ନିଆଳି ଅଜଣା ଜନ୍ତୁକୁ ଧରିବ ଡେରାଡୁନ ଟିମ୍ : ମେଣ୍ଢାକୁ ଆକ୍ରମଣ କରୁଥିବା ଜନ୍ତୁକୁ ଧରିବାରେ ପ୍ରଶାସନ ବିଫଳ ପରେ ଆସିଲେ ସ୍ୱତନ୍ତ୍ର ଦଳ

19

କନକ ବ୍ୟୁରୋ : ନିଆଳି ମେଣ୍ଢା ମଡକ ଘଟଣାରେ ଅଜଣା ଜନ୍ତୁକୁ ଧରିବ ଡେରାଡୁନ ଟିମ୍ । ମେଣ୍ଢାକୁ ଆକ୍ରମଣ କରୁଥିବା ଜନ୍ତୁକୁ ଧରିବା ପାଇଁ ପ୍ରଶାସନର ଉଦ୍ୟମ ଫେଲ୍ ମାରିବା ପରେ ଡେରାଡୁନରୁ ଗତକାଲି ଏହି ସ୍ୱତନ୍ତ୍ର ଦଳ ଆସିଛି । ପୂର୍ବରୁ ଶିମିଳିପାଳର ଏକ ୧୮ ଜଣିଆ ଟିମ୍ ଅଜଣା ଜନ୍ତୁକୁ ଧରିବା ପାଇଁ ନିଆଳି ଆସିଥିଲେ । ମେଣ୍ଢାକୁ ଆକ୍ରମଣ କରୁଥିବା ଅଜଣା ଜନ୍ତୁକୁ ଧରିବାକୁ ଯନ୍ତା, ଜାଲ ଓ ଡ୍ରୋନ୍ କ୍ୟାମେରା ଲଗାଯାଇଥିଲେ ବି ଏହା  ସଫଳ ହୋଇନଥିଲା ।

ଶିମିଳପାଳ ଟିମ୍ ଇତିମଧ୍ୟରେ ନିଆଳିରୁ ଫେରିଆସିଛି । ଅଜଣା ଜନ୍ତୁକୁ ଧରିବା ପାଇଁ ପ୍ରଶାସନ ଓ ଜଙ୍ଗଲ ବିଭାଗ ବି ଫେଲ୍ ମାରିଛି । ଏଭଳି ସ୍ଥଳେ ଡେରାଡୁନ ଟିମ୍ ଅଜଣା ଜନ୍ତୁ ଧରିପାରୁଛି କି ନାହିଁ ସେ ଉପରେ ସମସ୍ତଙ୍କ ନଜର ରହିଛି । ଗତ କିଛି ଦିନ ମଧ୍ୟରେ ନିଆଳି ଅଂଚଳରେ ଅଜଣା ଜନ୍ତୁ ମେଣ୍ଢାକୁ ମାରି କଲିଜା ନେଉଯାଉଥିବା ଦେଖିବାକୁ ମିଳିଛି । ଏହା ସ୍ଥାନୀୟ ଲୋକ ଓ ପ୍ରଶାସନର ନିଦ ହଜାଇଦେଇଛି । ଘଟଣା ପଛରେ ରାମଶିଆଳ ଥିବା ସନ୍ଦେହ କରାଯାଉଛି । କିନ୍ତୁ ଏ ନେଇ କିଛି ସ୍ପଷ୍ଟ ଚିତ୍ର ମିଳୁନାହିଁ ।