ଆତଙ୍କବାଦୀଙ୍କ ସହ ଲିଙ୍କ୍ ଅଭିଯୋଗରେ କଟକରୁ ଅଖତାର ହୁସେନ ଖାନକୁ ଗିରଫ କଲା ଏନଆଇଏ ! ମୋବାଇଲ ଟ୍ରାକ କରି ଇଂଟେଲିଜେନ୍ସ ଦେଇଥିଲା ରିପୋର୍ଟ

23

କନକ ବ୍ୟୁରୋ : କଟକରୁ ପ୍ରାୟ ୩୦ କିଲୋମିଟର ଦୂର ସାମନ୍ତରାପୁରରେ ନିଜ ପରିବାର ସହିତ ରହୁଥିବା ଏହି ବ୍ୟକ୍ତି ଉପରେ ଏବେ ସନ୍ଦେହ ପାହାଡ଼ ପରି ଠିଆହୋଇଛି । ଆଉ ସେ ସନ୍ଦେହ କୌଣସି ଛୋଟମୋଟ ଘଟଣାକୁ ନେଇ ନୁହେଁ ବରଂ ଏହି ବ୍ୟକ୍ତି ଆତଙ୍କବାଦୀ ସଂଗଠନ ସହିତ ଜଡ଼ିତ ଥିବାର ସନ୍ଦେହ ରହିଛି । କୋଲକାତାରୁ ଆସିଥିବା ନ୍ୟାସନାଲ ଇନଭେଷ୍ଟିଗେସନ ଏଜେନ୍ସିର ଏକ ଟିମ୍ ଦୀର୍ଘ ୫ରୁ ୬ ଘଂଟା ଧରି ଜେରା କରିବାପରେ ସେମାନଙ୍କର ସନ୍ଦେହ ଆହୁରି ବଢିଯାଇଛି । ଏହାପରେ ସେ ଅଖତାର ହୁସେନ୍ ଖାନଙ୍କୁ ଗରିଫ କରିନେଇଥିଲେ ।

କିଛି ସମୟ ପରେ ନ୍ୟାସନାଲ ଇନ୍ଭେଷ୍ଟିଗେସନ୍ ଟିମର ଗୋଟିଏ ପରେ କାର୍ ଏହି ଦୁଇମହଲା କୋଠା ନିକଟରେ ଲାଗିଥିଲା । ଘଟଣାପରେ ସ୍ଥାନୀୟ ଲୋକଙ୍କର ମଧ୍ୟ ଭିଡ଼ ଜମିଥିଲା । କିନ୍ତୁ ସେଠାରେ ଭିଡ଼ ନକରିବାପାଇଁ ଏନ୍ଆଇଏ ଟିମ୍ ସଦସ୍ୟମାନେ ନିର୍ଦ୍ଦେଶ ଦେଇଥିଲେ । ଏହାପରେ ପଚରାଉଚରା ଆରମ୍ଭ ହୋଇଥିଲା । ସମସ୍ତଙ୍କ ହାତରୁ ମୋବାଇଲ ନେଇଯାଇଥିଲେ ଏବଂ ୫ ଘଂଟା ଧରି ଜେରା କରିଥିଲେ ।

ସୂଚନା ଅନୁସାରେ ଅଖତାର ହୁସେନ୍ ଖାନ୍ ସାଉଦୀ ଆରବରେ ୧୦ ବର୍ଷ ଧରି ରହି ଆସୁଥିଲେ ଏବଂ ଗତ ୪ ବର୍ଷ ହେଲା ସେଠାରୁ କାମଛାଡ଼ି ସେ ନିଜ ଘରକୁ ଫେରିଆସିଛନ୍ତି । କିନ୍ତୁ ତାଙ୍କ ପାଖକୁ ନିୟମିତ ଭାବେ କୋଲକାତାରୁ ଜଣେ ଅଜଣା ବ୍ୟକ୍ତିଙ୍କ ଠାରୁ କଲ ଆସେ । କିନ୍ତୁ ଏହି ଅଜଣା ବ୍ୟକ୍ତିଙ୍କ ବିଷୟରେ ଘର ଲୋକଙ୍କ ପାଖରେ ମଧ୍ୟ କୌଣସି ସୂଚନା ନାହିଁ । ୨୦୧୫ ଡିସେମ୍ବରରେ କଟକର ଜଗତପୁରରୁ ମୌଲାନା ଅବଦୁଲ ରେହମନ୍ ଆତଙ୍କୀ ଲିଙ୍କରେ ଗିରଫ ହେବାପରେ ଏହି ଘଟଣା ଆତଙ୍କୀ ଲିଙ୍କର ନୂଆ ସନ୍ଦେହ ସୃଷ୍ଟି କରିଛି ।