ଭାରତର ମାନବ ମହାକାଶ ଯାତ୍ରା ମିସନ୍ । ଗଗନଯାନରେ ସାମିଲ ହୋଇପାରନ୍ତି ବଲାଙ୍ଗୀର ପୁଅ, ପ୍ରଥମ ପର୍ଯ୍ୟାୟ ମହାକାଶଚାରୀ ଚୟନ ପର୍ଯ୍ୟାୟରେ ମନୋନୀତ ହେଲେ ୱିଙ୍ଗ କମାଣ୍ଡର ନିଖିଲ ରଥ

1,552

କନକ ବ୍ୟୁରୋ :ଆଗାମୀ ୨୦୨୨ରେ ମିଶନ ଗଗନଯାନ ଜରିଆରେ ମହାକାଶକୁ ନିଜସ୍ୱ ଯାନରେ ମଣିଷ ପଠାଇବ ଭାରତ । ଏଥିପାଇଁ ଭାରତୀୟ ବାୟୁସେନା ପକ୍ଷରୁ ପ୍ରଥମ ପର୍ଯ୍ୟାୟ ମହାକାଶଚାରୀ ଚୟନ ପ୍ରକ୍ରିୟା ଶେଷ ହୋଇଛି । ଆଉ ଏହାସହ ଓଡ଼ିଶା ପାଇଁ ମଧ୍ୟ ଏକ ଖୁସିଖବର ସାମ୍ନାକୁ ଆସିଛି । ପ୍ରଧାନମନ୍ତ୍ରୀଙ୍କ ଏହି ଡ୍ରିମ ପ୍ରୋଜେକ୍ଟ ମିଶନ ଗଗନାୟନର ପ୍ରଥମ ପର୍ଯ୍ୟାୟ ମହାକାଶଚାରୀ ଚୟନ ପ୍ରକ୍ରିୟାରେ ଓଡ଼ିଶାର ପୁଅ ମନୋନୀତ ହୋଇଛନ୍ତି । ବଲାଙ୍ଗୀରର ପୁଅ ତଥା ଇଣ୍ଡିଆନ ଏୟାରଫୋର୍ସରେ ୱିଙ୍ଗ୍ କମାଣ୍ଡର ଭାବେ କାର୍ଯ୍ୟରତ ନିଖିଲ ରଥ ଏହି ବିଗ୍ ପ୍ରୋଜେକ୍ଟ ପାଇଁ ମନୋନୀତ ହୋଇଛନ୍ତି । ଆଉ ଏହାସହ ନିଖିଲ ପ୍ରଥମ ଓଡ଼ିଆ ଭାବେ ଏହି ଗୌରବ ହାସଲ କରିବା ସହ ପୂରା ରାଜ୍ୟକୁ ଗର୍ବିତ କରିଛନ୍ତି ।

ମହାକାଶକୁ ଯିବେ ଓଡ଼ିଆ ପୁଅ । ମିଶନ ଗଗନଯାନର ପ୍ରଥମ ପର୍ଯ୍ୟାୟ ମହାକାଶଚାରୀ ଚୟନ ପ୍ରକ୍ରିୟାରେ ମନୋନୀତ ହୋଇଛନ୍ତି ଓଡ଼ିଆ ପୁଅ ନିଖିଲ ରଥ । ଭାରତୀୟ ବାୟୁସେନାରେ କାମ କରୁଥିବା ନିଖିଲଙ୍କର ଜନ୍ମ ହେଉଛି ବଲାଙ୍ଗୀରରେ । ୧୯୯୮ରେ ବଲାଙ୍ଗୀର କେନ୍ଦ୍ରୀୟ ବିଦ୍ୟାଳୟରୁ ସ୍କୁଲଏ ଶିକ୍ଷା ସମାପ୍ତ କରିଥିବା ନିଖିଲ ପରେ ଦିଲ୍ଲୀ ପବ୍ଲିକ ସ୍କୁଲର ଯୁକ୍ତ ଦୁଇ ପାସ୍ କରିଥିଲେ । ତେବେ ଯୁକ୍ତ ୩ ପଢୁଥିବା ସମୟରେ ହିଁ ନ୍ୟାସନାଲ ଡିଫେନ୍ସ ଏକାଡେମୀ ପାଇଁ ମନୋନୀତ ହୋଇଥିଲେ ନିଖିଲ ।

ଏନଡିଏରୁ ଉତ୍ତୀର୍ଣ୍ଣ ହେବା ପରେ ବାୟୁସେନାରେ ଯୋଗ ଦେଇଥିଲେ ନିଖିଲ । ବାୟୁସେନାରେ କାମ କରିବା ସହ ମିଶନ ଗଗନଯାନରେ ସାମିଲ ହେବାକୁ ଆବେଦନ କରିଥିଲେ ନିଖିଲ । ଆଉ କଠିନ ପରୀକ୍ଷାର ସମ୍ମୁଖୀନ ହେବା ପରେ ପ୍ରଥମ ପର୍ଯ୍ୟାୟ ପାର କରିଛନ୍ତି ନିଖିଲ । ମିଶନ ଗଗନଯାନ ପାଇଁ ଯେଉଁ ମହାକାଶଚାରୀଙ୍କୁ ଚୟନ କରାଯିବ ସେମାନଙ୍କୁ ଗୋଟିଏ ବର୍ଷ ଋଷରେ ଟ୍ରେନିଂ ପାଇଁ ପଠାଯିବ । ଆଉ ଋଷରୁ ଟ୍ରେନିଂ ନେଇ ଫେରିବା ପରେ ଏମାନଙ୍କୁ ଗଗନଯାନରେ ମହାକାଶକୁ ପଠାଯିବ । ଏହାପୂର୍ବରୁ ଆମେରିକା, ଋଷ ଓ ଚୀନ କେବଳ ମହାକାଶକୁ ନିଜସ୍ୱ ଯାନରେ ମଣିଷ ପଠାଇପାରିଛନ୍ତି । ଯଦି ମିଶନ ଗଗନଯାନରେ ଭାରତ ସଫଳ ହୁଏ ତେବେ ଚତୁର୍ଥ ଦେଶ ଭାବେ ଏହି ତାଲିକାରେ ଯୋଡିହେବ ।