ନର୍ସ ନିହାରିକା ହତ୍ୟା ଘଟଣାରୁ ଉଠିଲା ପରଦା। ତଂଟି ଚିପି ହତ୍ୟା କରିଛି ପ୍ରେମିକ ରାଜା। ମୃତଦେହକୁ ବାଇକରେ ନେଇ ନଈରେ ଫିଙ୍ଗିଥିଲା ହତ୍ୟାକାରୀ

ଯୁକ୍ତିତର୍କରୁ ରାଗି ଯାଇ କରାଯାଇଛି ହତ୍ୟା; ପୁଲିସକୁ ମିଳିଲା ସିସିଟିଭି ଫୁଟେଜ୍

5,061

କନକ ବ୍ୟୁରୋ: ବହୁ ଚର୍ଚ୍ଚିତ ନର୍ସ ନିହାରିକା ହତ୍ୟାକାଣ୍ଡର ପର୍ଦ୍ଦାଫାଶ ହୋଇଛି । ପ୍ରେମିକ କିଶୋର ଆଂଚଳ ଓରଫ ରାଜା ହିଁ ହତ୍ୟା କରିଛି ନିହାରିକାଙ୍କୁ । ଜଗତସିଂହପୁର ଏସ୍ପି ପ୍ରେସମିଟ୍ରେ ଅଭିଯୁକ୍ତକୁ ସାମ୍ନାକୁ ଆଣିବା ସହ ହତ୍ୟାକାଣ୍ଡ ଉପରୁ ପରଦା ହଟାଇଛନ୍ତି । ବିବାହକୁ ନେଇ ରାଜା ଓ ନିହାରିକାଙ୍କ ମଧ୍ୟରେ ଯୁକ୍ତିତର୍କ ହେବା ପରେ ନିହାରିକାଙ୍କ ତଂଟିି ଚିପି ହତ୍ୟା କରିଥିବା ରାଜା ପୋଲିସ ଆଗରେ ସ୍ୱୀକାର କରିଛି ।

କଳା କପଡା ପୁଲିସ ଢାଙ୍କି ଦେଇଥିବା ଏହି ଯୁବକ ହେଉଛି ନର୍ସ ନିହାରିକାର ହତ୍ୟାକାରୀ । କିଶୋର ଆଂଚଲ ଓରଫ ରାଜା । ପ୍ରେମ ପରି ଏକ ପବିତ୍ର ସଂପର୍କରେ ନିହାରିକା ସହ ବାନ୍ଧି ହୋଇ ଯାଇଥିଲା ରାଜା । କିନ୍ତୁ ଏହି ପ୍ରେମିକର ମାନସିକତା କେମିତି ଥିଲା ତାହା ବୋଧହୁଏ ନିହାରିକା ପଢି ପାରିନଥିଲେ । ଜଗତସିଂହପୁର ପୁଲିସ ପୁରା ଘଟଣାର ଛାନଭିନ୍ କରିବା ପରେ ସାମ୍ବାଦିକ ସମ୍ମିଳନୀ କରି ନିହାରିକା ହତ୍ୟାକାଣ୍ଡର ପର୍ଦ୍ଦାଫାଶ କରିଛି ।

ଗତ ୮ ତାରିଖରେ ରାଜା ନିହାରିକାଙ୍କ ସହ କଥା ହେବ କହି ଜଣେ ସାଙ୍ଗର ଭଡା ଘରକୁ ନେଇ ଯାଇଥିଲା । ଘରେ ଉଭୟଙ୍କ ଭିତରେ ବାହାଘରକୁ ନେଇ ଜୋରଦାର ଯୁକ୍ତିତର୍କ ହୋଇଥିଲା । ପୁଲିସର କହିବା ଅନୁସାରେ, ରାଜା ବାହା ହେବା ପାଇଁ ବାଧ୍ୟ କରୁଥିଲା, କିନ୍ତୁ ନିହାରିକା କହୁଥିଲେ, ରାଜା ଚାକିରି କରିବା ପରେ ବାହାଘର ହେବ । ପୁଲିସ ଆଗରେ ରାଜା ସ୍ୱୀକାର କରିଛି ଯେ ଏହାକୁ ନେଇ ସେ ରାଗି ଯାଇଥିଲା ଓ ନିହାରିକାଙ୍କ ତଂଟି ଚିପି ଦେଇଥିଲା ।

ତେବେ କଟକର ଏକ ଘରୋଇ ହସ୍ପିଟାଲରେ ନର୍ସ ଭାବେ କାମ କରୁଥିଲେ ନିହାରିକା । ସେ ଚାହୁଁଥିଲେ, ରାଜା କିଛି କରିବା ପରେ ହିଁ ବିବାହ କରିବେ । କିନ୍ତୁ ରାଜା ମୁଣ୍ଡରେ ବାହାଘରର ଭୂତ ସବାର ହୋଇଥିଲା । ଚାଉଳିଆଗଂଜ ସ୍ଥିତ ସେହି ଭଡା ଘରେ ହତ୍ୟା କରିବା ପରେ ନିହାରିକାର ମୃତଦେହକୁ ଏକ ଅଖାରେ ବାନ୍ଧି ଦେଇଥିଲା ରାଜା । ଏହାପରେ ନିଜ ବାଇକ୍ରେ ନେଇ ବିଲୁଆଖାଇ ନଦୀରେ ଫିଙ୍ଗି ଦେଇଥିଲା । ନଈରେ ପାଣି ଥିବାରୁ ପ୍ରାୟ ୧ କିଲୋମିଟର ପର୍ଯ୍ୟନ୍ତ ମୃତଦେହଟି ଭାସିଭାସି ଯାଇ ଜଗତସିଂହପୁରର କଇଜଙ୍ଗା ପଠାରେ ଲାଗିଥିଲା । ପ୍ରାୟ ୪ ବର୍ଷ ଧରି ନିହାରିକା ଓ ରାଜା ପରସ୍ପରକୁ ଭଲ ପାଉଥିଲେ । କିନ୍ତୁ ଏକ ପ୍ରେମ ସଂପର୍କର ପରିଣତି ଏତେ ଭୟଙ୍କର ହେବ ତାହା କେହି କେବେ କଳ୍ପନା କରିନଥିବେ ।