ନିମାପଡାରେ ପ୍ରାଚୀନ ସଭ୍ୟତାର ସନ୍ଧାନ : ପ୍ରାଚୀ ଓ କୁଶଭଦ୍ରା କୂଳରୁ ମିଳିଲା ଧ୍ୱଂସାବଶେଷ

114

କନକ ବ୍ୟୁରୋ : ନିମାପଡା ମାଟି ତଳେ ଲୁଚି ରହିଛି ପ୍ରାଚୀନ ସଭ୍ୟତା । ଯାହାର ସତ୍ୟାସତ ପ୍ରତ୍ନତତ୍ୱବିତଙ୍କ ହାତରେ ଲାଗିଛି । ପୁରୀ ଜିଲ୍ଲା ନିମାପଡ଼ା ବ୍ଲକ ଅନ୍ତର୍ଗତ ଗଡ଼ଇଟାପୋଖରୀ ଗାଁ ନିକଟରୁ ପ୍ରାଚୀନ ସଭ୍ୟତାର ବହୁ ସାମଗ୍ରୀ ମିଳିଛି । ପ୍ରାଚୀ ଓ କୁଶଭଦ୍ରା ନଦୀ କୂଳରୁ ପ୍ରାଚୀନ ସଭ୍ୟତାର ଧ୍ୱଂସାବଶେଷ ଆବିଷ୍କୃତ ହୋଇଛି । ମାଟି ତଳୁ ମିଳିଥିବା ସାମଗ୍ରୀ ପ୍ରାୟ ୨ ହଜାର ବର୍ଷ ତଳର ବୋଲି ପ୍ରତ୍ନତାତ୍ୱିକ ମତ ରଖିଛନ୍ତି ।

ପ୍ରାଚୀ ଓ କୁଶଭଦ୍ରା ଅବବାହିକାରେ ଗଢିଉଠିଥିଲା ପ୍ରାଚୀନ ସଭ୍ୟତା । ଐତିହାସିକ ଏବଂ ପ୍ରତ୍ନତାତ୍ୱିକଙ୍କ ମତ ବାସ୍ତବରେ ପରିଣତ ହୋଇଛି । ଏହି ଦୁଇ ନଦୀ ଅବବାହିକାରେ ଥିବା ପ୍ରାଚୀନ ସଭ୍ୟତା କାଳକ୍ରମେ ଧ୍ୱଂସ ପାଇଥିବା ବେଳେ ଏବେ ଏହାର ଧ୍ୱଂସାବଶେଷ ମିଳିଛି । ପୁରୀ ନିମାପଡା ଥାନା ଅନ୍ତର୍ଗତ ଗଡ଼ଇଟାପୋଖରୀରେ ହେଉଥିବା ସର୍ଭେରୁ ପ୍ରାଚୀନ ସଭ୍ୟତାର ବହୁ ମୂଲ୍ୟବାନ ସାମଗ୍ରୀ ଆବିଷ୍କାର କରାଯାଇଛି । ମାଟି ତଳୁ ମିଳିଛି ଖପରା, ଲାଲରଙ୍ଗର ମାଟିପାତ୍ର, ମହିଳା ବ୍ୟବହାର କରୁଥିବା ଆଭୁଷଣ, ମାଟିରେ ନିର୍ମୀତ ମାଳି, ରାଜକୀୟ ମୋହର, ପ୍ରାଚୀନ ମୁଦ୍ରା, ବଟାଶିଳ, ଇଟା ଓ ଭଗ୍ନମୂର୍ତ୍ତୀ ଇତ୍ୟାଦି ।

ଏହି ସର୍ଭେରୁ ଗଡ଼ଇଟାପୋଖରୀ ଗ୍ରାମଦେବତୀ ମା’ ଜାଗୁଳାଇଙ୍କ ଭଗ୍ନ ମନ୍ଦିର ଆବିଷ୍କୃତ ହୋଇଛି । ମନ୍ଦିରର ନିର୍ମାଣଶୈଳୀ ଏବଂ ଦଧିନଉତିକୁ ଦେଖିଲେ ଅନୁମାନ କରାଯାଉଛି ଏହା ପ୍ରାୟ ହଜାର ବର୍ଷତଳର । ଏହି ସ୍ଥାନଟିକୁ ବୈଜ୍ଞାନିକ ପଦ୍ଧତିରେ ଖନନ କରା ଗଲେ ପ୍ରାଚୀନ ସଭ୍ୟତାର ରହସ୍ୟ ଲୋକଲୋଚନକୁ ଆସିପାରିବ ବୋଲି ଐତିହାସିକ ମତ ଦେଇଛନ୍ତି । ଖାଲି ଗଡ଼ଇଟାପୋଖରୀ ନୁହେଁ ନିମାପଡ଼ା ଅଂଚଳଦେଇ ପ୍ରବାହିତ କୁଶଭଦ୍ରା ନଦୀ ଅବବାହିକାରେ ଅନେକ ପ୍ରାଚୀନ ସଭ୍ୟତା ଗଢ଼ିଉଠିଥିଲା । ହେଲେ ଏହି ସଭ୍ୟତା ଆଜି ଅତୀତର ଗର୍ଭରେ । ବର୍ତମାନ ବୈଜ୍ଞାନିକ ପଦ୍ଧତିରେ ଏହାକୁ ଖନନ କରାଗଲେ ପ୍ରାଚୀନ ସଭ୍ୟତା ବିଷୟ ଆଜିର ଯୁବପୀଢ଼ି ଅନେକ ଜ୍ଞାନ ଆରୋହଣ କରିପାରନ୍ତେ ।