ରୋଷେୟା ପୁଅ ହେବେ ଡାକ୍ତର : କେନ୍ଦ୍ରାପଡ଼ାର ସୁନାପୁଅ ତ୍ରିନାଥ ମିଶ୍ର, ନିଟ୍ ଏଂଟ୍ରାନ୍ସରେ ରହିଛନ୍ତି ୧୪୧ନଂ ରାଙ୍କରେ

69

କନକ ବ୍ୟୁରୋ : ନିଷ୍ଠା ଓ ଅଧ୍ୟବସାୟ ଥିଲେ ସବୁକିଛି ସମ୍ଭବ । ଏହାକୁ ପୁଣି ଥରେ ପ୍ରମାଣିତ କରିି ଦେଖାଇଛନ୍ତି କେନ୍ଦ୍ରାପଡ଼ାର ସୁନାପୁଅ ତ୍ରିନାଥ ମିଶ୍ର । ପଙ୍କରୁ ପଦ୍ମ ଫୁଟିଲା ପରି ଜଣେ ଗରିବ ରୋଷେୟାର ପୁଅ ସର୍ବଭାରତୀୟ ମେଡିକାଲ ପ୍ରବେଶିକା ପରୀକ୍ଷାରେ ରାଜ୍ୟ ସ୍ତରରେ ୪୧୪ନଂ ରାଙ୍କରେ ଉତ୍ତୀର୍ଣ୍ଣ ହୋଇଛନ୍ତି । ସେ ନିଜ ଗ୍ରାମ ସହିତ ସାରା କେନ୍ଦ୍ରାପଡ଼ା ଜିଲ୍ଲାରେ ସୃଷ୍ଟି କରିଛନ୍ତି ଏକ ଅନନ୍ୟ ଉଦାହରଣ । ଏପରି ବିରଳ କୃତିତ୍ୱ ନିଜ ପରିବାର ସହିତ ସମଗ୍ର ଗ୍ରାମବାସୀ ମାନଙ୍କ ମନରେ ଖେଳାଇ ଦେଇଛି ଆନନ୍ଦର ଲହରି ।

ଗରିବ ପରିବାରର ପୁଅ ତ୍ରିନାଥ ମିଶ୍ର । ଘର କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡା ବ୍ଲକ ଅର୍ନ୍ତଗତ ବାରଡାଙ୍ଗ ପଂଚାୟତର ଗଙ୍ଗାଧରପୁର ଶାସନ ଗ୍ରାମର । ସର୍ବଭାରତୀୟ ମେଡିକାଲ ପ୍ରବେଶିକା ପରୀକ୍ଷାରେ ରାଜ୍ୟରେ ୧୪୧ନଂ ରାଙ୍କରେ ରହି ସଫଳତାର ସହ କୃତକାର୍ଯ୍ୟ ହୋଇଛନ୍ତି ଏହି ସୁନାପୁଅ । ଏହି ସଫଳତା ଦ୍ୱାରା ସେ ସ୍ଥାନୀୟ ଅଂଚଳରେ ସୃଷ୍ଟି କରିଛନ୍ତି ଏକ ଉଦାହରଣ । ଭ୍ରମରବର ମିଶ୍ରଙ୍କର ସାନ ପୁଅ ତ୍ରିନାଥ ମିଶ୍ର ନିଜର କଠିନ ପରିଶ୍ରମ ଏବଂ ଅଧ୍ୟବସାୟ ବଳରେ ଅସମ୍ଭବକୁ ସମ୍ଭବ କରି ଦେଖାଇଛନ୍ତି । ଜମି ବାଡି ଗୁଣ୍ଠେ ନଥିବା ଏବଂ ସ୍ଥାନୀୟ ଅଂଚଳରେ ଜଣେ ରୋଷେୟା ଭାବରେ କାର୍ଯ୍ୟ କରୁଥିବା ଭ୍ରମରବର ନୁଆଁଣିଆ ଚାଳ ଛପର ଘରେ ପୁଅକୁ ଦିନେ ଭଲ ମଣିଷଟିଏ ଗଢି ତୋଳିବାର ସ୍ୱପ୍ନ ଦେଖିଥିଲେ । ଆଉ ବାପାଙ୍କ ସେହି ସ୍ୱପ୍ନକୁ ସାକାର କରିବାକୁ ଯାଉଛନ୍ତି ପୁଅ ତ୍ରିନାଥ । ସେ ଦେଖାଇ ଦେଇଛନ୍ତି କଠିନ ପରିଶ୍ରମ ଏବଂ ନିଷ୍ଠା ଦ୍ୱାରା ସବୁକିଛି ସମ୍ଭବ । ତ୍ରିନାଥଙ୍କ ବାପା ମା କୁହନ୍ତି ପୁଅ ଡାକ୍ତର ହୋଇ ଦୁଃଖି ରଙ୍କିଙ୍କ ସେବା କରିବ । ସେପଟେ ଗାଁ ପୁଅର ଏହି ସଫଳତାରେ ଗ୍ରାମବାସୀ ମଧ୍ୟ ବେଶ୍ ଖୁସିଥିବା ପ୍ରକାଶ କରିଛନ୍ତି ।

ତେବେ ପୁଅ ଡାକ୍ତରୀ ପଢ଼ିବା ପାଇଁ ଏଂଟ୍ରାନ୍ସରେ କୃତକାର୍ଯ୍ୟ ହେବା ପରେ ପୁଅକୁ କିଭଳି ବ୍ୟୟବହୁଳ ଡାକ୍ତରୀ ପାଠ ପଢ଼ାଇବେ ତାକୁ ନେଇ ଚିନ୍ତାରେ ପଡିଛନ୍ତି ବାପା ଭ୍ରମରବର । ତେଣୁ କିଛି ସହାୟତା ମିଳିଲେ ବହୁତ ଭଲ ହୁଅନ୍ତା ବୋଲି କହନ୍ତି ତ୍ରୀନାଥଙ୍କ ବାପା ।

ବାସ୍ତବିକ ଜଣେ ନିଜର ନିଷ୍ଠା ଏବଂ ପରିଶ୍ରମ ବଳରେ କିଭଳି ସଫଳତା ପାଇପାରେ ତାହାକୁ ପ୍ରମାଣିତ କରିଛନ୍ତି ଏହି ସୁନା ପୁଅ । ତେବେ ଡାକ୍ତରି ପାଠ ପଢିବା ନିମନ୍ତେ ଆବଶ୍ୟକ ହେବାକୁଥିବା ଲକ୍ଷାଧିକ ଟଙ୍କା କିପରି ଯୋଗାଡ କରିବେ ଏନେଇ ତାଙ୍କ ପରିବାରର ଚିନ୍ତା ପଡିଯାଇଛି । ସରକାର ଏଦିଗରେ ଦୃଷ୍ଟିଦେବାକୁ ସ୍ଥାନୀୟ ଲୋକ ଦାବି କରିଛନ୍ତି ।