ପାକିସ୍ତାନୀ ବନ୍ଧୁଙ୍କ ସହ କଥା ହେବାରୁ ଅଖତାରଙ୍କ ଉପରେ ସନ୍ଦେହ କରିଥିଲା ଏନଆଇଏ ! ପ୍ରତିକ୍ରିୟା ରଖିଲେ ଅଖତାର

25

କନକ ବ୍ୟୁରୋ : ଆତଙ୍କବାଦୀ ଲିଙ୍କ ସନ୍ଦେହରେ ଜେରାର ସମ୍ମୁଖୀନ ହୋଇଥିବା ଅଖତାର ଖାନଙ୍କୁ ଆଜି ଏନଆଇଏ ନୋଟିସ ଜାରି କରିଛି । ୪ ତାରିଖ ଦିନ ୧୧ଟା ସୁଦ୍ଧା ଦିଲ୍ଲୀ ମୁଖ୍ୟାଳୟରେ ହାଜର ପାଇଁ ନିର୍ଦ୍ଦେଶ ଦିଆଯାଇଛି । ସେପଟେ ଏନେଇ ଆଜି ମୁହଁ ଖୋଲିଛନ୍ତି ଅଖତାର ଖାନ । ଅଖତାର କହିଛି, ସେ ସମ୍ପୂର୍ଣ୍ଣ ନିର୍ଦ୍ଦୋଷ । ଦୋଷୀ ସାବ୍ୟସ୍ତ ହେଲେ ଫାଶୀ ପାଇଁ ସେ ପ୍ରସ୍ତୁତ ବୋଲି କହିଛି ।

ଏପରିକି ତାଙ୍କର ଆର୍ଥିକ ଅବସ୍ଥା ଏବଂ ମାନସିକ ଅବସ୍ଥା ଯାହା ଅଛି ସେଥିରେ ସେ ଦିଲ୍ଲୀ ଯିବାକୁ ଅକ୍ଷମତା ପ୍ରକାଶ କରିଛନ୍ତି । ଏହା ସହ ତାଙ୍କର ଜଣେ ପାକିସ୍ତାନୀ ବନ୍ଧୁଙ୍କ ସହ କଥାବାର୍ତା କରିଥିବାରୁ ଏନଆଇଏ ସନ୍ଦେହ କରିଥିବା ସେ କହିଛନ୍ତି । ସାଉଦି ଆରବରେ ୧୦ ବର୍ଷ କାମ କରିିବା ସମୟରେ ଏହି ପାକିସ୍ତାନୀ ବ୍ୟକ୍ତିଙ୍କ ତାଙ୍କ ସହ ବନ୍ଧୁତା ହୋଇଥିଲା । ଭାରତକୁ ଫେରି ଆସିବା ପରେ ମଝି ମଝିରେ ଦୁହେଁ ଫୋନରେ କଥା ହୋଇଥିବା ଅଖତାର ଗଣମାଧ୍ୟମକୁ କହିଛନ୍ତି ।

ଗତକାଲି ଆତଙ୍କବାଦୀ ଲିଙ୍କ ସନ୍ଦେହରେ ଦୀର୍ଘ ୭ ଘଂଟା ଧରି ମାରାଥନ ଜେରା ପରେ ଅଖତାରଙ୍କୁ ଛାଡି ଦେଇଥିଲା ଜାତୀୟ ତଦନ୍ତକାରୀ ସଂସ୍ଥା । ଦେଶଦ୍ରୋହ କାର୍ଯ୍ୟକଳାପ ସନ୍ଦେହରେ କଟକ କିଶନନଗରସ୍ଥିତ ସାମନ୍ତରାପୁର ଭଡା ଘରୁ ଅଖତାରଙ୍କୁ ଉଠାଇ ଆଣିଥିଲା ପୁଲିସ । ଗ୍ରାମାଂଚଳ ଏସପିଙ୍କ କାର୍ଯ୍ୟାଳୟରେ ତାଙ୍କୁ ପଚରା ଉଚରା କରିଥିଲେ ଏନଆଇଏର ୭ ଜଣିଆ ଟିମ୍ । ଏଥିସହ ତାଙ୍କ ବାସଭବନରେ ମଧ୍ୟ ୪ ଘଂଟା ଧରି ରେଡ କରାଯାଇଥିଲା । ତେବେ ଆବଶ୍ୟକ ପଡିଲେ ପୁଣି ଥରେ ତାଙ୍କୁ ଡକାଯାଇପାରେ ବୋଲି କହିଛନ୍ତି ଏନଆଇଏ ଅଧିକାରୀ ।