ନିଦ ହଜାଇଛି ନିଆଳି ! ମେଣ୍ଢା ମଡକରେ ବ୍ୟସ୍ତ ବିବ୍ରତ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ

29

କନକ ବ୍ୟୁରୋ : ନିଦ ହଜାଇଛି ନିଆଳି । ରାତି ପାହିଲେ ଆସୁଛି ମେଣ୍ଢା ମୃତ୍ୟୁର ଖବର । ଆଉ ନିଆଳି ଅଂଚଳରେ ଶହ ଶହ ମେଣ୍ଢା ମୃତ୍ୟୁ ପଛରେ ରହିଛିି ଜଙ୍ଗଲୀ ଜୀବ ରାମଶିଆଳ । କନକ ନ୍ୟୁଜର ନିଆଳି ନାଇଟ୍ ଅପରେସନର ଚତୁର୍ଥ ଦିନରେ ଏହି ଜଙ୍ଗଲୀ ଜୀବ କିଭଳି ରାତିଅଧରେ ମେଣ୍ଢା ଶିକାର କରୁଛି ତାର ଦୃଶ୍ୟ ବୟାନ କରିଛନ୍ତି ସ୍ଥାନୀୟ ଲୋକ ।

ସେପଟେ ମେଣ୍ଢା ମଡକରେ ବ୍ୟସ୍ତ ବିବ୍ରତ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ । ମେଣ୍ଢା ମୃତ୍ୟୁ ସହ ବଢିଚାଲିଛି ରାମଶିଆଳର ଆତଙ୍କ । ଆଉ ବଢିଯାଇଛି ମନ୍ତ୍ରୀଙ୍କ ଟେନସନ୍ । କେମିତି ଚାଲିଛି ବନବିଭାଗର ଅପରେସନ୍ ତାର ଟିକିନିଖ କଥା ପଚାରିବୁଝୁଛନ୍ତି । ଡିଏଫଓଙ୍କୁ ତାଗିଦ ବି କରିଛନ୍ତି । ସେପଟେ ରାମଶିଆଳ ଭଳି ବନ୍ୟଜନ୍ତୁଙ୍କୁ ଧରିବା ସହଜ ନୁହେଁ ଏବଂ ବନବିଭାଗ ଟିମ୍ ସମସ୍ତ ଚେଷ୍ଟା କରୁଥିବା କୃଷିମନ୍ତ୍ରୀ କହିଛନ୍ତି ।

ତେବେ ନିଆଳିରେ ସ୍ଥିତି ପରଖିଛି ନନ୍ଦନକାନନ ଟିମ୍ । ଭଅଁରାଗଡ଼ ଜଙ୍ଗଲରୁ ରାମଶିଆଳର ପାଦ ଚିହ୍ନ ଓ ଗାତ ଠାବ ହୋଇଥିବା ସ୍ଥାନରେ ଅନୁଧ୍ୟାନ କରିଛି ଟିମ୍ । ମେଣ୍ଢାଙ୍କୁ ଯେଭଳି ଭାବେ ଶିକାର କରାଯାଉଛି ଓ ମିଳିଥିବା ପାଦ ଚିହ୍ନରୁ ଏହା ରାମ ଶିଆଳ ବୋଲି ଜଣାପଡିଛି । ରେଞ୍ଜର ମଧ୍ୟ ମେଣ୍ଡା ମୃତ୍ୟୁ ପାଇଁ ରାମଶିଆଳ ଆଡକୁ ଇସାରା କରିଛନ୍ତି । ଏହାରି ଭିତରେ ରାଜରାସ୍ତାକୁ ଓହ୍ଲାଈଛନ୍ତି ନିଆଳି ଅଂଚଳ ବାସିନ୍ଦା । କ୍ଷତିପୂରଣ ଦାବି କରିବା ସହ ଶୀଘ୍ର ଏହି ସମସ୍ୟାର ସମାଧାନ ପାଇଁ ପ୍ରଶାସନକୁ ଦେଇଛନ୍ତି ଚେତାବନୀ ।