ପୁଲୱାମା ଆକ୍ରମଣ ନେଇ ବଡ ସୁରାକ ! ଛାତିଥରା ବିସ୍ଫୋରଣରେ ବ୍ୟବହୃତ ହୋଇଥିବା କାର ମାଲିକଙ୍କ ମିଳିଲା ପରିଚୟ ।

749

କନକ ବ୍ୟୁରୋ : ପୁଲୱାମା ଆତଙ୍କବାଦୀ ଆକ୍ରମଣ ନେଇ ସାମ୍ନାକୁ ଆସିଲା ବଡ ସୁରାକ୍ । ଆକ୍ରମଣରେ ବ୍ୟବହାର କରାଯାଇଥିବା କାରଟିକୁ ଚିହ୍ନଟ କରାଯାଇଥିବା ବେଳେ କାରର ମାଲିକଙ୍କ ପରିଚୟ ମିଳିଛି । ହାମଲାରେ ମାରୁତି ଇକୋ କାରର ବ୍ୟବହାର କରାଯାଇଥିଲା । ଘଟଣାର ତଦନ୍ତ କରି ସୁରାକ ପାଇଛି ଏନଆଇଏ । ତେବେ ଏହି କାରର ମାଲିକ ଜୈସ୍-ଇ-ମହମ୍ମଦ କ୍ୟାଡର ସାଜଦ ଭଟ୍ଟ ବୋଲି ଜଣାପଡିଛି । ତେବେ ଘଟଣା ପରଠାରୁ ଫେରାର ଅଛି ଅଭିଯୁକ୍ତ ସାଜଦ ଭଟ୍ଟ । ଆକ୍ରମଣର ୧୦ ଦିନ ପୂର୍ବରୁ କାରଟିକୁ କିଣାଯାଇଥିଲା । ସଜାଦ୍‌ ଭଟ୍ଟର ଘର ଜାମ୍ମୁ-କଶ୍ମୀରର ଅନନ୍ତନାଗ ଜିଲ୍ଲା ଅନ୍ତର୍ଗତ ବିଜବିହାରା ଅଞ୍ଚଳରେ। ଆଜି ସନ୍ଧ୍ୟାରେ ଏହି ଖୁଲାସା କରିଛି ନ୍ୟାସନାଲ ଇନଭେଷ୍ଟିଗେଟିଭ୍‌ ଏଜେନ୍ସି (ଏନଆଇଏ)।

ପୁଲୱାମାରେ ଆତ୍ମଘାତୀ ବିସ୍ଫୋରଣରେ ବ୍ୟବହୃତ ହୋଇଥିଲା ଏହି କାର । ଫେବୃଆରୀ ୧୪ ତାରିଖରେ ଘଟିଥିଲା ଏହି ଛାତିଥରା ଘଟଣା । ଏହି ଆତଙ୍କୀ ଆକ୍ରମଣରେ ସହିଦ ହୋଇଥିଲେ ୪୦ ଯବାନ । ଏହି ଆକ୍ରମଣ ସାରା ଦେଶକୁ ଦୋହଲାଇ ଦେଇଥିବା ବେଳେ ପ୍ରତିଶୋଧର ନିଆଁରେ ଜଳୁଛି ଭାରତ । ତେବେ ଆକ୍ରମଣ ନେଇ ଏନଆଇଏକୁ ବଡ ସୁରାକ ମିଳିଥିବା ବେଳେ, ଆତଙ୍କୀଙ୍କ ଚେର କେଉଁ ଯାଏଁ ଲମ୍ବିଛି ସେନେଇ ଆଗକୁ ଅଧିକ ତଦନ୍ତ କରାଯିବ । ବିସ୍ଫୋରଣରେ ସଂପୂର୍ଣ୍ଣ ରୂପେ ନଷ୍ଟ ହୋଇ ଯାଇଥିବା ଏହି ଗାଡ଼ିର ଫୋରେନସିକ୍‌ ଯାଞ୍ଚପରେ ଏହା ଏକ ମାରୁତି ଇକୋ ଗାଡ଼ି ଓ ଏହାର ମାଲିକ ଜେଇଏମର ଅନ୍ୟତମ ଆତଙ୍କବାଦୀ ସଜାଦ୍‌ ଭଟ୍ଟ ବୋଲି ଏନଆଇଏ ଜାଣିବାକୁ ପାଇଛି।