ଆପୋଲୋ ହସ୍ପିଟାଲ ନାଁରେ ସାଂଘାତିକ ଅଭିଯୋଗ । ପଞ୍ଜିକରଣ ବାତିଲ କରିବାକୁ ନିର୍ଦ୍ଦେଶ ଦେଲେ ଜାତୀୟ ମାନବଧିକାର କମିଶନ, ଜାଣନ୍ତୁ ପୂରା ଘଟଣା କଣ?

1,222

କନକ ବ୍ୟୁରୋ : ବେଆଇନ ଭାବେ ଅଙ୍ଗ ପ୍ରତିରୋପଣ କରି ବିବାଦ ଘେରକୁ ଆସିଯାଇଛି ଆପୋଲୋ ହସ୍ପିଟାଲ । ଏମିତିକି ଆପୋଲୋ ହସ୍ପିଟାଲର ପଞ୍ଜିକରଣ ବାତିଲ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଜାତୀୟ ମାନବାଧିକାର କମିଶନ । କେବଳ ଆପୋଲୋ ହସ୍ପିଟାଲ ନୁହେଁ ରାଜ୍ୟ ସରକାରଙ୍କ ଡିଏମଇଟିର ଭୂମିକାକୁ ନେଇ ବି କ୍ଷୁବ୍ଧ ହୋଇଛନ୍ତି ଜାତୀୟ ମାନବାଧିକାର କମିଶନ । କାହିଁକି ନାଁ ଜାଲ କାଗଜପତ୍ର ଜରିଆରେ ଚିକିତ୍ସା ବାହାନା କରି ବରଗଡ ଅଂଚଳର ଜଣେ ବ୍ୟକ୍ତିଙ୍କ କିଡନୀ କାଢି ନେଇ ଆଉ ଜଣେ ବ୍ୟକ୍ତିଙ୍କ ଠାରେ ପ୍ରତିରୋପଣ କରିଛି ଆପୋଲୋ ହସ୍ପିଟାଲ ।

ଘରୋଇ ହସ୍ପିଟାଲର ଏହି ବେପରୁଆ କାରନାମାର ପର୍ଦ୍ଦାଫାଶ ହେବା ପରେ ତଦନ୍ତ କରିଥିଲେ ମାନବାଧିକାର କମିଶନ । ଏହାସହ ଏଥିରେ ଆପୋଲୋ ହସ୍ପିଟାଲକୁ ଦୋଷୀ ସାବ୍ୟସ୍ତ କରିବା ସହ ହସ୍ପିଟାଲର ରେଜିଷ୍ଟ୍ରେସନ ବାତିଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଜାତୀୟ ମାନବାଧିକାର କମିଶନ ।

କେବଳ ଆପୋଲୋ ହସ୍ପିଟାଲ ନୁହେଁ ରାଜ୍ୟ ସରକାରଙ୍କ ଅଧିନରେ ଥିବା ଡିଏମଇଟି ଉପରେ ବି କ୍ଷୁବ୍ଧ ହୋଇଛନ୍ତି ଜାତୀୟ ମାନବାଧିକାର କମିଶନ । କାହିଁକି ନାଁ ଭାରତରେ ଅଙ୍ଗ ପ୍ରତିରୋପଣ ପାଇଁ ଟ୍ରାନ୍ସପ୍ଲାନଟେସନ ଅଫ ହ୍ରୁମାନ ଅର୍ଗାନ ଆଣ୍ଡ ଟିସ୍ୟୁ ଆକ୍ଟ ୧୯୯୪ ରହିଛି । ଏହି ଧାରା ଅଧିନରେ ଅଙ୍ଗ ପ୍ରତ୍ୟାରୋପଣ କରିବାକୁ ହେଲେ ରାଜ୍ୟସ୍ତରରେ ଜଣେ ବ୍ୟକ୍ତିଙ୍କୁ ଡିଏମଇଟିଙ୍କ ଠାରୁ ଅନୁମତି ଆଣିବାକୁ ପଡିବ । ଏମିତିକି ପରିବାର ସଦସ୍ୟ ଓ ନିକଟ ସମ୍ପର୍କୀୟ ହିଁ କିଡନୀ ଦାନ କରିପାରିବେ ବୋଲି ନିୟମ ରହିଛି । ହେଲେ ଜାଲ କାଗଜପତ୍ର ଜରିଆରେ ଏ ତମାମ ନିୟମକୁ ଖୋଲାଖୋଲି ଉଲ୍ଲଙ୍ଘନ କରାଯାଇଛି । ଆଉ ଡିଏମଇଟି ବି ଅତି ବେପରୁଆ ଢଙ୍ଗରେ କିଡନି ଦାନ ଓ ପ୍ରତିରୋପଣର ଅନୁମତି ଦେଇଛନ୍ତି । ଜାତୀୟ ମାନବାଧିକାର କମିଶନଙ୍କ ତଦନ୍ତ ପରେ ଏଭଳି କିଛି ସାଙ୍ଘାତିକ ଷଡଯନ୍ତ୍ରର ପର୍ଦ୍ଦାଫାସ ହୋଇଛି ।

୨୦୧୩ ମସିହାରେ ବରଗଡର ରାଘବ ରାମ ଦୋରାଙ୍କ କିଡନୀ ଖରାପ ହୋଇଯାଇଥିଲା । ସେହି ସମୟରେ ତାଙ୍କ ପଡୋଶୀ ଅନୀଲ ସ୍ୱାମୀଙ୍କ ଦେହ ବି ଖରାପ ହୋଇଥିଲା । ଏହି ସମୟରେ ରାଘବ ଦୋରାଙ୍କ ଭାଇ ଅନୀଲ ସ୍ୱାମୀଙ୍କୁ ଷଡଯନ୍ତ୍ରର ଜାଲରେ ପକାଇଥିଲେ । ରାଘବଙ୍କ ଭାଇମାନେ ପ୍ରଥମେ ବୁର୍ଲା ମେଡିକାଲକୁ ନେଇ ଅନୀଲଙ୍କ ଚିକତ୍ସା କରିବା ପରେ ତାଙ୍କୁ ଆପୋଲୋ ହସ୍ପିଟାଲ ନେଇଥିଲେ । ଏହାରି ଭିତରେ ଜାଲ କାଗଜପତ୍ର କରି ଅନୀଲଙ୍କ କିଡନୀ ବାହାର କରି ରାଘବ ଦୋରାଙ୍କ ଶରୀରରେ ପ୍ରତିରୋପଣ କରଯାଇଥିଲା ।

ଆପୋଲୋ ହସ୍ପିଟାଲରେ ଏହି ବେଆଇନ କିଡନୀ ପ୍ରତିରୋପଣ ହୋଇଥିବା ବେଳେ ସ୍ୱାସ୍ଥ୍ୟବିଭାଗ ଅଧିନରେ ଥିବା ଡିଏମଇଟି ବି ବେପରୁଆ ଭାବେ ଅନୁମତି ଦେଇଥିଲା । ଅନୀଲଙ୍କ କିଡନୀ କାଢିବା ପୂର୍ବରୁ ରାଘବଙ୍କ ଭାଇ ନିଜ ଭୋଟର ପତ୍ର ଓ ଅନୀଲଙ୍କ ଫଟୋ ନେଇ ଜାଲ କାଗଜପତ୍ର ପ୍ରସ୍ତୁତ କରିଥିଲେ । ଅନୀଲ ଅସୁସ୍ଥ ଥିବାରୁ ଚିକିତ୍ସା କରିବାକୁ କହି ରାଘବ ଓ ତାଙ୍କ ଭାଇମାନେ ଅନୀଲଙ୍କୁ ଆପୋଲୋ ହସ୍ପିଟାଲ ନେଇଯାଇଥିଲେ ।

୨୦୧୩ ମସିହାରେ ଆପୋଲୋ ହସ୍ପିଟାଲରେ ଅନୀଲଙ୍କ କିଡନୀ କଢାଯାଇ ରାଘବଙ୍କ ଶରୀରରେ ପ୍ରତିରୋପଣ ହୋଇଥିଲା । ହେଲେ କିଡନି କାଢିବା ବିଷୟରେ କିଛି ବି ଜାଣିପାରି ନଥିଲେ ଅନୀଲ,ଏମିତିକି ହସ୍ପିଟାଲ କତୃପକ୍ଷ ବି ତାଙ୍କୁ କୈାଣସି ସୂଚନା ଦେଇନଥିଲେ । ୨୦୧୬ରେ ଅନୀଲ ପୁଣିଥରେ ଅସୁସ୍ଥ ହେବାରୁ ଯେତେବେଳେ ଡାକ୍ତରଙ୍କୁ ପରାମର୍ଶ କଲେ ସେତେବେଳେ ଜଣାପଡିଲା ଅନୀଲଙ୍କ କିଡନୀ ନାହିଁ ।

ଅଙ୍ଗ ପ୍ରତିରୋପଣ ଅପରସନ ପୂର୍ବରୁ ଆପୋଲୋ ହସ୍ପିଟାଲ କାହିଁକି ତମାମ ଦସ୍ତାବିଜକୁ ଯାଞ୍ଚ କଲା ନାହିଁ? ଯଦି ଯାଞ୍ଚ କରାଯାଇଥିଲା ଅନୀଲଙ୍କ ଅପରେସନ ପୂର୍ବରୁ ଆପୋଲୋ ହସ୍ପିଟାଲ କର୍ତୃପକ୍ଷ କିଡନୀ କାଢିବା ସମ୍ପର୍କରେ ଅନୀଲଙ୍କୁ ଅବଗତ କରିଥିଲେ କି? ଆଉ ଏକ ବଡ କଥା ହେଉଛି କେମିତି ଜାଲ କାଗଜପତ୍ର ବିଷୟରେ ଜାଣିପାରିଲା ନାହିଁ ଡିଏମଇଟି? ବେଆଇନ କିଡନି ପ୍ରତିରୋପଣ ଅନୁମତି ଦେବା ପଛରେ ଡିଏମଇଟିର କୈାଣସି ଅଧୀକାରୀଙ୍କ ସମ୍ପୃକ୍ତି ରହିଛି କି? ପୂର୍ବରୁ ବି ଆପୋଲ ହସ୍ପିଟାଲ ବିରୋଧରେ ବେଆଇନ କିଡନି ପ୍ରତିରୋପଣ ଅଭିଯୋଗ ଆସିଥିିବାରୁ ଏହି ଘରୋଇ ହସ୍ପିଟାଲର ଭିତିରି କଥାକୁ ନେଇ ପ୍ରଶ୍ନ ଉଠିବା ସ୍ୱାଭାବିକ ।