ନିଦାହାସ ଟ୍ରିଫ ଟି-୨୦ରେ ଆଜି ଭାରତ-ବାଂଲାଦେଶ ଟକ୍କର! ଶେଷ ଲିଗ୍ ମ୍ୟାଚ ଜିତି ଫାଇନାଲ ଯିବାକୁ ଟିମ୍ ଇଣ୍ଡିଆର ଲକ୍ଷ୍ୟ

47

ଶ୍ରୀଲଙ୍କା ନିଦାହାସ୍ ତ୍ରି-ରାଷ୍ଟ୍ରୀୟ ଟି-୨୦ରେ ଶେଷ ଲିଗ ମ୍ୟାଚରେ ଆଜି ବାଂଲାଦେଶକୁ ଟିମ୍ ଇଣ୍ଡିଆ ଭେଟିବ । ଭାରତ ୩ଟି ମ୍ୟାଚ ଖେଳି ୨ଟି ଜିତି ଫାଇନାଲ ଖେଳିବା ପାଇଁ ଆଶା କାଏମ ରଖିଥିବା ବେଳେ ବାଂଲାଦେଶ ୨ଟି ମ୍ୟାଚ୍ ଖେଳି ଗୋଟିଏରେ ବିଜୟୀ ହୋଇ ଆଶା ଆଶଙ୍କା ଭିତରେ ରହିଛି । ଟିମ୍ ଇଣ୍ଡିଆ ତାର ଶେଷ ଲିଗ ମ୍ୟାଚ ଭାରତୀୟ ସମୟ ଆଜି ସଂଧ୍ୟା ୭ଟାରେ ବାଂଲାଦେଶ ସହ ଖେଳିବ । ଉଭୟ ଦଳ ଆତ୍ମବିଶ୍ୱାସୀ ହୋଇଥିବାରୁ ଆଜିର ମ୍ୟାଚ ସଂଘର୍ଷପୂର୍ଣ୍ଣ ହେବ । ତେବେ ବାଂଲାଦେଶ ପରୀକ୍ଷାକୁ ଟିମ୍ ଇଣ୍ଡିଆ କିଭଳି ସାମ୍ନା କରୁଛି ତା ଉପରେ କ୍ରୀଡାପ୍ରେମୀଙ୍କ ନଜର ରହିଛି ।

ପ୍ରଥମ ମ୍ୟାଚରେ ଭାରତ ବାଂଲାଦେଶକୁ ସହଜରେ ପରାସ୍ତ କରିଥିଲା। କିନ୍ତୁ ଗୁରୁବାର ଶ୍ରୀଲଙ୍କାର ୨୧୪ ରନ୍ ଆହ୍ଵାନକୁ ତୁଛ କରି ଦେଇଥିବା ବାଂଲାଦେଶର ମନୋବଳ ଉଚ୍ଚା ଥିବାରୁ ଭାରତ ବିପକ୍ଷ ମୁକାବିଲା ନିଶ୍ଚିତ କଡ଼ା ଟକ୍କର ହେବ ବୋଲି ବିଶ୍ୱାସ ଆସୁଛି। ଶ୍ରୀଲଙ୍କା ବିପକ୍ଷରେ ସୋମବାର ରାତିରେ ପ୍ରତିଶୋଧମୂଳକ ବିଜୟ ସତ୍ତ୍ୱେ ଭାରତ ଆଶଙ୍କାରେ ପଡ଼ିଥିଲା। ଏବେ ଆତ୍ମବିଶ୍ୱାସୀ ବାଂଲାଦେଶ ପରୀକ୍ଷାକୁ ଭାରତ କିଭଳି ପ୍ରତିହତ କରି ଫାଇନାଲ୍ ପହଞ୍ଚିବ ମୁଖ୍ୟ କଥା ହୋଇଛି। ଉଭୟ ଦଳ ନିଜ ନିଜ ଭିତରେ ବିଶ୍ୱାସ ରଖି ଖେଳିଲେ କେହି ବି ଜିତିବାର ଦକ୍ଷତା ରଖିଛନ୍ତି।

ଅଧିନାୟକ ରୋହିତ ଶର୍ମାଙ୍କ ଖରାପ ଫର୍ମ ଦଳ ପାଇଁ ମୁଖ୍ୟ ଚିନ୍ତାର କାରଣ ହୋଇଛି। ଶିଖର ଧାଓ୍ଵନ ଓ ସୁରେଶ ରାଇନାଙ୍କ ଭଲ ପ୍ରଦର୍ଶନ ଦଳର ସମ୍ଭାବନାକୁ ଉଜ୍ଜୀବିତ କରିଛି। ବୋଲିଂରେ ଓ୍ଵାସିଂଟନ୍ ସୁନ୍ଦର ଏବଂ ୟୁଜବେନ୍ଦ୍ର ଚହଲ ଗତିରେ ବିବିଧତା ଭରି ଦେଉଥିବାବେଳେ ସାର୍ଦୁଲ ଠାକୁର ଶ୍ରୀଲଙ୍କା ବିପକ୍ଷରେ ୪ ଓ୍ଵିକେଟ୍ ନେଇ ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ। ଜୟଦେବ ଉନାଦକତ୍ ଏବଂ ବିଜୟ ଶଙ୍କର ଭଲ ସହଯୋଗୀ ଦାୟିତ୍ୱ ତୁଲାଇଥିଲେ।

ବାଂଲାଦେଶ ପୂର୍ବରୁ ସଫଳତାର ସହ ୧୬୬ ରନ୍ କରିପାରିଥିଲା। କିନ୍ତୁ ନିଜର ପୂର୍ବ ମ୍ୟାଚରେ ଶ୍ରୀଲଙ୍କା ବିପକ୍ଷରେ ୨୧୪ ରନର ଲକ୍ଷ୍ୟକୁ ପଛ କରି ସଫଳ ହେବା ପରେ ନିଦାହାସ ତ୍ରିରାଷ୍ଟ୍ରୀୟ ପ୍ରତିଯୋଗିତାରେ ମଧ୍ୟ ସବୁ ଦଳର ସମ୍ଭାବନାକୁ ଶେଷ ପର୍ୟ୍ୟନ୍ତ ଝୁଲାଇ ଦେଇଛି। ଭାରତ ହାରିଲେ ବି ବାଂଲାଦେଶ-ଶ୍ରୀଲଙ୍କା ଶେଷ ଲିଗ୍ ମ୍ୟାଚ୍ ପର୍ୟ୍ୟନ୍ତ ଅପେକ୍ଷା କରିବ। ପ୍ରତ୍ୟେକ ଦଳକୁ ୨ ବିଜୟ ମିଳିଲେ ନେଟ୍ ରନ୍ ରେଟକୁ ହିସାବକୁ ଆସିଯିବ।