ଦିନରେ ସୃଷ୍ଟି ହେଲା ରାତିର ଭ୍ରମ ! ଝିପି ଝିପି ବର୍ଷା ସହ ଆକାଶରେ ଢ଼ାଙ୍କିଗଲା କଳା ବାଦଲ…ପାଣିପାଗ କେନ୍ଦ୍ରର ପୂର୍ବାନୁମାନ: ଆହୁରି ୨୪ ଘଂଟା ବର୍ଷିବ…କମିବ ତାପମାତ୍ରା, ବଢିବ ଶୀତ

710

କନକ ବ୍ୟୁରୋ: ରାଜ୍ୟରେ ଶୀତ ଯାଇ ଧିରେ ଧିରେ ଖରା ଆସୁଥିବା ବେଳେ ଆଜି ହଠାତ୍ ପାଣିପାଗ ବଦଳିଯାଇଥିଲା । ଦିନ ପ୍ରାୟ ୧୦ଟାରେ ଚାରିଆଡେ ମେଘ ଢାଙ୍କି ହୋଇ ଅନ୍ଧାର ହୋଇଯାଇଥିଲା । ଆଜି ସୋନପୁରରେ ଅଧିକ ବର୍ଷା ରେକର୍ଡ ହୋଇଥିବା ବେଳେ ଆହୁରି ୨୪ ଘଂଟା ଯାଏ ବର୍ଷା ଲାଗି ରହିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି । ଏହାରି ଭିତରେ ବର୍ଷା ବିଗାଡିଦେଇଛି ଚାଷୀର ଅମଳ ଫସଲ ।

 

ମଙ୍ଗଳବାର ସକାଳ ୧୦ଟା । ହଠାତ୍ ମାଡି ଆସିଲା ଅନ୍ଧାର । ଆକାଶରେ କଳାହାଣ୍ଡିଆ ମେଘ ଢାଙ୍କି ହୋଇଗଲା । ରାସ୍ତାରେ ଯାଉଥିବା ଗାଡିମୋଟରରେ ଲାଇଟ୍ ଜଳିଲା । ଦିନରେ ସୃଷ୍ଟି ହେଲା ରାତିର ଭ୍ରମ । ବଦଳି ଯାଇଥିଲା ପାଣିପାଗ । ଆଉ ଦେଖୁ ଦେଖୁ ଆରମ୍ଭ ହୋଇଗଲା ବର୍ଷା । ତେବେ ବାୟୁମଣ୍ଡଳରେ କନ୍ଧମାଳ, ଦେଓଗଡ, ଖୋର୍ଦ୍ଧା, କଟକ, ନୟାଗଡ ଦେଇ କେଉଁଝର ଯାଏ ଏକ ଲମ୍ବା ବାଦଲର ବେଲ୍ଟ ରହିଥିଲା । ୨ରୁ ୧୦ କିଲୋମିଟର ଯାଏ ବାଦଲର ବଡ ବଡ ଖଣ୍ଡ ଜମି ରହିଥିଲା । ଆଉ ଏହି ବାଦଲ ଘଂଟାପ୍ରତି ୮୦ କିଲୋମିଟର ବେଗରେ ଗତି କରୁଥିଲା । ବାୟୁମଣ୍ଡଳ ଠାରୁ ବହୁ କମ୍ ଇଚ୍ଚତାରେ ଥିଲା ଏହି ବାଦଲ । ସେଥିପାଇଁ ହଠାତ୍ କିଛି ସମୟ ପାଇଁ ଅନ୍ଧାର ଘଟିଯାଇଥିଲା । ଏବଂ ସକାଳ, ରାତି ପରି ଅନୁଭବ ହୋଇଥିଲା ।

ସେପଟେ ବର୍ଷା ଓ ପବନରେ ବଡ ବଡ ଗଛ ଉପୁଡି ପଡିଛି । କିଛି ଘରର ଟିଣ ଛପର ଉଡିଯାଇଛି । ବିଜୁଳି ତାର ଛିଣ୍ଡିଯାଇଛି । ମଣ୍ଡିରେ ଭିଜୁଛି ଅମଳ ଧାନ । ହଜାର ହଜାର କୁଇଂଟାଲ ଧାନ ମଣ୍ଡିରେ ବିକ୍ରି ହେବାକୁ ଥିବା ବେଳେ ତାହା ଏବେ ବର୍ଷାରେ ଓଦା ହୋଇଯାଇଛି ।

ତେବେ ବୁଧବାର ଅପରାହ୍ଣ ଯାଏଁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବ । ବିଶେଷ କରି କଟକ, ଖୋର୍ଦ୍ଧା, ପୁରୀ, ଜଗତସିଂହପୁର, ଯାଜପୁର, ମୟୂରଭଂଜ, ସୁନ୍ଦରଗଡ ଓ ଦେଓଗଡରେ ପ୍ରବଳ ବର୍ଷା ହେବା ନେଇ ଆକଳନ କରିଛି ପାଣିପାଗ ବିଭାଗ । ଏହି ସମୟରେ ୩୦ରୁ ୪୦ କିଲୋମିଟର ବେଗରେ ପବନ ବହିବ । ତେବେ ବର୍ଷା ଛାଡିବା ପରେ ତାପମାତ୍ରା ୨ରୁ ୩ ଡିଗ୍ରୀ କମିଯିବ । ଉତର ଆଭ୍ୟନ୍ତରୀଣ ଓଡିଶାରେ ଅଧିକ ଥଣ୍ଡା ଅନୁଭୂତ ହେବ ଏବଂ କୁହୁଡିର ପରିମାଣ ବଢିବ ।