ଝାଟିମାଟିର ପ୍ରୟୋଗଶାଳାରେ ନୀଳମାଧବଙ୍କ କରିସ୍ମା । ପକ୍ଷାଘାତ, ଦୃଷ୍ଟିହୀନଙ୍କୁ ବାଟ କଢାଇବ ସ୍ମାର୍ଟ ଚେୟାର

43

କନକ ବ୍ୟୁରୋ: ଯୁବ ବୈଜ୍ଞାନିକ ନୀଳମାଧବ ବେହେରା ନିର୍ମାଣ କରିଛନ୍ତି ହ୍ୟୁମାନ ରୋବୋଟ୍, ସ୍ମାର୍ଟ ଚେୟାର । ଯଦିଓ ଏଭଳି ପ୍ରକଳ୍ପ ନୂଆ ନୁହେଁ, ତଥାପି ତାହା ନୀଳମାଧବଙ୍କ ପ୍ରଚେଷ୍ଟା, ଆଗ୍ରହ ଓ କିଛି କରି ଦେଖାଇବା ମାନସିକତାର ପରିଚୟ ଦେଉଛି । ତାଙ୍କର କଞ୍ଚା ଅନୁଭବ ତାଙ୍କୁ ଝାଟିମାଟିର ଏକ ୮ ଫୁଟିଆ ପ୍ରୟୋଗଶାଳାରେ ସୀମିତ କରି ରଖିଛି । ତେବେ ସେ ଦିନେ ରାଜ୍ୟ ଓ ଦେଶର ନାଁ ରଖିବାର ସମ୍ଭାବନା ମଧ୍ୟ ସୃଷ୍ଟି କରିଛନ୍ତି ।

ବାଲେଶ୍ୱର ଜିଲ୍ଲା ଔପଦା ବ୍ଳକ୍ ଅଧୀନ ସନ୍ତରାଗଡ଼ିଆ ନିକଟ କାନପୁର ଗାଁର ନୀଳମାଧବ (୧୮) ଏବେ ତଳନଗର କଲେଜରେ ଦ୍ୱିତୀୟ ବର୍ଷ ବିଜ୍ଞାନ ଛାତ୍ର । ବାପା ଶଶିକାନ୍ତ ବେହେରା ସୋର ଅଞ୍ଚଳର ଏକ ବେସରକାରୀ ବିଦ୍ୟାଳୟର ଶିକ୍ଷକ ଓ ମା’ ନିରୁପମା ଜଣେ ଗୃହିଣୀ । ଶଶିକାନ୍ତଙ୍କ ସୀମିତ ଆୟରେ ପରିବାର ଚଳିବା ଭିତରେ ପୁଅ ନୀଳମାଧବ ଧୂଳିବାଲିରେ ଖେଳିବା ବୟସରୁ ହିଁ ରୋବୋଟ୍ ଗଢ଼ିବାର ସ୍ୱପ୍ନ ଦେଖୁଥିଲେ । ଏପରିକି ପ୍ଲାଷ୍ଟିକ୍ ଓ ସୋଲରେ ରୋବୋଟ୍ ଆକୃତି କରି ଗାଁ ପିଲାଙ୍କୁ ଦେଖାଉଥିଲେ । ବୟସ ବଢ଼ିବା ସହ ଉତ୍ସାହ ଓ ଆବେଗ ବଢ଼ିଲା, କେଇଟା ଡିସି ମୋଟର ସାହାଯ୍ୟରେ ସ୍ୱପ୍ନର ରୋବୋଟ୍ ତିଆରି କଲେ । ପରେ ସୋସିଆଲ୍ ମିଡିଆକୁ ଶିକ୍ଷଣର ମାଧ୍ୟମ କରି ଏମିତି ସେ ଏବେ ବାଲେଶ୍ୱର ଜିଲ୍ଲା ଓ ରାଜ୍ୟ ପାଇଁ ଗୌରବ ଆଣିଛନ୍ତି । ସେଦିନର କୌତୂହଳୀ ଚପଳମତି ବାଳକ ଏବେ ଯୁବ ବୈଜ୍ଞାନିକ ନୀଳମାଧବ ।

ନୀଳମାଧବଙ୍କ ନିର୍ମିତ ହ୍ୟୁମାନ୍ ରୋବୋଟ୍ ରାଜ୍ୟର ପ୍ରଥମ ହେବା ସହ ଦେଶରେ ଏଯାଏଁ ନିର୍ମିତ ରୋବୋଟ୍ ଗୁଡ଼ିକଠାରୁ ନିଆରା ଓ ସ୍ୱତନ୍ତ୍ର ବୋଲି ସେ ଦାବି କରନ୍ତି । ଖବର ପ୍ରଚାର ପରେ ରାଜ୍ୟ ସରକାରଙ୍କ ସାଇନ୍ସ ଆଣ୍ଡ ଟେକ୍ନଲୋଜି ବିଭାଗ ନୀଳମାଧବଙ୍କୁ ତାଙ୍କର ଉଦ୍ଭାବନ ବିଷୟରେ ତଥ୍ୟ ରଖିବାକୁ ଡାକିଥିଲା। ଭୁବନେଶ୍ୱର ସ୍ଥିତ ବିଜ୍ଞାନ ଭବନରେ ଦେଶର ନାମୀ ବୈଜ୍ଞାନିକ ଓ ଆଇଆଇଟିର ପ୍ରଫେସରମାନେ ଉପସ୍ଥିତ ରହି ନୀଳମାଧବଙ୍କୁ ଶୁଣିଥିଲେ। ଏହି ସ୍ୱତନ୍ତ୍ର ରୋବୋଟ୍ ବ୍ୟାବସାୟିକ ପ୍ରତିଷ୍ଠାନ, ଡାକ୍ତରଖାନା ଓ ହୋଟେଲ୍ରେ କାମ କରିପାରିବା ସହ ସୀମାରେ ମଧ୍ୟ ଶତ୍ରୁକୁ ଜଗିପାରିବ ବୋଲି ନୀଳମାଧବ ଦାବି କରିଥିଲେ। ଅପରପକ୍ଷେ, ଏଥି ପାଇଁ ତାଙ୍କୁ ସାବାସି ସହ ରୋବୋଟ୍କୁ ଅଧିକ ବିକଶିତ କରିବା ଲାଗି ସହାୟତାର ପ୍ରତିଶ୍ରୁତି ମିଳିଥିଲା ବୋଲି ନୀଳମାଧମ କହିଛନ୍ତି।

ରୋବୋଟ୍ ପରେ ନୀଳମାଧବ ପକ୍ଷାକ୍ଷାତ ଆକ୍ରାନ୍ତଙ୍କ ପାଇଁ ସ୍ମାର୍ଟ ଚେୟାର ଭଳି ଏକ ମଡେଲ୍ ତିଆରି କରିଛନ୍ତି । ଏଥିରେ ରୋଗୀଙ୍କ ମସ୍ତିଷ୍କର ଚିନ୍ତା ଓ ଚେତନା ଶକ୍ତିକୁ ମାଇଣ୍ଡ୍ ଓ୍ଵବ୍ ରିଡର୍ରେ ଠଉରେଇ ମାଇଣ୍ଡ କଣ୍ଟ୍ରୋଲ୍ ବ୍ୟବସ୍ଥାରେ ରୋଗୀ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯିବାରେ ସହାୟକ ହୋଇପାରୁଛି । ଏହା ସହ ଏଥିରେ ଥିବା ଅବଷ୍ଟ୍ରକଲ୍ ବା ପ୍ରତିବନ୍ଧକ ସେନସର ଦୁର୍ଘଟଣାକୁ ମଧ୍ୟ ଏଡ଼ାଇପାରିବ । ଅବଶ୍ୟ ଏପରି ମଡେଲ୍ ପୂର୍ବରୁ ଭାରତରେ ପ୍ରସ୍ତୁତ ହୋଇ ସାରିଛି ।

ତେବେ ନୀଳମାଧବ ଏଥିରେ ନୂତନ କୌଶଳ ସ୍ୱରୂପ ଭଏସ୍ କଣ୍ଟ୍ରୋଲ୍ ସେନ୍ସର ଲଗାଇଛନ୍ତି ଯାହା ପକ୍ଷାଘାତ ରୋଗୀ ସହ ଜଣେ ଅନ୍ଧ ବ୍ୟକ୍ତିଙ୍କୁ ମଧ୍ୟ ବାଟ କଢ଼ାଇନେବ । ସେହିପରି ଇନଫ୍ରାରେଡ୍ ଟ୍ରାକ୍ କ୍ୟାମେରା ସାହାଯ୍ୟରେ କୌଣସି ବ୍ୟକ୍ତିର ପିଛା କରାଯାଇପାରିବ । ଏହା ସହିତ ଗ୍ୟାସ୍ ଦୁର୍ଘଟଣାରୁ ବର୍ତ୍ତିବା ପାଇଁ ଏଥିରେ ଗ୍ୟାସ୍ ସେନ୍ସର୍ ରହିଛି । ସ୍ମାର୍ଟ ଚେୟାରକୁ ସୁରକ୍ଷିତ ରଖିବା ପାଇଁ ମଧ୍ୟ ବ୍ୟବସ୍ଥା ରହିବ। ନିର୍ଦ୍ଧାରିତ ଓଜନଠାରୁ ଅଧିକ ଓଜନର ବ୍ୟକ୍ତି ବସିଲେ, ୱେଟ୍ ସେନ୍ସର ଚେୟାର ଭାଙ୍ଗିବାର ସୂଚନା ଦେବ ବୋଲି ନୀଳମାଧବ କହିଛନ୍ତି । ସବୁଠୁ ବଡ଼କଥା, ମାତ୍ର ୨୫ ହଜାରରୁ ୩୦ ହଜାର ଟଙ୍କାରେ ଉପଲବ୍ଧ ହୋଇପାରିବା ଭଳି ଏହି ଚେୟାର ବ୍ୟାବସାଯିକ ସଫଳତା ଆଣିବ।

ବାପାଙ୍କ ସୀମିତ ଆୟର ଆର୍ଥିକ ପ୍ରତିବନ୍ଧକ ଭିତରେ ନୀଳମାଧବ ରୋବୋଟ୍ ନିର୍ମାଣ କରିବା ପାଇଁ ଅନଲାଇନରେ ବିଭିନ୍ନ ବୈଦ୍ୟୁତିକ ସରଞ୍ଜାମ କିଣିବା ବାବଦରେ ପାଖାପାଖି ୨ ଲକ୍ଷରୁ ଅଧିକ ଟଙ୍କା ବ୍ୟୟ କରିଛନ୍ତି । ଏଥିପାଇଁ ମା’ ନିରୁପମା ଗହଣା ବନ୍ଧା ପକାଇ ବାପାଙ୍କ ଅଗୋଚରରେ ଟଙ୍କା ଦେଇଥିବା ସେ କହିଛନ୍ତି । ଏହି ସଫଳତା ପାଇଁ ନୀଳମାଧବଙ୍କୁ ଆସନ୍ତା ସ୍ୱାଧୀନତା ଦିବସ ଅବସରରେ ଜିଲ୍ଲା ପ୍ରଶାସନ ପକ୍ଷରୁ ସମ୍ବର୍ଦ୍ଧନା ଦିଆଯିବାକୁ ନିଷ୍ପତ୍ତି ହୋଇଛି ।