ମା’ ମାଙ୍କଡ଼ର ମମତା ! ଛୁଆକୁ ଉଦ୍ଧାର କରିବା ପାଇଁ ୧୫ଘଂଟା ସଂଘର୍ଷ

56

କନକ ବ୍ୟୁରୋ : ଛୁଆ ମାଙ୍କଡ଼କୁ ଉଦ୍ଧାର କରିବା ପାଇଁ ୧୫ଘଂଟା ଜଗିରହିଲା ମା’ମାଙ୍କଡ଼ । ଛୁଆକୁ ବଂଚାଇବା ପାଇଁ କରିଥିଲା ୧୫ଘଂଟା ସଂଘର୍ଷ । ଏପରି ଏକ ଘଟଣା ଘଟିଛି ପୁରୀ ଜିଲ୍ଲା ନିମାପଡାରେ । ଘଟଣାଟି ଆଖପାଖ ଅଂଚଳରେ ଚର୍ଚ୍ଚାର ବିଷୟ ପାଲଟିଥିଲା । ଏପରିକି ଏହି ଦୃଶ୍ୟ ଦେଖିବା ପାଇଁ ସ୍ଥାନୀୟ ଲୋକଙ୍କ ଭିଡ ଜମିଥିଲା । ମାଙ୍କଡ଼ ଉତ୍ପାତ ଯୋଗୁଁ ନିମାପଡାର କାଶୀନାଥ ବେହେରା ନିଜ ଘର ଛାତ ଉପରେ ଲାଗିଥିବା ଆଂଟିନାକୁ ମାଙ୍କଡ଼ କବଳରୁ ସୁରକ୍ଷିତ ରଖିବା ପାଇଁ ଜାଲ ବିଛାଇ ଦେଇଥିଲେ ।

ଗତକାଳି ସେହି ଜାଲରେ ଗୋଟିଏ ଛୁଆ ମାଙ୍କଡ଼ ଫସିଯାଇଥିଲା । ସବୁ ଚେଷ୍ଟା ପରେ ମଧ୍ୟ ମାଙ୍କଡ଼ ଛୁଆଟି ଜାଲ ଭିତରୁ ବାହାରି ପାରିନଥିଲା । ତାକୁ ଉଦ୍ଧାର କରିବାକୁ ଆଗେଇ ଆସିଥିଲେ ମାଙ୍କଡ଼ ପଲ । ଦୀର୍ଘ ୧୫ଘଂଟା ଧରି ମା’ମାଙ୍କଡ଼ ଓ ମାଙ୍କଡ଼ ପଲ ସେହି ସ୍ଥାନ ଛାଡି ଯାଇନଥିଲେ । ପରେ କାଶୀନାଥଙ୍କ ବନବିଭାଗକୁ ଖବର ଦେଇଥିଲେ । ତେବେ ଆଜି ସକାଳୁ ବନବିଭାଗ ତାଙ୍କ ଘରେ ପହଂଚି ଜାଲ କାଟି ଛୁଆ ମାଙ୍କଡ଼ଟିକୁ ଉଦ୍ଧାର କରିଥିଲେ । ଛୁଆ ମାଙ୍କଡ଼କୁ ଛାଡିବା ପରେ ମାଙ୍କଡ ପଲ ସେହି ଛୁଆ ମାଙ୍କଡ଼କୁ ନେଇ ସେହି ଜାଗା ଛାଡିଥିଲେ ।