ନିଆରା ନେତା

16

ବ୍ରହ୍ମପୁର ବ୍ୟୁରୋ, କନକ ନ୍ୟୁଜ୍ : ହାରିବା ପାଇଁ ନିର୍ବାଚନ ଲଢ଼ୁଥିବା ନେତା । ନେତା ନୁହଁନ୍ତି ଜଣେ ହୋମିଓପାଥି ଡାକ୍ତର । ଶୁଣିଲେ ଆଶ୍ଚର୍ଯ୍ୟ ହେବେ ଏଥରକୁ ମିଶାଇ ରାଜ୍ୟସଭା, ଲୋକସଭା ଓ ବିଧାନସଭା ପାଇଁ ମୋଟ ୩୧ଥର ପ୍ରାର୍ଥୀପତ୍ର ଦାଖଲ କଲେଣି ଏହି ବ୍ୟକ୍ତି । ଆଉ ପ୍ରତିଥର ସେ ଜାଣିଛନ୍ତି ନିର୍ବାଚନ ହାରିବେ । ହେଲେ ଭିନ୍ନ ସନ୍ଦେଶ ଦେବାକୁ ସଂଗ୍ରାମ ଜାରି ରଖିଛନ୍ତି ସେ ।

ପି.ଭି. ନରସିଂହ ରାଓ, ବିଜୁ ପଟ୍ଟନାୟକ, ଜାନକୀବଲ୍ଲଭ ପଟ୍ଟନାୟକ । ପ୍ରଧାନମନ୍ତ୍ରୀଙ୍କଠାରୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀ । ବର୍ଷ ବର୍ଷ ଧରି ଏମିତି ବଡ଼ ବଡ଼ ନେତାଙ୍କ ସହ ମୁହାଁମୁହିଁ ହେଉଥିବା ଏହି ବ୍ୟକ୍ତି ହେଲେ ବ୍ରହ୍ମପୁରର ୮୦ ବର୍ଷିୟ ହୋମିଓପାଥି ଡାକ୍ତର ଡା. କେ. ଶ୍ୟାମବାବୁ ସୁବୁଦ୍ଧି । ଏଥର ତୃତୀୟ ଥର ପାଇଁ ସେ ଓଡ଼ିଶା ବିଧାନସଭା ଆସି ରାଜ୍ୟସଭା ପାଇଁ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ବିଧାନସଭାରେ ହାରିବା କାରଣରୁ ତାଙ୍କୁ ପ୍ରତି ଥର ୧୦ ହଜାର ଟଙ୍କା ଲେଖାଏଁ ଅମାନତ ରାଶି ବା ଡିପୋଜିଟ୍ ହରାଇବାକୁ ପଡ଼ୁଛି । ତଥାପି ସେ ପ୍ରାର୍ଥୀପତ୍ର ଦାଖଲ କରୁଛନ୍ତି । ଉଦ୍ଦେଶ୍ୟ – ସେ ରାଜ୍ୟସଭା ଗଲେ ଏକ ଦୁର୍ନୀତିମୁକ୍ତ ଶାସନ ପ୍ରତିଷ୍ଠା ପାଇଁ ଉଦ୍ୟମ କରିବେ । କେଉଁ ଦଳ ଉପରେ ତାଙ୍କର ଭରସା ନାହିଁ ।

କେ. ଶ୍ୟାମବାବୁ ବ୍ରହ୍ମପୁର ଓ ଆସ୍କା ଲୋକସଭା ଆସନରୁ ୧୯୬୨ ମସିହାରୁ ପ୍ରାର୍ଥୀପତ୍ର ଦାଖଲ କରୁଛନ୍ତି ଓ ପ୍ରତିଥର ନିଜର ଅମାନତ ହରାଉଛନ୍ତି । ଲୋକସଭା ପାଇଁ ଦୁଇଟି ଆସନରେ ସେ ମୋଟ ୧୮ଥର ପ୍ରାର୍ଥୀପତ୍ର ଦାଖଲ କରିଥିବା ବେଳେ ପ୍ରତିଥର ହାରିବା ପରେ ୨୫ ହଜାର ଟଙ୍କାର ଅମାନତ ରାଶି ହରାଉଛନ୍ତି । ସେହିଭଳି ବିଧାନସଭା ପ୍ରାର୍ଥୀ ଭାବେ ସେ ୧୦ ଥର ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ଏମିତି ସେ ମୋଟ ୩୧ ଥର ପ୍ରାର୍ଥୀପତ୍ର ଦାଖଲ କରି ଏକ ପ୍ରକାର ରେକର୍ଡ କଲେଣି । ତାଙ୍କର ବିଶ୍ୱାସ ଏ ଲଢ଼େଇ ଯୁବ ସମାଜକୁ ଦୁର୍ନୀତି ବିରୋଧରେ ଲଢ଼ିବାକୁ ଆଗକୁ ପ୍ରେରଣା ଦେବ ।