେଷ ଗୁରୁତ୍ୱ ଦେଉଛନ୍ତି । ବିଶ୍ୱରେକର୍ଡକୁ ଭାଙ୍ଗିବା କଷ୍ଟସାଧ୍ୟ ହୋଇଥିଲେ ମଧ୍ୟ କଠିନ ପରିଶ୍ରମ ଦ୍ୱାରା କିପରି ଏହା ସମ୍ଭବ କରିହେବ ସେନେଇ ସେ ଚେଷ୍ଟିତ ହେବେ । ବର୍ତ୍ତମାନ ନୀରଜଙ୍କର ରେକର୍ଡ ୮୮ ମିଟର ରହିଥିବା ବେଳେ, ଆଗାମୀ ଅଲମ୍ପିକ୍ସ ସୁଦ୍ଧା ୯୦ ମିଟର ଜାଭଲିନ୍ ଫିଙ୍ଗିବା ଲକ୍ଷ୍ୟ ରଖିଥିବା ନୀରଜ କହିଛନ୍ତି ।