ବନ୍ଧା ହେଲେ ନିକିତାଙ୍କ ସ୍ୱାମୀ । ମାରାଥନ ଜେରା ପରେ ଗିରଫ କଲା ଚାଉଳିଆଗଞ୍ଜ ପୋଲିସ

1,651

କନକ ବ୍ୟୁରୋ : ଟେଲି ଅଭିନେତ୍ରୀ ନିକିତାଙ୍କ ମୃତ୍ୟୁ ଘଟଣାରେ ସ୍ୱାମୀ ଲିପନ ସାହୁଙ୍କୁ ଗିରଫ କରିଛି ପୋଲିସ । ଲଗାତାର ମାରାଥନ ଜେରା ପରେ ଲିପନଙ୍କୁ ଗିରଫ କରିଛି ଚାଉଳିଆଗଞ୍ଜ ପୋଲିସ । ନିକିତାଙ୍କ ବାପାଙ୍କ ଏତଲା ଭିତିରେ ଲିପନଙ୍କୁ ଗିରଫ କରିଛି ପୋଲିସ । ଗତକାଲି ଠାରୁ ନିକତାଙ୍କ ସ୍ୱାମୀଙ୍କୁ ପୋଲିସ ଅଟକ ରଖି ପଚରାଉଚରା କରୁଥିଲା । ଆଉ ଆଜି ତାଙ୍କୁ ଗିରଫ କରାଯାଇଛି । ଆସନ୍ତାକାଲି ତାଙ୍କୁ କୋର୍ଟ ଚାଲାଣ କରାଯିବ । ଏପରିକି ନିକିତାଙ୍କ ଶାଶୁ ଓ ଶଶ୍ୱୁରଙ୍କୁ ମଧ୍ୟ ପଚରାଉଚରା କରିପାରେ ପୋଲିସ । ଏନେଇ କଟକ ଡିସିପି ଅଖିଳେଶ୍ୱର ସିଂ ସୂଚନା ଦେଇଛନ୍ତି । ଏହାପୂର୍ବରୁ ଛାତ ଉପରୁ ପଡିଯାଇ ନିକିତାଙ୍କ ମୃତ୍ୟୁ ହୋଇଥିଲା ବୋଲି ଚର୍ଚ୍ଚା ହେଉଥିଲା । ଏପରିକି ନିକିତାଙ୍କ ମୃତ୍ୟୁକୁ ସେତେବେଳେ ରହସ୍ୟ ବଢିଯାଇଥିଲା ଯେତେବେଳେ ନିକିତାଙ୍କ ବାପା ସ୍ୱାମୀ ଲିପନଙ୍କ ନାଁରେ ଥାନାରେ ଅଭିଯୋଗ କରିଥିଲେ । ତାଙ୍କ ଝିଅକୁ ସ୍ୱାମୀ ଲିପନ ଛାତ ଉପରୁ ଠେଲି ଦେଇ ହତ୍ୟା କରିଛନ୍ତି ବୋଲି ନିକିତାଙ୍କ ବାପା ଥାନାରେ ଏତଲା ଦେଇଥିଲେ ।

ଯାହାକୁ ପ୍ରେମକରି ବିବାହ କରିଥିଲେ ସେ ହିଁ ନିକିତାଙ୍କୁ ସବୁଦିନ ପାଇଁ ଦୁନିଆରୁ ହଟାଇ ଦେଇଛି । ସ୍ୱାମୀ ଲିପୁନ ସାହୁଙ୍କ ବିରୋଧରେ ଏଭଳି ସଂଗୀନ ଅଭିଯୋଗ ଆଣିଥିଲେ ନିକିତାଙ୍କ ବାପା ସନାତନ ବେହେରା । ସେ ଥାନାରେ ଅଭିଯୋଗ କରିଛନ୍ତି, ଜ୍ୱାଇଁ ଲିପୁନ ୪ ତାରିଖ ରାତି ପ୍ରାୟ ସାଢ଼େ ୯ଟାରେ ତାଙ୍କ ଝିଅକୁ ଛାତ ଉପରକୁ ଡାକିନେଇଥିଲେ, ଏହାର କିଛି ସମୟ ପରେ ଘଟିଥିଲା ଅଘଟଣ । ଲିପୁନ୍ ତାଙ୍କ ଝିଅକୁ ଛାତରୁ ଠେଲି ହତ୍ୟା କରିଥିବା ଅଭିଯୋଗ କରିଥିଲେ ସନାତନ ।

ନିକିତାଙ୍କ ବାପାଙ୍କ ଅଭିଯୋଗ ପରେ ଛାନଭିନ ଆରମ୍ଭ କରିଥିଲା କମିସନରେଟ୍ ପୋଲିସ । ଆଜି ଚାଉଳିଆଗଞ୍ଜ ପୋଲିସ ନିକିତାଙ୍କ ମହାନଦୀ ବିହାର ସ୍ଥିତ ଘରେ ପହଁଚି କରଥିଲା ଖୋଳତାଡ । ନିକିତା ପଡିଥିବା ଛାତ ଉପରୁ ତଦନ୍ତ ଆରମ୍ଭ କରିବା ସହ ପରିବାର ଲୋକଙ୍କୁ ପଚରାଉଚରା କରିଥିଲା ତଦନ୍ତକାରୀ ଟିମ୍ । ୩ଟି ଟିମ୍ ସହ ସାଇଂଟିଫିକ୍ ଟିମ୍, ମେଡିକାଲ ଟିମ୍ ସହ ପୋଲିସର ଏକ ଟିମ ରହିଛ ନିକିତାଙ୍କ ମୃତୁୂ୍ୟର ଖୋଳତାଡ କରିଥିଲେ । କିଭଳି ଏବଂ କେଉଁ ପରିସ୍ଥିତିରେ ନିକିତାଙ୍କର ମୃତ୍ୟୁ ଘଟିଲା ସେ ନେଇ ପୁଙ୍ଖାନୁପୁଙ୍ଖ ତଦନ୍ତ ହୋଇଥିଲା ।

ଏକାଧିକ ଆଲବମ୍, ଫିଲ୍ମ ଏବଂ ସିରିଏଲରେ ଅଭିନୟ କରିଥିବା ଲଷ୍ମୀପ୍ରିୟା ବେହେରା ଓରଫ ନିକିତା କଟକ ମହାନଦୀବିହାର ସ୍ଥିତ ତାଙ୍କ ବାପଘର ଛାତ ଉପରୁ ପଡି ଆହତ ହୋଇଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ହସପିଟାଲରେ ଭର୍ତି କରାଯାଇଥିଲା । ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା । ପାରିପାଶ୍ୱିର୍କ ସ୍ଥିତି ଓ ପରିବାର ଲୋକଙ୍କ ଅଭିଯୋଗ ପରେ ସଂଦେହ ଘେରକୁ ଚାଲିଯାଇଛି ନିକିତାଙ୍କ ମୃତ୍ୟୁ ।