ଉଠୁଛି ପଡୁଛି ନିଆଳି ରାଜନୀତି ! ସଂରକ୍ଷିତ ଆସନ ପାଇଁ ଚାଲିଛି ଛକାପଞ୍ଝା, ତିନି ଦଳର ଅଙ୍କକଷା, କାହାର ଛିଣ୍ଡିବ ହିସାବ ।

226

କନକ ବ୍ୟୁରୋ: ଆଗାମୀ ନିର୍ବାଚନ ପାଇଁ ସବୁଠି ଚାଲିଛି କସରତ । ତେବେ ନିଆଳି ସରଂକ୍ଷିତ ବିଧାନସଭା ଆସନ ଅକ୍ତିଆର ନେଇ ସ୍ଥାନୀୟ ଅଞ୍ଚଳରେ ରାଜନୈତିକ ବାତାବରଣ ଦିନକୁ ଦିନ ଉଷ୍ମ ହଉଛି । ପ୍ରମୋଦ କୁମାର ମଲ୍ଲିକ ନିଆଳି ନିର୍ବାଚନମଣ୍ଡଳୀ ଗଠନ ହେବା ଠାରୁ ଗତ ଦୁଇ ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିବା ବେଳେ ଏଥର ବିଜେଡ଼ିରୁ ଟିକଟ ପାଇ ହାଟ୍ରିକ୍ ବାଜିମାତ୍ ପାଇଁ ଅଣ୍ଟା ଭିଡ଼ିଛନ୍ତି । ହେଲ ପ୍ରମୋଦଙ୍କୁ ତୃତୀୟ ଥର ପାଇଁ ବିଜେଡ଼ି ଟିକେଟ୍ ପାଇବେ କି ନାହିଁ ତାକୁ ନେଇ ଚିତ୍ର ଅସ୍ପଷ୍ଟ ରହିଛି । ଅନ୍ୟପଟେ କଂଗ୍ରେସ ଓ ବିଜେପିରୁ କିଏ ମୈଦାନକୁ ଓହ୍ଲାଇବେ ତାହାକୁ ନେଇ ସସପେନ୍ସ ଜାରି ରହିଛି । 

ନିଆଳି ନିର୍ବାଚନ ଗଠନ ହେବା ଦିନଠାରୁ ଇତିହାସକୁ ତର୍ଜମା କରାଯାଏ ତେବେ ଏହା ଅନେକ ବର୍ଷଧରି ଅଣ କଂଗ୍ରେସ ଦଳର ଦୁର୍ଗ ଭାବେ ରହି ଆସିଛି । ୨୦୦୯ରେ ଏହି ନିର୍ବାଚନ ମଣ୍ଡଳୀ ସଂରକ୍ଷିତ ହେବାପରେ କଂଗ୍ରେସ ପ୍ରାର୍ଥୀ ଆର୍ତତ୍ରାଣ ମଲ୍ଲିକଙ୍କୁ ୫୦ହଜାରରୁ ଅଧିକ ଭୋଟ୍ ବ୍ୟବଧାନରେ ହରାଇଥିଲେ ବିଜେଡ଼ି ପ୍ରାର୍ଥୀ ପ୍ରମୋଦ ମଲ୍ଲିକ । ସେହିପରି ୨୦୧୪ ମସିହାରେ ବିଜେଡି ପ୍ରାର୍ଥୀ ପ୍ରମୋଦ ମଲ୍ଲିକ, କଂଗ୍ରେସ ପ୍ରାର୍ଥୀ ଛବି ମଲ୍ଲିକଙ୍କୁ ୨୫ ହଜାରରୁ ଅଧିକ ଭୋଟ ବ୍ୟବଧାନରେ ପରାସ୍ତ କରି ଦ୍ୱିତୀୟଥର ପାଇଁ ବିଧାୟକ ହୋଇଥିଲେ । କିନ୍ତୁ ଆଗାମୀ ନିର୍ବାଚନ ପାଇଁ ବିଜେଡ଼ି ପକ୍ଷରୁ ପ୍ରମୋଦଙ୍କୁ ଟିକେଟ ମିଳିବ କି ନାହିଁ ତାହା ଏବେ ସସପେନ୍ସରେ ରହିଛି  । କାରଣ ଦଳମଧ୍ୟରେ ବହୁ ବରିଷ୍ଠ ନେତାଙ୍କ ନାମ ଆଶାୟୀ ତାଲିକାରେ ଯୋଡ଼ି ହୋଇଯାଇଛି । ଏହି ରେସରେ ଆର୍ତତ୍ରାଣ ମଲ୍ଲିକ, ପୂର୍ବତନ ବିଧାୟକ ସ୍ୱର୍ଗତ କଣ୍ଡୁରୀ ଚରଣ ମଲ୍ଲିକଙ୍କ ପୁଅ ପ୍ରମୋଦ ମଲ୍ଲିକ ଓ ନିରଂଜନ ମଲ୍ଲିକଙ୍କ ନାମ ଚର୍ଚ୍ଚାରେ ରହିଛି।

ଅନ୍ୟପଟେ ବିଜେପିରେ ଯୋଗ ଦେଇଥିବା ପୂର୍ବତନ କଂଗ୍ରେସ ନେତା ଛବି ମଲ୍ଲିକ, ଶୁଶାନ୍ତ ମଲ୍ଲିକ ଓ ବେଣୁଧର ବେହେରାଙ୍କ ନାମ ଟିକେଟ୍ ପାଇବା ନେଇ ଚର୍ଚ୍ଚାରେ ରହିଛି । ଗତ ବିଧାନସଭା ନିର୍ବାଚନରେ କଂଗ୍ରେସ ୬୨ହଜାରରୁ ଅଧିକା ଭୋଟ୍ ପାଇଥିଲେ ମଧ୍ୟ ପରବର୍ତୀ ସମୟରେ କଂଗ୍ରେସ ନିଆଳିରେ ମୁରବୀ ଶୂନ୍ୟ ହୋଇପଡ଼ିଥିଲା ।

ଗତ ପଞ୍ଚାୟତ ନିର୍ବାଚନରେ କଂଗ୍ରେସର ଯୁବନେତା ଅଭିମନ୍ୟୁ  ମଲ୍ଲିକ କଂଗ୍ରେସର ମଙ୍ଗଧରି ନିର୍ବାଚନ ବୈତରଣୀ ପାର କରାଇଥିଲେ । ଏପରିକି ୮/୯ଟି ପଞ୍ଚାୟତରେ କଂଗ୍ରେସ ସମର୍ଥନରେ ସରପଞ୍ଚ ଓ ସମିତି ସଭ୍ୟଙ୍କୁ ବିଜୟୀ କରାଇବାରେ ସଫଳ ହୋଇଥିଲେ । ଏବେ ନିରଂଜନ ପଟ୍ଟନାୟକ ପିସିସି ସଭାପତି ହେବା ଓ ନିଆଳିରେ ନିଜର ଦବଦବା ରଖିଥିବା ବିଜେଡ଼ି ସରକାରର ପୂର୍ବତନ ମନ୍ତ୍ରୀ ପଞ୍ଚାନନ କାନୁନଗୋ କଂଗ୍ରେସରେ ମିଶିବା ପରେ ‘ହାତ’କୁ ବଳ ମିଳିବ ବୋଲି କର୍ମୀଙ୍କ ମଧ୍ୟରେ ଉତ୍ସାହ ରହିଛି ।