୪-୫ ମାସ ପରେ ପୁଣି ଫେରିଲା ମେଣ୍ଢା ମୃତ୍ୟୁ : ପୂର୍ବ ପରି ପେଟ ଚିରି ଖାଇଯାଉଛି ଅଜଣା ଜଙ୍ଗଲୀ ଜନ୍ତୁ

54

କନକ ବ୍ୟୁରୋ : ଗତ ଜୁନ୍ ଓ ଜୁଲାଇରେ ନିଆଳିରେ ଯେଭଳି ଢଙ୍ଗରେ ମେଣ୍ଢା ମଡକ ଦେଖାଦେଇଥିଲା ଠିକ୍ ସେହିଭଳି ଭାବେ ୪-୫ ମାସର ବ୍ୟବଧାନ ପରେ ମେଣ୍ଢା ମୃତ୍ୟୁର ଚିତ୍ର ସାମ୍ନାକୁ ଆସିଛି । ତଣ୍ଡିକଣାରେ ୩ଟି ମେଣ୍ଢାର ପେଟ କଣା କରି ହତ୍ୟା କରାଯାଇଛି । ସେହିଭଳି କଂଟାପଡା ଅଡଶପୁରର ବବଜା ଗାଁରେ ୧୧ଟି ମେଣ୍ଢାଙ୍କର ମୃତ୍ୟୁ ହୋଇଛି । ଯାହାକୁ ନେଇ ଉଭୟ ନିଆଳି ଓ କଂଟାପଡାର ମେଣ୍ଢା ଚାଷୀଙ୍କ ଭିତରେ ଛନକା ପଶିଛି ।

ଗତ ରବିବାର ରାତିରେ ନିଆଳିର ଗୋବିନ୍ଦପଦା ଗାଁରେ ପୂର୍ବଭଳି ୩ଟି ମେଣ୍ଢାର ମୃତ୍ୟୁ ହୋଇଥିଲା । ଗୋବର୍ଦ୍ଧନ ସ୍ୱାଇଁଙ୍କ ଗୁହାଳରେ ତିନିଟି ମେଣ୍ଢାଙ୍କ ପେଟକଣା କରି କେହି ମାରିଦେଇଥିବା ଅଭିଯୋଗ ହୋଇଥିଲା ।

୪-୫ ମାସ ତଳେ ନିଆଳିରେ ସିରିଜ ମେଣ୍ଢା ମୃତ୍ୟୁକୁ ନେଇ ବେଶ ତୁମ୍ବିତୋଫାନ ହୋଇଥିଲା । ଗଣମାଧ୍ୟମରେ ଘନଘନ ଖବର ପ୍ରସାରଣ ପରେ ତତ୍ପରତା ପ୍ରକାଶ କଲେ ସରକାର । ଏପରିକି ସନ୍ଦିଗ୍ଧ ସ୍ଥାନରେ ଅତ୍ୟାଧୁନିକ କ୍ୟାମେରା ଓ ଜନ୍ତୁ ଧରିବାକୁ ଜନ୍ତା ବସାଗଲା । ଶିମିଳପାଳ ଜାତୀୟ ଉଦ୍ୟାନରେ କାମ କରୁଥିବା ବନ୍ୟପ୍ରାଣୀ ବିଶେଷଜ୍ଞ ନିଆଳିରେ ପହଂଚିଲେ । ଓଳାଂଶ ଗହିରରେ ଗଧିଆ ବା ରାମଶିଆଳଙ୍କ ଠିକଣା ଠାବ କରାଯାଇଥିବା କହିଲେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ । ହେଲେ ମେଣ୍ଢା ମଡକ ଥମିବା ପରେ ନିଷ୍କ୍ରିୟ ହୋଇଗଲା ସରକାରୀ ପଦକ୍ଷେପ । ଆଉ ଏବେ ପୁଣି ଫେରିଛି ମେଣ୍ଢା ମଡକ ଓ ଜଙ୍ଗଲୀ ଜନ୍ତୁର ଆତଙ୍କ ।