ନିଆଳିରେ ମେଣ୍ଢା ମଡ଼କ ଘଟଣାରେ ଆସିଲା ବ୍ୟବଚ୍ଛେଦ ରିପୋର୍ଟ : ତଂଟି କଣା ପରେ ପେଟ ଚିରା ଯାଇଥିବା ରିପୋର୍ଟରେ ଉଲ୍ଲେଖ

148

କନକ ବ୍ୟୁରୋ : କଟକ ଜିଲ୍ଲା ନିଆଳିରେ ମେଣ୍ଢା ମଡ଼କ ଘଟଣାରେ ଆସିଛି ବ୍ୟବଚ୍ଛେଦ ରିପୋର୍ଟ । ଯେଉଁ ରିପୋର୍ଟ ମେଣ୍ଢା ମଡ଼କ ଘଟଣାର ସତ ସାମ୍ନାକୁ ଆଣିଛି । ୬ଟି ମେଣ୍ଢାର ବ୍ୟବଚ୍ଛେଦ ରିପୋର୍ଟ ବନ ବିଭାଗକୁ ପ୍ରଦାନ କରିଛି ପ୍ରାଣୀଧନ ଚିକିତ୍ସା ଅଧିକାରୀ । ରିପୋର୍ଟରେ ଯାହା ଲେଖା ରହିଛି ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିବ ନିଶ୍ଚୟ ।

ମେଣ୍ଢା ଗୁଡିକର ତଂଟି କଣା କରି ରକ୍ତ ଶୋଷିନେବା ପରେ ପେଟ ଚିରି ଅତି ବିଭତ୍ସ ଭାବେ ହତ୍ୟା କରାଯାଉଥିବା ବ୍ୟବଚ୍ଛେଦ ରିପୋର୍ଟରେ ଉଲ୍ଲେଖ କରିଛନ୍ତି ପ୍ରାଣୀ ଚିକିତ୍ସାଧିକାରୀ । ଗତ କିଛି ଦିନ ହେବ ନିଆଳୀରେ ଗୃହପାଳିତ ମେଣ୍ଢାମାନଙ୍କୁ ବିଭତ୍ସ ହତ୍ୟା କରାଯାଉଛି । ପ୍ରତ୍ୟେକଦିନ ରାତିର ଅନ୍ଧାରରେ ମେଣ୍ଢାମାନଙ୍କୁ ତଂଟି କାଟି ହତ୍ୟା କରିବା ପରେ କେହି କଲିଜା ଖାଉଥିବା ନେଇ ଚର୍ଚ୍ଚା ଜୋର ଧରିଛି । ପ୍ରତ୍ୟେକ ଦିନ ୧୦ରୁ ୧୫ ମେଣ୍ଢାକୁ ହତ୍ୟା କରାଯାଉଛି । ଗତ ୪୫ ଦିନରେ ଏଭଳି ଘଟଣା ଯୋଗୁଁ ଶହ ଶହ ମୃତମେଣ୍ଢା ଗୁହାଳ ସମ୍ମୁଖରେ ପଡିଛନ୍ତି । ତେବେ ଏହା ପଛରେ କିଏ ତାର କାରଣ ଖୋଜି ପାଉନାହାଁନ୍ତି ଗାଁ ଲୋକେ । ଗୋଟିଏ ସ୍ଥାନରେ ମେଣ୍ଢାଗୁଡିକୁ ଏକାଠି କରି ରାତି ହେଲେ ଲୋକେ ଟର୍ଚ୍ଚ ଧରି ଗାଁ ଗଣ୍ଡାର ବଣ ବୁଦା ଖୋଜୁଥଲେ ବି ଘଟଣା ପଛରେ କିଏ ତାର ଟେର୍ ପାଉନାହାଁନ୍ତି ।

ଘଟଣା ପଛରେ ଅନ୍ଧବିଶ୍ୱାସ ନା ଅନ୍ୟ କାରଣ ରହିଛି । ସେ ନେଇ କେହି ବି କିଛି ଟେର ପାଇପାରୁନାହାଁନ୍ତି । ତେବେ ଏହି ଘଟଣାକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ଯୋର ଧରିଛି । ମୃତ ମେଣ୍ଢାଙ୍କ ସହ ଏକ ଅଦ୍ଭୁତ ଜନ୍ତୁର ଫଟୋ ସୋସିଆଲ ମିଡିଆରେ ଘୁରି ବୁଲୁଛି । ସେପଟେ ବନ ବିଭାଗ ପକ୍ଷରୁ ଜନ୍ତୁଟିକୁ ଧରିବା ପାଇଁ ଉଦ୍ୟମ ଆରମ୍ଭ ହୋଇଛି । ଜନ୍ତା ଭିତରେ ଏକ ମେଣ୍ଢାକୁ ବାନ୍ଧି ଜନ୍ତୁଟିକୁ କାବୁ କରିବା ପାଇଁ ଉଦ୍ୟମ କରୁଛି ବନ ବିଭାଗ ।