ସମ୍ବଲପୁରରେ ଏନଏଚଆରସିର ୬ଜଣିଆ ଟିମ୍ : ଅଇଁଠାପାଲି ଥାନା ହାଜତ ମୃତ୍ୟୁ ମାମଲା ନେଇ ମୃତକଙ୍କ ପରିବାରକୁ ପଚରାଉଚରା

28

କନକ ବ୍ୟୁରୋ : ସମ୍ବଲପୁରରେ ଜାତୀୟ ମାନବିକ ଅଧିକାର କମିଶନର ୬ଜଣିଆ ଟିମ୍ । ସମ୍ବଲପୁର ଅଇଁଠାପାଲି ଥାନା ହାଜତ ମୃତ୍ୟୁ ମାମଲାର ତଦନ୍ତ ପାଇଁ ସେମାନେ ସମ୍ବଲପୁର ଗସ୍ତରେ ଆସିଛନ୍ତି । ସେମାନେ ମୃତ ଯୁବକଙ୍କ ଘରକୁ ଯାଇ ଘଟଣାର ତଦନ୍ତ କରିବା ସହିତ ଆଡିସିନାଲ ଏସପିଙ୍କ ସହିତ ଆଲୋଚନା କରିଛନ୍ତି । ଏପଟେ ମୃତ ଅବିନାଶର ମା ଅଇଁଠାପାଲି ଥାନାରେ ତାଙ୍କ ପୁଅକୁ ହତ୍ୟା କରାଯାଇଥିବା ଅଭିଯୋଗ କରି ଏତଲା ଦେଇଛନ୍ତି । ଏତଲାକୁ ପୁଲିସ ଏସଡିପିଓ ଗ୍ରହଣ କରିଛନ୍ତି ।

ସମ୍ବଲପୁର ଅଇଁଠାପାଲି ଥାନାରେ ହାଜତ ମୃତ୍ୟୁ ଘଟଣାକୁ ନେଇ ଗତକାଲି ରାଜ୍ୟ ସରକାରଙ୍କୁ ଦାୟୀ କରିଥିଲା କଂଗ୍ରେସ । ଗତକାଲି କଂଗ୍ରେସର ଏକ ଉଚ୍ଚସ୍ତରୀୟ ଟିମ୍ ମୃତକଙ୍କ ପରିବାରକୁ ଭେଟିଛନ୍ତି ମୃତ ଅବିନାଶଙ୍କ ପରିବାରକୁ ଭେଟି ସମବେଦନା ଜଣାଇଥିଲେ । ଏବଂ ମୃତ ଅବିନାଶଙ୍କ ପରିବାରକୁ ୩୦ ଲକ୍ଷ ଟଙ୍କାର କ୍ଷତିପୂରଣ ଦାବି କରିଥିଲେ । ହାଇକୋର୍ଟର ଜଣେ କାର୍ୟ୍ୟରତ ବିଚାରପତିଙ୍କ ଦ୍ୱାରା ତଦନ୍ତ ମଧ୍ୟ ଦାବି କରିଥିଲେ କଂଗ୍ରେସ କର୍ମୀ ।

ଉଲ୍ଲେଖଯୋଗ୍ୟ ଯେ, ରୋୟାଲ ରିଟ୍ରେଟରୁ ଚୋରିରେ ସଂପୃକ୍ତି ଅଭିଯୋଗରେ ଅବିନାଶଙ୍କୁ ପୁଲିସ୍ ଧରି ଆଣିଥିଲା । ପୁଲିସ କହିବା ଅନୁସାରେ, ତା’ଠାରୁ ଚୋରି ସାମଗ୍ରୀ ଉଦ୍ଧାର କରାଯାଇଥିଲା । ତେବେ ୮ ତାରିଖ ରାତିରେ ଅଇଁଠାପାଲି ଥାନା ହାଜତରେ ଅବିନାଶଙ୍କ ମୃତ୍ୟୁ ହୋଇଥିଲା । ୯ ତାରିଖ ଦିନ ଏହି ଘଟଣାକୁ ନେଇ ପ୍ରବଳ ଉତ୍ତେଜନା ପ୍ରକାଶ ପାଇବା ସହ ଥାନା ଜଳାପୋଡ଼ା ହୋଇଥିଲା । ୧୦ ତାରିଖ ଦିନ ଏଚଆରପିସି ଟିମ୍ ସମ୍ବଲପୁର ଆସି ଏହି ଘଟଣାର ତଦନ୍ତ ଚଳାଇଛନ୍ତି । ଅଇଁଠାପାଲି ଥାନା ହାଜତ ନିରୀକ୍ଷଣ କରିବା ସହିତ ପୁଲିସ, କର୍ମଚାରୀମାନଙ୍କୁ କେଉଁ ପରିସ୍ଥିତିରେ ଅବିନାଶଙ୍କ ଜୀବନ ଗଲା, ତାହା ପଚାରିଛନ୍ତି । ଭାଲୁପାଲି ଗାଁକୁ ଯାଇ ଅବିନାଶଙ୍କ ମା, ଭାଇ ଓ ଅନ୍ୟ ସଂପର୍କୀୟଙ୍କ ବୟାନ ରେକର୍ଡ କରିଥିବା ଜଣାପଡ଼ିଛି ।