ନିମାପଡ଼ା ନିର୍ବାଚନୀ କସରତ । ପୁଣି ସମୀରଙ୍କୁ ସାମ୍ନା କରିବେ ବିଜେପି ପ୍ରାର୍ଥୀ ପ୍ରଭାତୀ ପରିଡ଼ା, କଂଗ୍ରେସରୁ କିଏ ଦେବ ଟକ୍କର ?

741

କନକ ବ୍ୟୁରୋ: ପୁରୀ ଜିଲ୍ଲାର ଅନ୍ୟତମ ପ୍ରମୁଖ ନିର୍ବାଚନମଣ୍ଡଳୀ ନିମାପଡା ଆସନକୁ ଦଖଲ କରିବା ପାଇଁ ଚାଲିଛି ବଳ କଷାକଷି । ଏହାରି ମଧ୍ୟରେ ଶାସକ ବିଜେଡି ନିଜର ଗଡ଼କୁ ବଞ୍ଚାଇବା ନିମାପଡ଼ାରେ ପୁଣି ଥରେ ବିଧାୟକ ସମୀର ରଞ୍ଜନ ଦାସଙ୍କୁ ବିଜେଡି ସୁପ୍ରିମୋ ମଙ୍ଗ ଧରାଇଛନ୍ତି । ଅନ୍ୟପଟେ ବିଜେପି ମଧ୍ୟ ବିଜେଡିକୁ ଟକ୍କର ଦେବାକୁ ପୁଣି ରାଜ୍ୟ ବିଜେପି ମହିଳା ମୋର୍ଚ୍ଚା ସଭାନେତ୍ରୀ ପ୍ରଭାତୀ ପରିଡ଼ାଙ୍କୁ ପ୍ରାର୍ଥୀ କରାଇଛି । ତେବେ ଏଯାବତ୍ କଂଗ୍ରେସ ତରଫରୁ ଏଠାରୁ କିଏ ପ୍ରାର୍ଥୀ ହେବ ତାହା ଉରୁ ପରଦା ଉଠିପାରି ନାହିଁ । ନିମାପଡ଼ାରେ ଏଥର କଡ଼ା ମୁକାବିଲା ହେବ ବୋଲି ଚର୍ଚ୍ଚା ଜୋର ଧରିଛି ।

ପୂର୍ବରୁ ଏହି ଆସନ ଅନୁସୂଚିତ ଜାତିଙ୍କ ପାଇଁ ସଂରକ୍ଷିତ ଥିଲା । ଗତ ୨୦୦୦ରୁ ୨୦୧୪ ଚାରିଟି ବିଧାନସଭା ନିର୍ବାଚନକୁ ପର୍ଯ୍ୟାଲୋଚନା କଲେ ଏଠାରେ ଅଣକଂଗ୍ରେସ ପ୍ରାର୍ଥୀ ବିଜୟୀ ହୋଇଛନ୍ତି । ଗତ ୨୦୦୦ ମସିହାରେ ବିଜେଡି-ବିଜେପି ମେଣ୍ଟ ସରକାରରେ ଆସନ ବୁଝାମଣାରେ ନିମାପଡା ସଂରକ୍ଷିତ ଆସନ ବିଜେପିକୁ ମିଳିଥିଲା । ବିଜେପି ନେତା ବାଇଧର ମଲ୍ଲିକ ଗତ ୨୦୦୦ ଓ ୨୦୦୪ରେ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । କିନ୍ତୁ ୨୦୦୯ରେ ନିର୍ବାଚନମଣ୍ଡଳୀ ପୁନର୍ଗଠନ ଦ୍ୱାରା ଏହି ଆସନ ସାଧାରଣବର୍ଗଙ୍କ ପାଇଁ ଉଦ୍ଦିଷ୍ଟ ହୋଇଥିଲା । ଏହାସହ ବିଜେପି-ବିଜେଡି ମେଣ୍ଟ ଭାଂଗିବା ପରେ ଗତ ୨୦୦୯ ଓ ୨୦୧୪ରେ ବିଜେଡି ପ୍ରାର୍ଥୀ ସମୀର ରଂଜନ ଦାସ ଏଠାରେ ନିଜର ଦବଦବା ଜାରି ରଖିଛନ୍ତି ।

ଗତ ୨୦୧୪ ନିର୍ବାଚନରେ ସମୀର ମୋଟ୍ ୮୬୯୫୮ ଭୋଟ୍ ପାଇ ଦ୍ୱିତୀୟଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ତେଣୁ ପଣିଥରେ ଶାସକ ବିଜେଡି ଦଳ ବର୍ତ୍ତମାନର ବିଧାୟକ ତଥା ମୁଖପାତ୍ର ସମୀର ରଂଜନ ଦାସଙ୍କୁ ବିଜୟ ବଜାୟ ରଖିବା ପାଇଁ ଭରସିଛନ୍ତି । ସେହିଭଳି ୨୦୧୪ରେ ସାରା ଦେଶରେ ମୋଦି ଲହର ଥିଲେ ମଧ୍ୟ ବିଜେପି ପ୍ରାର୍ଥୀ ପ୍ରଭାତୀ ପରିଡା ୫୭ ହଜାରରୁ ଅଧିକ ଭୋଟ ପାଇ ବିଜେଡି ପ୍ରାର୍ଥୀ ସମୀର ଦାସଙ୍କ ଠାରୁ ପରାଜିତ ହୋଇଥିଲେ । ଏବଂ ଦ୍ବିତୀୟ ସ୍ଥାନରେ ସନ୍ତୁଷ୍ଟ ହୋଇଥିଲେ । ବିଜେପି ମଧ୍ୟ ଗତ ନିର୍ବାଚନରେ ଦ୍ବିତୀୟ ସ୍ଥାନରେ ଥିବା ପ୍ରାର୍ଥୀ ତଥା ରାଜ୍ୟ ବିଜେପି ମହିଳା ମୋର୍ଚ୍ଚାର ସଭାନେତ୍ରୀ ପ୍ରଭାତୀ ପରିଡାଙ୍କୁ ସାମ୍ନାରେ ରଖି ନିର୍ବାଚନ ବୈତରଣୀ ପାର୍ ହେବାକୁ ନିଷ୍ପତି ନେଇଛି ।

ଅନ୍ୟପଟେ ୨୦୧୪ ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ବିଶ୍ବରଂଜଜ ମହାନ୍ତି ୨୦ ହଜାର ୭୪୮ ଖଣ୍ଡ ଭୋଟ ପାଇଥିଲେ । ହେଲେ ବିଶ୍ବରଂଜନ ଏବେ ଏଆଇସିସିର ଗୁରୁତ୍ବପୂର୍ଣ୍ଣ ପଦବିରେ ଥାଇ ଗୁଜୁରାଟ ଦାୟିତ୍ବରେ ଥିବାରୁ ସେ ନିମାପଡାରୁ ପ୍ରାର୍ଥୀ ହେବା ସମ୍ଭାବନା ଖୁବ୍ କମ୍ ରହିଛି । ତେଣୁ ଗତ ୨୦୦୯ରେ ପ୍ରାର୍ଥୀ ହୋଇ ୪୧,୬୦୮ ଖଣ୍ଡ ଭୋଟ ପାଇ ଦ୍ବିତୀୟ ସ୍ଥାନ ଅଧିକାର କରିଥିବା କଂଗ୍ରେସ ଜିଲ୍ଲା ସଭାପତି ସତ୍ୟବ୍ରତ ପାତ୍ର ଏବଂ ଦିଲ୍ଲୀପ ନାୟକ ନିମାପଡାରୁ ପ୍ରାର୍ଥୀ ହେବାକୁ ଆଶା ରଖିଛନ୍ତି । ତେବେ ବିଜେଡି ଓ ବିଜେପିକୁ ଟକ୍କର ଦେବାକୁ ହାଇକମାଣ୍ଡ କାହାକୁ ବାଛିବେ ତାହା ଉପରେ ସମସ୍ତଙ୍କ ନଜର ରହିଛି ।