ଅଭିନେତ୍ରୀ ନିକିତା ମୃତ୍ୟୁ ମାମଲା: ଜାମିନ ଆବେଦନ ଖାରଜ, ଜେଲ ଗଲେ ସ୍ୱାମୀ ଲିପନ୍

638

କନକ ବ୍ୟୁରୋ: ନିକିତାଙ୍କ ମୃତ୍ୟୁ ପାଇଁ ତାଙ୍କ ସ୍ୱାମୀ ଲିପନ ହିଁ ଦାୟୀ । ଛାତ ଉପରେ ସ୍ୱାମୀଙ୍କ ସହ ଠେଲାପେଲା ଯୋଗୁଁ ଛାତ ଉପରୁ ତଳକୁ ନିକିତା ଖସିପଡିଥିବା ଡିସିପି କହିଛନ୍ତି । ସ୍ୱାମୀଙ୍କ ସହିତ ମନମାଳିନ୍ୟ ହୋଇଥିଲା । ଏହା ପରେ ଉଭୟ ଛାତ ଉପରକୁ ଯାଇଥିଲେ । ସେଠାରେ ଉଭୟଙ୍କ ମଧ୍ୟରେ ବଚସା ଓ ଠେଲାପେଲା ଯୋଗୁଁ ନିକିତା ତଳକୁ ଖସିପଡିଥିବା ଡିସିପି ଅଖିଳେଶ୍ୱର ସିଂ କହିଛନ୍ତି । ନିକିତା ସ୍ୱାମୀଙ୍କୁ ଆଜି କାର୍ଟ ଚାଲାଣ କରାଯାଇଛି ।

ଅଭିନେତ୍ରୀ ଲକ୍ଷ୍ମୀପ୍ରିୟା ବେହେରା ଓରଫ ନିକିତା ବେହେରାଙ୍କ ମୃତ୍ୟୁ ଘଟଣାରେ ତାଙ୍କ ସ୍ୱାମୀ ଲିପନ ସାହୁ ଜେଲ ଯାଇଛନ୍ତି। ଏସଡିଜେଏମ୍ କୋର୍ଟ ମଙ୍ଗଳବାର ଲିପନଙ୍କ ଜାମିନ ଆବେଦନକୁ ଖାରଜ କରିଛନ୍ତି। ଏହା ପରେ ଲିପନଙ୍କୁ ଜେଲ ଯିବାକୁ ପଡ଼ିଛି। ଲିପନକୁ ଚାଉଳିଆଗଂଜ ଥାନା ପୁଲିସ ସୋମବାର ଗିରଫ କରିଥିଲା। ଏହା ପରେ ପୁଲିସ ଆଜି ଲିପନକୁ କୋର୍ଟ ଚାଲାଣ କରିଥିଲା। ନିକିତାଙ୍କ ବାପା ସନାତନ ବେହେରା ରବିବାର ହତ୍ୟା ଅଭିଯୋଗ ଆଣିଥିଲେ। ସନାତନ କଟକର ଚାଉଳିଆଗଞ୍ଜ ଥାନାରେ ନିକିତାଙ୍କ ସ୍ୱାମୀ ଓ ଶାଶୁଙ୍କ ନାଁରେ ଲିଖିତ ଅଭିଯୋଗ ଆଣିଥିଲେ।

୨୦୧୬ ମସିହାରେ ନିକିତା କଟକ ଗୋପାଳପୁରର ବାସିନ୍ଦା, ଅଭିନେତା ଲିପୁନ  ସାହୁଙ୍କୁ ବିବାହ କରିଥିଲେ। ନିକିତାଙ୍କର ୪ ମାସର ଏକ ଶିଶୁ ପୁତ୍ର ଅଛି। ବିବାହ ପରେ ସେ ପ୍ରାୟତଃ ମହାନଦୀ ବିହାର ସ୍ଥିତ ତାଙ୍କ ବାପଙ୍କ ଘରେ ରହୁଥିବାବେଳେ ଲିପୁନ୍ ସେଠାକୁ ଯିବା ଆସିବା କରୁଥିଲେ। ଶୁକ୍ରବାର ରାତି ୧୦ଟାରେ ନିକିତା ମହାନଦୀ ବିହାରରେ ଥିଲେ। ସେହି ସମୟରେ ତାଙ୍କ ବାପା, ମା’ ଓ ସ୍ୱାମୀ ଲିପୁନ ବି ଘରେ ଥିଲେ।

କୁହାଯାଉଛି ଯେ, ସେ ହଠାତ୍ ଛାତରୁ ଖସି ପଡ଼ିଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ମହାନଦୀ ବିହାରସ୍ଥିତ ଏକ ଘରୋଇ ହସ୍ପିଟାଲ, ପରେ କଟକ ବଡ ମେଡିକାଲ ଏବଂ ସେଠାରୁ ସିଡିଏସ୍ଥିତ ଏକ ଘରୋଇ ହସ୍ପିଟାଲକୁ ନିଆଯାଇଥିଲା। ଶନିବାର ଦିନ ସାଢେ ବାରଟାରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା। ଏହାପରେ ପୁରୀ ସ୍ୱର୍ଗଦ୍ୱାରଠାରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା।