ନାଇଜେରିଆରେ ରଙ୍ଗବତୀ ଧୂନ ! ଦେଶୀ ଟ୍ରାକର ପ୍ରେମରେ ପଡିଲେ ବିଦେଶୀ, ସୋସିଆଲ ମିଡିଆରେ ଭିଡ଼ିଓ ଭାଇରାଲ

42

ବିଦେଶୀ ମୁହଁରେ ଦେଶୀ ଗୀତର ଧୂନ । କୌଣସି ବଲିଉଡ ଟ୍ରାକ ନୁହେଁ ବରଂ ଓଡ଼ିଶାର ଲୋକପ୍ରିୟ ସମ୍ବଲପୁରୀ ଗୀତ ରଙ୍ଗବତୀର ଧୂନ ଶୁଭୁଛି ସୂଦୂର ନାଇଜେରିଆରେ । ୭୦ ଦଶକର ଏହି ଲୋକପ୍ରିୟ ଗୀତକୁ କୋକ ଷ୍ଟୁଡିଓରେ ସୋନା ମହାପାତ୍ର ଯେଉଁଭଳି ଭାବେ ଗାଇବା ସହ ସଫଳତା ସାଉଁଟିଥିଲେ ତାହାର ରିପିଟ କରିଛନ୍ତି ଆଫ୍ରିକୀୟ ସିଙ୍ଗର ସାମୁଏଲ ଆଡେପୋଜୁ ଓରଫ ସାମୁଏଲ ସିଂ । ସୋନା ମହାପାତ୍ରଙ୍କ ରଙ୍ଗବତୀ ଭର୍ସନକୁ ନୂଆ ରୂପ ଦେଇଛନ୍ତି ସାମୁଏଲ ସିଂ । ସବୁଠାରୁ ଆଶ୍ଚଯ୍ୟ କଥା ହେଲା ସାମୁଏଲ ବିଦେଶୀ ହୋଇଥିଲେ ମଧ୍ୟ ସମ୍ବଲପୁରୀ ଗୀତ ରଙ୍ଗବତୀକୁ ନିଆରା ଢଙ୍ଗରେ ବୋଲିଥିଲେ । ପୂର୍ବରୁ ସୋନା ମହାପାତ୍ର କୋକ ଷ୍ଟୁଡିଓରେ ବୋଲିଥିବା ରଙ୍ଗବତୀ ଗୀତକୁ ନେଇ ବିବାଦ ଦେଖା ଦେଇଥିଲା ।

ଓଡ଼ିଶା ନମସ୍କାର । କେମିତି ଅଛନ୍ତି । ଏହଭଳି କିଛି ଶବ୍ଦରୁ ଆରମ୍ଭ ହୋଇଥିଲା ସାମୁଏଲଙ୍କ ରଙ୍ଗବତୀ ଗୀତର ଯାତ୍ରା । ରଙ୍ଗବତୀ ଗୀତ ବୋଲିବା ବେଳେ ସାମୁଏଲ ଏହି ଗୀତରେ ପୂରା ପୁରି ମଜ୍ଜି ଯାଇଥିଲେ । ଏହି ଗୀତ ଏବେ ୟୁଟ୍ୟୁବର ନୂଆ ସେନସେସନ ପାଲଟିଛି । ମାତ୍ର ଗୋଟିଏ ସପ୍ତାହ ମଧ୍ୟରେ ଏହି ଭିଡ଼ିଓକୁ ଏକ ଲକ୍ଷ ଲୋକ ଦେଖି ସାରିଲେଣି । ତେବେ ଏହି ଗୀତକୁ ନିଜ ସ୍ୱରରେ ଫାଇନାଲ ଟଚ୍ ଦେବା ପୂର୍ବରୁ ବେଶ କସରତ କରିଥିଲେ ସାମୁଏଲ । କେବଳ ରଙ୍ଗବତୀ ଗୀତ ନୁହେଁ ଭାରତର ଅନ୍ୟ ଭାଷାର ଗୀତ ମଧ୍ୟ ସାମୁଏଲଙ୍କ ମୁହଁରୁ ପୂର୍ବରୁ ଶୁଣିବାକୁ ମିଳିଛି । ସାମୁଏଲଙ୍କ ଭାରତରେ ମଧ୍ୟ ଅନେକ ପ୍ରଂଶସକ ରହିଛନ୍ତି । ବିହାରର ଲୋକପ୍ରିୟ ଭୋଜପୁରୀ ଗୀତ ‘ଲଲିପପ’ ଗାଇବା ପରେ ଲାଇମଲାଇଟକୁ ଆସିଥିଲେ ସାମୁଏଲ । ଏପରିକି ସୋସିଆଲ ମିଡିଆରେ ଏହି ଗୀତକୁ ଜବରଦସ୍ତ ରେସପନ୍ସ ମିଳିଥିଲା ।

ସାମୁଏଲ ଭାରତ ସହ ଭାରତର ବିଭିନ୍ନ ଭାଷାର ଗୀତକୁ ବେଶ ଭଲ ପାଇଥାନ୍ତି । ୨୦୧୦ ମସିହାରେ ଚିକିତ୍ସା ପାଇଁ ଭାରତକୁ ଆସିଥିଲେ ସାମୁଏଲ ।ଭାରତରେ ରହିବା ସମୟରେ ବଲିଉଡ ଟ୍ରାକ ତାଙ୍କୁ ବେଶ ଭଲ ଲାଗିଥିଲା । ଏହାପରେ ସେ ଭାରତର ବିଭିନ୍ନ ଭାଷାର ଗୀତ ଶୁଣିବା ସହ ଗାଇବା ଆରମ୍ଭ କରିଥିଲେ । ଭାରତୀୟ ସଙ୍ଗୀତ ପ୍ରେମରେ ସାମୁଏଲ ଏଭଳି ଭାବରେ ପଡିଯାଇଥିଲେ ଯେ, ନିଜ କଲେଜର ଉତ୍ସବରେ ଭୋଜପୁରୀ ଗୀତ ବୋଲି ବେଶ ପ୍ରଂଶସା ସାଉଁଟିଥିଲେ । ଆଉ ଏହାପରେ ପୁଣିଥରେ ଏବେ ଓଡ଼ିଶାର ଲୋକପ୍ରିୟ ସମ୍ବଲପୁରୀ ଗୀତ ଗାଈ ଚର୍ଚ୍ଚାର ପରିସରକୁ ଆସିଛନ୍ତି ସାମୁଏଲ ।