ରାମଶିଆଳ ହଜେଇଛି ନିଆଳିର ନିଦ ! ଜାଣନ୍ତୁ , କେଉଁ ଆଧାରରେ ପ୍ରାଥମିକ ଅନୁମାନ କରିଛି ଜଙ୍ଗଲ ଓ ପରିବେଶ ବିଭାଗ

223

କନକ ବ୍ୟୁରୋ : ରାମଶିଆଳ ଏକ ପ୍ରକାରର ଗଧିଆ । ମେଣ୍ଢା ହେଉଛି ଏମାନଙ୍କର ପ୍ରମୁଖ ଖାଦ୍ୟ । ଏଣୁ ସାଧାରଣତଃ ରାମଶିଆଳ ମେଣ୍ଢାଙ୍କ ଉପରେ ହିଁ ଆକ୍ରମଣ କରିଥାଏ । କାଁ ଭାଁ ଛେଳି ଓ ଗାଈଙ୍କ ଶୀକାର କରିଥାଏ ଏହି ଜଙ୍ଗଲୀ ଜନ୍ତୁ । ସାଧାରଣ ଭାବେ ୪ରୁ ୫ଟି ରାମଶିଆଳ ଏକାସାଙ୍ଗେ ଚଳପ୍ରଚଳ କରନ୍ତି । ସବୁଠାରୁ ବଡ କଥା ହେଲା ଏମାନେ ଶିକାରର ତଂଟିକୁ ଆକ୍ରମଣ କରିଥାନ୍ତି । ଏହାପରେ ସେମାନଙ୍କ ଅନ୍ତଃବୁଜୁଳା ବାହାର କରନ୍ତି । ନିଆଳି ମେଣ୍ଢା ମଡ଼କ ଘଟଣାରେ ବି ସମାନ ଚିତ୍ର ଦେଖିବାକୁ ମିଳୁଛି । ମୃତ ମେଣ୍ଢାଙ୍କ କଲିଜା,ଫୁସଫୁସ୍ ଓ କିଡ଼ନୀକୁ ଖାଇଯାଉଛି ଜଙ୍ଗଲୀ ଜନ୍ତୁ ।

ରାମଶିଆଳ ଏକାଥରକେ ୧୦ କେ.ଜି. ପର୍ଯ୍ୟନ୍ତ ମାଂସ ଖାଇପାରେ । ସାଧାରଣତଃ ଏମାନେ ଶବ୍ଦ କରନ୍ତି ନାହିଁ । ଏଣୁ ନିଆଳିରେ ମଧ୍ୟ ଏହି ଜନ୍ତୁକୁ ଠାବ କରିବା ମୁସ୍କିଲ ହେଉଛି । ଛୁଆ ରାମଶିଆଳିଙ୍କ ପାଇଁ କଲିଜା ସଂଗ୍ରହ କରିଥାଏ ମା’ । ନିଆଳିରେ ବି ମେଣ୍ଢା ମଡ଼କ ଛାଡି କଲିଜା ନେଇଯାଉଛି ଜଙ୍ଗଲୀ ଯିବ । ଏଣୁ ଅନୁମାନ କରାଯାଉଛି ଛୁଆଙ୍କ ପାଇଁ ଖାଦ୍ୟ ସଂଗ୍ରହ କରୁଛି ଏକ ମାଆ ରାମଶିଆଳି । ରାମଶିଆଳି ମଣିଷ କିମ୍ବା ବଡ଼ ଜୀବଜନ୍ତୁଙ୍କ ଉପରେ ଆକ୍ରମଣ କରିବାର ନଜିର ଖୁବ କମ୍ ରହିଛି । ନିଆଳିରେ ମଧ୍ୟ କାଁ ଭାଁ ମଣିଷ ଆକ୍ରମଣର ଶିକାର ହେଉଛନ୍ତି । ଆଉ ଏକ ବଡ କଥା ହେଉଛି ଶିକାର କରିବା ପରେ ରାମଶିଆଳ ମୃତ ଜୀବ ପାଖରେ ରହି ନଥାଏ । ନିଆଳିରେ ମଧ୍ୟ ଆକ୍ରମଣକାରୀ ଜନ୍ତୁ ତୁରନ୍ତ ଜଙ୍ଗଲ ଓ ବୁଦା ଭିତରକୁ ଚାଲି ଯାଉଛି ।

ଆରମ୍ଭରୁ ହିଁ ନିଆଳି ମେଣ୍ଢା ମଡ଼କ ଘଟଣାରେ ହେଟାବାଘ ଓ ଗଧିଆର ସମ୍ପୃକ୍ତି ନେଇ ଚର୍ଚ୍ଚା ଚାଲିଥିଲା । ପୁଙ୍ଖାନୁପୁଙ୍ଖ ତର୍ଜମା ପରେ ଏବେ ଆକ୍ରମଣକାରୀ ଜନ୍ତୁର ପରିଚୟ ମିଳୁଛି । ହେଲେ ଏବେ ବି ଏହି ଜଙ୍ଗଲୀ ଜନ୍ତୁର ଗତିବିଧି ନେଇ କୈାଣସି ସ୍ପଷ୍ଟ ସୂଚନା ମିଳିନାହିଁ ।