ସାଂଘାତିକ ରୂପ ନେଲାଣି ନିପା ଭାଇରସ ! ରକ୍ଷା ପାଇବା ପାଇଁ ଆପଣାନ୍ତୁ କିଛି ଜରୁରୀ ଟିପ୍ସ, ଦୁଇ ଦିନରୁ ଅଧିକ ଜ୍ୱର ରହିଲେ ଡାକ୍ତର ଦେଖାଇବାକୁ ଭୁଲନ୍ତୁ ନାହିଁ

43

ସାଂଘାତିକ ରୂପ ନେଲାଣି ନିପା ଭାଇରସ । ପୂରା ଦେଶରେ ଆତଙ୍କ ସୃଷ୍ଟି କରିଥିବା ନିପା ଭାଇରସ କେରଳରେ ୧୫ ଜଣଙ୍କ ଜୀବନ ନେଇ ସାରିଲାଣି । କେରଳର କୋଝିକୋଡ ଜିଲ୍ଲାରେ ବୁଧବାର ଆଉ ୨ ଜଣ ବ୍ୟକ୍ତି ନିପା ଭାଇରସରେ ଆକ୍ରାନ୍ତ ହୋଇ ମୃତ୍ୟୁ ବରଣ କରିଛନ୍ତି । ତେବେ ୨ ମୃତକଙ୍କ ମଧ୍ୟରେ ଜଣେ ସଂକ୍ରମିତ ଅଂଚଳର ନହୋଇ ମଧ୍ୟ ମୃତ୍ୟୁବରଣ କରିଥିବାରୁ ପ୍ରଶାସନର ଚିନ୍ତାକୁ ଆହୁରି ବଢ଼ାଇଦେଇଛି । ସେପଟେ ଏହି ରୋଗରେ ଆଉ ୯ଜଣ ସଂକ୍ରମିତ ହୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ନିପା ଭାଇରସ ଯୋଗୁ କେରଳ ଓ କର୍ଣ୍ଣାଟକରେ ହାଇ ଆଲର୍ଟ ଜାରି କରାଯାଇଛି ।
ନିପା ଭାଇରସ ଆକ୍ରାନ୍ତ କରିଥିବା ବ୍ୟକ୍ତିଙ୍କର ଜ୍ୱର ଓ ମୁଣ୍ଡବିନ୍ଧା ହୋଇଥାଏ । ପ୍ରଥମେ ଆକ୍ରାନ୍ତକାରୀଙ୍କୁ ନିଶ୍ୱାସ ପ୍ରଶ୍ୱାସ ନେବାରେ ଅସୁବିଧା ଦେଖା ଦେଇଥାଏ । ନ୍ୟୁରୋଲୋଜିକାଲ ସମସ୍ୟା, ପ୍ରବଳ ମୁଣ୍ଡବିନ୍ଧା, ମାଂସପେଶୀରେ ସମସ୍ୟା, ଅଳସୁଆ ଲାଗିବା, ଓ ନିଶ୍ୱାସ ନେବାରେ ଅସୁବିଧା ଦେଖା ଦେଉଥିଲେ ଏହା ନିପା ଭାଇରସର ସଂକେତ ଦେଇଥାଏ ।
ନିପା ଭାଇରସରୁ କେମିତି ପାଇବେ ରକ୍ଷା ;
• ଆକ୍ରାନ୍ତ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସନ୍ତୁ ନାହିଁ
• ଏନଏଚ ୯୫ ଗ୍ରେଡ଼ କିମ୍ବା ଏହାଠାରୁ ଉଚ୍ଚ ମାସ୍କ ପିନ୍ଧିବା ଆବଶ୍ୟକ
• ନିୟମିତ ଭାବେ ସାବୁନରେ ହାତ ଧୁଅନ୍ତୁୁ
• ପକ୍ଷୀ ମାନେ ଯେଉଁ ଫଳ ଖାଇଥାନ୍ତି ତାହା ଠାରୁ ସମ୍ପୂର୍ଣ୍ଣ ଭାବେ ଦୁରେଇ ରୁହନ୍ତୁ
• ଖାସକରି ପଶୁ ଓ ପକ୍ଷୀ ମାନଙ୍କ ଠାରୁ ଦୂରେଇ ରୁହନ୍ତୁ । ଘୋଡ଼ା, ବାଦୁଡ଼ି, କୁକୁରଙ୍କ ଠାରୁ ଯଥାସମ୍ଭବ ଦୁରେଇ ରୁହନ୍ତୁ
• ଖାଇବା ପୂର୍ବରୁ ଫଳ ଗୁଡ଼ିକୁ ଭଲ ଭାବେ ଧୋଇ ନିଅନ୍ତୁ
• ଘରକୁ ସଫାସୁତରା ରଖନ୍ତୁ । ଖାସକରି ଶିଶୁ ମାନଙ୍କୁ ସଫା ସୁତରା ରଖନ୍ତୁ
• ଘରର ଝରକା ବନ୍ଦ କରି ରଖନ୍ତୁ ନଚେତ ଖୁବ କମ ସମୟ ଝରକା ଖୋଲନ୍ତୁ
• ଅବ୍ୟବହୃତ ନଳକୂଅର ପାଣି ବ୍ୟବହାର କରନ୍ତୁ ନାହିଁ କି ଏହାର ଆଖ ପାଖକୁ ମଧ୍ୟ ଯାଆନ୍ତୁ ନାହିଁ
• ଯଦି ୨ ଦିନରୁ ଅଧିକ ଜ୍ୱର ରହୁଛି କିମ୍ବା ମୁଣ୍ଡବିନ୍ଧା ହେଉଛି ତେବେ ତୁରନ୍ତ ଡାକ୍ତରଙ୍କୁ ଦେଖାନ୍ତୁ