ସିବିଆଇ ଝଡର ପୂରା କାହାଣୀ! କେମିତି ଆରମ୍ଭ ହୋଇଥିଲା ଏହି ହାଇଭୋଲଟେଜ ଡ୍ରାମା, ଜାଣନ୍ତୁ ପୂରା ଘଟଣାକ୍ରମ ?

258

କନକ ବ୍ୟୁରୋ : ରବିବାର ସଂଧ୍ୟାରେ କୋଲକାତାରେ ଦେଖିବାକୁ ମିଳିଲା ହାଇଭୋଲଟେଜ ଡ୍ରାମା । ଯାହା କିଛି ସମୟ ମଧ୍ୟରେ ଚରମ ସୀମାରେ ପହଂଚିଯାଇଥିଲା । ସିବିଆଇ ଟିମ୍ କୋଲକାତା ପୁଲିସ କମିଶନରଙ୍କ ବାସଭବନରେ ପହଁଚିବା ପରେ ଏହି ଡ୍ରାମା ଆରମ୍ଭ ହୋଇଥିଲା । ଆଉ ୨୪ ଘଣ୍ଟା ମଧ୍ୟରେ କୋଲକତାରୁ ଆରମ୍ଭ ହୋଇଥିବା ଏହି ହାଇଭୋଲଟେଜ ଡ୍ରାମା ଏବେ ଦିଲ୍ଲୀରେ ଝଡ ସୃଷ୍ଟି କରିଛି ।

ରବିବାର ସଂଧ୍ୟା ଠିକ୍ ୬ଟା ବେଳେ କୋଲକାତା ପୁଲିସ କମିଶନର ରାଜୀବ କୁମାରଙ୍କ ସରକାରୀ ବାସଭବନରେ ପହଂଚିଥିଲେ ୪୦ ଜଣିଆ ସିବିଆଇ ଟିମ୍ । ଏହାପରେ ଆରମ୍ଭ ହୋଇଥିଲା ମୁହାଁମୁହିଁ ପରିସ୍ଥିତି । ଏହାର ଠିକ୍ ଦୁଇ ମିନିଟ୍ ପରେ ଅର୍ଥାତ ୬ଟା ୨ ମିନିଟରେ କମିଶନରଙ୍କ ଘରେ ପହଂଚିଥିଲା ପୋଲିସ ଟିମ୍ । ଏବଂ ୬ଟା ୫ମିନିଟରେ ସିବିଆଇ ଅଧିକାରୀଙ୍କୁ ହେପାଜତରେ ନେଇଥିଲା ପଶ୍ଚିମବଙ୍ଗ ପୋଲିସ ।

ସଂଧ୍ୟା ୬ଟା ୩୦ମିନିଟ୍ । ରାସ୍ତା ଉପରେ ପୋଲିସ-ସିବିଆଇ ଧସ୍ତାଧସ୍ତିର ମାତ୍ର ଅଧ ଘଂଟା ଭିତରେ ଅର୍ଥାତ ୬ଟା ୩୦ ମିନିଟରେ ସିବିଆଇ ଅଧିକାରୀଙ୍କୁ ପୋଲିସ ଗାଡିରେ ବସାଇ ନିଆଯାଇଥିଲା ନିକଟରେ ଥିବା ସେକ୍ସପିୟର ସାରଣୀ ପୋଲିସ ଷ୍ଟେସନ୍ ।  ସଂଧ୍ୟା ଠିକ୍ ୬ଟା ୪୦ ମିନିଟ୍ ବେଳେ ପୋଲିସ କମିଶନର ରାଜୀବ କୁମାରଙ୍କ ବାସଭବନରେ ପହଂଚିଥିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜି । ପୋଲିସ କମିଶନରଙ୍କ ସହ କିଛି ସମୟ ଆଲୋଚନା କରିଥିଲେ ।

ସମୟ ସଂଧ୍ୟା ୭ଟା  । ପୋଲିସ ଓ ସିବିଆଇ ବିବାଦ ଆରମ୍ଭ ହେବାର ମାତ୍ର ଘଂଟାକ ମଧ୍ୟରେ ଏହା ବେଶ ରୋଚକ ମୋଡ ନେଇଥିଲା । ନିଜାମ ପ୍ୟାଲେସ ଓ ସିଜିଓ କମ୍ପଲେକ୍ସରେ ଥିବା ସିବିଆଇର ଦୁଇଟି କାର୍ଯ୍ୟାଳୟକୁ ଘେରାଉ କରିଥିଲେ ପୋଲିସ । ଅନ୍ୟପଟେ ପୋଲିସ ଡିଜି ଓ ବରିଷ୍ଠ ଅଧିକାରୀ ପୋଲିସ କମିଶନରଙ୍କ ଘରେ ପହଂଚିଥିଲେ । ଏଠାରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସହ ପ୍ରାୟ ଘଂଟାଏ ଧରି ବୈଠକ ଚାଲିଥିଲା ।

ରାତି ୮ଟା  ୨୦ମିନିଟ୍ । ପୋଲିସ କମିଶନରଙ୍କ ବାସଭବନରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜି ସାମ୍ବାଦିକ ସମ୍ମିଳନୀ କରିଥିଲେ । ଏବଂ ଧାରଣା ଦେବା ନେଇ ଘୋଷଣା କରିଥିଲେ । ଏଥିସହ ପ୍ରଧାନମନ୍ତ୍ରୀ ମୋଦିଙ୍କ ଇସାରାରେ କାମ କରୁଥିବା ଜାତୀୟ ସୁରକ୍ଷା ପରାମର୍ଷଦାତା ଅଜିତ ଡୋଭାଲଙ୍କ ନିର୍ଦ୍ଦେଶରେ ସିବିଆଇ ଏଭଲି ପଦକ୍ଷେପ ନେଇଥିବା ଅଭିଯୋଗ ବାଢିଥିଲେ ।

ରାତି ୮ଟା  ୩୫ମିନିଟ୍ । କୋଲକାତା ମେଟ୍ରୋ ଷ୍ଟେସନ୍ ସମ୍ମୁଖରେ ଧାରଣା ଦେଇଥିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜି । ଟିଏମସିର ନେତା ଓ କର୍ମୀଙ୍କ ସହ ଧାରଣାରେ ବସିଥିଲେ ଦିଦି । ତେବେ ବଡକଥା ହେଉଛି ମମତାଙ୍କ ସହ ଧାରଣାସ୍ଥଳରେ ୟୁନିଫର୍ମରେ ବି ବସିରହିଥିଲେ କୋଲକାତା ପୋଲିସ କମିଶନର ରାଜୀବ କୁମାର । ଯାହାକୁ ନେଇ ବଡ ବିବାଦ ଉଠିଛି । ସେପଟେ ମମତାଙ୍କ ଅଭିଯୋଗ କରିଛନ୍ତି ଯେ, ବିନା ୱାରେଂଟରେ ପୋଲିସ କମିଶନରଙ୍କ ଘରକୁ ଆସିଥିଲେ ସିବିଆଇ ଅଧିକାରୀ ।