ଛତିଶଗଡର ଛାତିରେ ଛନକା ! ମହାନଦୀ ଉପରେ ଚାଲିଥିବା ବେଆଇନ୍ ପ୍ରକଳ୍ପ ଉପରେ ରୋକ୍ ଲଗାଇଲେ ଏନଜିଟି

32

ଛତିଶଗଡକୁ ମହାନଦୀ ଝଟକା । ଛତିଶଗଡ ପ୍ରକଳ୍ପ ଉପରେ କଟକଣା ଜାରି କଲା ନ୍ୟାସନାଲ ଗ୍ରୀନ୍ ଟ୍ରିବ୍ୟୁନାଲ । ମହାନଦୀ ଉପରେ ଛତିଶଗଡ କରୁଥିବା ଏ-କ୍ୟାଟେଗୋରୀର ୬ଟି ପ୍ରକଳ୍ପ ଉପରେ ରହିତାଦେଶ ଜାରି କରିଛି ଏନଜିଟି । ପରିବେଶ ମଂଜୁରୀ ମିଳି ନଥିବାରୁ ଏହି ୬ଟି ପ୍ରକଳ୍ପ ଉପରେ ରହିତାଦେଶ ଜାରି ହୋଇଛି । ମହାନଦୀ ଉପରେ ଛତିଶଗଡ ୫୭ଟି ପ୍ରକଳ୍ପ ଉପରେ କାମ କରୁଛି । ୫୭ଟିରୁ ୫୧ଟି ପ୍ରକଳ୍ପ ସରିଥିବା ବେଳେ ୬ଟି ବାକି ରହିଛି । ଅଗଷ୍ଟ ୨୫ ତାରିଖରେ ଏହି ମାମଲାର ପରିବର୍ତ୍ତି ଶୁଣାଣି ହେବ ।

ଏହି ପ୍ରସଙ୍ଗ ଏବେ ରାଜ୍ୟ ରାଜନୀତିକୁ ସରଗରମ କରିଛି । ବିଜେଡି ସାଂସଦ ପ୍ରତାପ କେଶରୀ ଦେବ କହିଛନ୍ତି, ରାଜ୍ୟ ସରକାର ଯାହା କହିଆସୁଥିଲେ ଏନଜିଟି ସମାନ କଥା କହିଛନ୍ତି । ବେଆଇନ୍ ଭାବେ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଚାଲିଥିଲା । ସେହିଭଳି ବିଜେପି ବିଧାୟକ ପ୍ରଦୀପ ପୁହିତ ମତ ଦେଇ କହିଛନ୍ତି, ଆମେ ଏନଜିଟିଙ୍କ ନିଷ୍ପତ୍ତିକୁ ସ୍ୱାଗତ କରୁଛି । ତେବେ ରାଜ୍ୟ ସରକାର ଦୀର୍ଘ ଦିନ ଧରି ଶୋଇ ରହିଥିଲେ । ବିଳମ୍ବରେ ନିଦ ଭାଙ୍ଗିଥିବାରୁ ଆଜି ଏଭଳି ପରିସ୍ଥିତି ଉପୁଜିଛି ।

ମହାନଦୀ ପାଣିକୁ ନେଇ ଉଭୟ ଛତିଶଗଡ ଏବଂ ଓଡିଶା ସରକାର ମୁହାଁମୁହିଁ ହୋଇଛନ୍ତି । ରାଜ୍ୟ ସହ ବିନା ଆଲୋଚନାରେ ମହାନଦୀର ଉପରମୁଣ୍ଡରେ ହେଉଥିବା ନିର୍ମାଣ କାର୍ଯ୍ୟକୁ ଓଡିଶା ସରକାର ଲଗାତର ଭାବେ ବିରୋଧ କରି ଆସୁଛନ୍ତି । ତେବେ ବଡ କଥା ହେଉଛି, ଛତିଶଗଡ ସରକାର କହୁଛନ୍ତି, ମହାନଦୀରେ ତିଆରି ହୋଇଥିବା ବ୍ୟାରେଜ ଓଡିଶାକୁ ତାର ହକ୍ରୁ ବଂଚିତ କରୁନାହିଁ ବରଂ ଓଡିଶା ମହାନଦୀ ପାଣିକୁ ଉପଯୋଗ କରିବାରେ ବିଫଳ ହୋଇଛି । ସମୁଦ୍ରରେ ପାଣି ମିଶୁଥିଲେ ମଧ୍ୟ ତାକୁ ଉପଯୋଗ କରିବାରେ ନବୀନ ସରକାର ବିଫଳ ହୋଇଛନ୍ତି ।

ମହାନଦୀ ଉପରମୁଣ୍ଡରେ ତିଆରି ହେଉଥିବା ୭ଟି ବ୍ୟାରେଜ ନୂଆ ନୂଆ ବିବାଦକୁ ଜନ୍ମ ଦେଇଥିଲା । ଯେଉଁଥିରେ ଓଡିଶାକୁ ଅନ୍ଧାରରେ ରଖାଯାଇ ସମସ୍ତ କାର୍ଯ୍ୟ କରାଯାଉଥିବା ରାଜ୍ୟ ସରକାର ଅଭିଯୋଗ କରିଥିଲେ । କେଲୋ ଠାରୁ ଆରମ୍ଭ କରି କଲମା ପର୍ଯ୍ୟନ୍ତ ସବୁଥିରେ ଛତିଶଗଡ ନିଜ ମନମାନୀ କରୁଥିବା ରାଜ୍ୟ ସରକାର ଅଭିଯୋଗ କରିବା ସହ କେନ୍ଦ୍ରର ଦ୍ୱାରସ୍ଥ ମଧ୍ୟ ହୋଇଥିଲେ । ଦିଲ୍ଲୀରେ ଏନେଇ ଆଲୋଚନା ହୋଇଥିଲେ ବି କୌଣସି ସମାଧାନର ସୁତ୍ର ବାହାରି ପାରିନଥିଲା ।

ଏପରିକି କଲମା ବ୍ୟାରେଜକୁ କାର୍ଯ୍ୟକାରୀ କରାଇ ପାଣି ଅଟକାଇଥିଲା ଛତିଶଗଡ । ଫଳରେ ଅଣମୌସୁମୀ ସମୟରେ ମହାନଦୀରେ ପାଣି ପ୍ରବାହ ଯଥେଷ୍ଟ କମିଥିଲା । ରାଜ୍ୟ ସରକାର ତଥ୍ୟ ରଖି କହିଥିଲେ, ଏକପାଖିଆ ଭାବେ ଛତିଶଗଡ ପାଣି ଅଟକାଇବାକୁ ଯେଉଁ ନିଷ୍ପତ୍ତି ନେଇଛି ତାହା ତଳମୁଣ୍ଡରେ ସାଂଘାତିକ ସ୍ଥିତି ସୃଷ୍ଟି କରୁଛି । ତୁରନ୍ତ ଗେଟ୍ ଖୋଲିବାକୁ ନିର୍ଦ୍ଦେଶ ଦେବାକୁ ରମଣ ସିଂଙ୍କୁ ନବୀନ ପଟ୍ଟନାୟକ ଚିଠି ଲେଖିଥିଲେ ।

ମହାନଦୀ ବିବାଦ ସଂକ୍ରାନ୍ତରେ ସେପ୍ଟେମ୍ବର ୨୦୧୬ରେ ଏକ ତ୍ରିପାକ୍ଷିକ ବୈଠକ ବସିଥିଲା । ଯେଉଁଥିରେ କେନ୍ଦ୍ର ଜଳସଂପଦ ମନ୍ତ୍ରୀ ଉମା ଭାରତୀ, ଛତିଶଗଡ ମୁଖ୍ୟମନ୍ତ୍ରୀ ରମଣ ସିଂ ଏବଂ ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଲୋଚନା ପାଇଁ ଏକାଠି ହୋଇଥିଲେ । ତେବେ ଏଥିରୁ କୌଣସି ନିଷ୍କର୍ସ ବାହାରି ପାରିନଥିଲା । ନଭେମ୍ବର ୨୦୧୬ରେ ୱାଟର ଡିସପ୍ୟୁଟ ଆକ୍ଟ ୧୯୫୬ ଅଧୀନରେ ଟ୍ରିବ୍ୟୁନାଲ ଗଠନ କରିବାକୁ ଓଡିଶା ସରକାର ଦାବି କଲେ । ଡିସେମ୍ବର ୨୦୧୬ରେ ମାମଲାକୁ ସୁପ୍ରିମକୋର୍ଟକୁ ନେଲେ ରାଜ୍ୟ ସରଲାର । ତେବେ ସୂଚନା ଅନୁସାରେ ମହାନଦୀକୁ ନେଇ ଟ୍ରିବ୍ୟୁନାଲ ଗଠନ କରିବାକୁ କେନ୍ଦ୍ର ନିଷ୍ପତ୍ତି ନେଉଛି । ଆଉ ଏହାରି ଭିତରେ କାମ ବନ୍ଦ ରଖିବାକୁ ଛତିଶଗଡକୁ ନିର୍ଦ୍ଦେଶ ଦେଇଛନ୍ତି ଏନଜିଟି ।

ମୋଦି ସରକାରଙ୍କ ତିନି ବର୍ଷ ପୂର୍ତ୍ତି କାର୍ଯ୍ୟକ୍ରମରେ ଓଡିଶା ଆସି ଛତିଶଗଡ ମନ୍ତ୍ରୀ କହିଥିଲେ, ଟଙ୍କା ନେଇ ଶିଳ୍ପ ସଂସ୍ଥାକୁ ପାଣି ଦେଉଛୁ । କମ୍ପାନୀ ମାନଙ୍କ ଠାରୁ ୧୫ ବର୍ଷ ପାଇଁ ଜଳ କର ବାବଦରେ ଟଙ୍କା ନେଇଛନ୍ତି ଛତିଶଗଡ ସରକାର । ଆଉ ସେହି ଟଙ୍କାରେ ତିଆରି ହେଉଛି ବ୍ୟାରେଜ । ମହାନଦୀ ଉପରେ ଏକଚାଟିଆ ହକ୍ ଜାହିର କରିବାକୁ ଛତିଶଗଡ ଉଦ୍ୟମ ଆରମ୍ଭ କରିଥିବା ଅଭିଯୋଗ ହୋଇଥିଲା ।

ପୂର୍ବରୁ ମହାନଦୀ ବିବାଦ ନେଇ କେନ୍ଦ୍ର ସରକାରଙ୍କ ବୁଝାମଣା କମିଟିକୁ ନବୀନ ସରକାର ପ୍ରତ୍ୟାଖ୍ୟାନ କରିଥିଲେ । ଯାହାକୁ ନେଇ ରାଜନୀତି ମଧ୍ୟ ଜୋର ଧରିଥିଲା । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଥିଲେ, ମୁଖ୍ୟମନ୍ତ୍ରୀଙ୍କୁ ଭୁଲ୍ ପରାମର୍ଶ ଦିଆଯାଉଛି । ତାଙ୍କ ଦୁର୍ବଳତା ଲୁଚାଇବାକୁ ଯାଇ ମୁଖ୍ୟମନ୍ତ୍ରୀ ଓଡ଼ିଶାର ପ୍ରଭୃତ କ୍ଷତି କରୁଛନ୍ତି । ଏ ସଂକ୍ରାନ୍ତରେ ନବୀନ କେନ୍ଦ୍ରକୁ ଚିଠି ଲେଖି କହିଥିଲେ, କେନ୍ଦ୍ରୀୟ ଜଳ ଆୟୋଗର କମିଟି ଅସାମ୍ବିଧାନିକ । ସାମ୍ବିଧାନିକ ପଦପଦବୀରେ ଥିବା ବ୍ୟକ୍ତି କିମ୍ବା ମୁଖ୍ୟସଚିିବ କିମ୍ବା ଜଳସଂପଦ ସଚିବଙ୍କୁ ନେଇ କମିଟି ଗଠନ ହେବା କଥା । ଓଡ଼ିଶା-ଛତିଶଗଡ଼ ନଦୀ ବିବାଦରେ ଖୁବ୍ କମ ସଂପୃକ୍ତ ଥିବା ଝାଡ଼ଖଣ୍ଡ, ମହାରାଷ୍ଟ୍ର ଓ ମଧ୍ୟପ୍ରଦେଶକୁ ସାମିଲ କରିବାର କ’ଣ ଆବଶ୍ୟକତା ରହିଛି? ଏହା ପୁରା ପ୍ରକ୍ରିୟାକୁ ଅଯଥା ବିଳମ୍ବ କରିବ ।

ମହାନଦୀ ପ୍ରସଙ୍ଗରେ ଆଇନଗତ ଲଢେଇ ଲଢିବାକୁ ପୂର୍ବରୁ ରାଜ୍ୟ ସରକାର ସ୍ପଷ୍ଟ କରିସାରିଥିଲେ । ଗୋଟିଏ ପଟେ ଟ୍ରିବୁନାଲ ଗଠନ ପାଇଁ ପ୍ରସ୍ତାବ ଦିଆଯାଇଛି, ଅନ୍ୟପଟେ ସୁପ୍ରିମକୋର୍ଟରେ ବି ପିଟିସନ କରାଯାଇଛି । ବିଧାନସଭାରେ ବିବୃତ୍ତି ରଖି ମୁଖ୍ୟମନ୍ତ୍ରୀ ତଥା ଜଳସଂପଦ ମନ୍ତ୍ରୀ କହିଥିଲେ, ଛତିଶଗଡ ସରକାର କରୁଥିବା ବେଆଇନ ନିର୍ମାଣ ବିରୋଧରେ ସୁପ୍ରିମକୋର୍ଟରେ ଏକ ଇଞ୍ଜେକ୍ସନ ସୁଟ କରିଛି ଓଡିଶା । ଏପରିକି ବିବାଦର ସମାଧାନ ପାଇଁ ଗତ ନଭେମ୍ବର ୨୨ ତାରିଖରେ ଏକ ଟ୍ରିବୁନାଲ ଗଠନ କରିବାକୁ କେନ୍ଦ୍ର ସରକାରଙ୍କ ନିକଟରେ ବୈଧାନିକ ଅଭିଯୋଗ କରାଯାଇଛି । ଆନ୍ତଃରାଜ୍ୟ ଜଳ ବିବାଦ ଆଇନ ୧୯୫୬ ଅନୁଯାୟୀ ଏହି ଅଭିଯୋଗ କରାଯାଇଥିବା ନବୀନ ପଟ୍ଟନାୟକ କହିଥିଲେ ।

ହେଲେ ଏହାରି ଭିତରେ, ସରକାରଙ୍କ ତଥ୍ୟ ଉପରେ ପ୍ରଶ୍ନ ଉଠାଇଥିଲେ, ଖୋଦ ସରକାରୀ ଦଳର ଫ୍ୟାକ୍ଟ ଫାଇଣ୍ଡିଂ ଟିମ ସଦସ୍ୟ । ଓଡିଶା ସରକାର ମହାନଦୀ ପ୍ରସଙ୍ଗରେ ଦିଲ୍ଲୀ ବୈଠକରେ ରଖିଥିବା ତଥ୍ୟ କେତେ ଯୁକ୍ତିଯୁକ୍ତ, ତା ଉପରେ ସାଂଘାତିକ ପ୍ରଶ୍ନବାଚୀ ତିଆରି ହୋଇଥିଲା । ରାଜ୍ୟ ସରକାର କାହିଁକି କହିଲେ, ମହାନଦୀରେ ଛତିଶଗଡର ବ୍ୟାରେଜ ନିର୍ମାଣ ଫଳରେ ପରିବେଶ ପ୍ରଭାବିତ ହେବ? ମହାନଦୀରେ ଜଳ ପ୍ରବାହ କମିଯିବା ଦ୍ୱାରା ଏହାର ପ୍ରଭାବ ପରିବେଶ ଉପରେ ପଡିବ । ଓଡିଶା ସରକାରଙ୍କ ଏ ଆଶଙ୍କା କେତେ ଯୁକ୍ତିଯୁକ୍ତ ? ଅଣମୌସୁମୀ ସମୟରେ ଚିଲିକା ଓ ଭିତରକନିକାକୁ ମହାନଦୀ ପାଣି ଯାଇନଥାଏ । ତେଣୁ ଜଳ ପ୍ରବାହ କମିଗଲେ ଏଗୁଡିକ ପ୍ରଭାବିତ ହେବା ଯୁକ୍ତି କ’ଣ ଠିକ ? ଛତିଶଗଡରେ ୬ଟି ଯାକ ବ୍ୟାରେଜ ନିର୍ମାଣ ଗତ ୫-୬ ବର୍ଷ ହେଲା ଚାଲିଛି ବୋଲି ଓଡିଶା ସରକାରଙ୍କୁ ଜଣାଥିଲେ ମଧ୍ୟ ବିଳମ୍ବରେ କାହିଁକି ବିରୋଧ କରୁଛନ୍ତି ? କିଛି ଏଭଳି ଦିଗକୁ ନେଇ ପ୍ରଶ୍ନବାଚୀ ତିଆରି ହୋଇଥିଲା ।

ହେଲେ ଏହାରି ଭିତରେ ଏନଜିଟିକିନ୍ତୁ ଛତିଶଗଡ ସରକାରକୁ ଜୋରଦାର ଧକ୍କା ଦେଇଛି । ତେବେ ଏହି ପ୍ରସଙ୍ଗକୁ ନେଇ ରାଜନୀତି ଆଗକୁ ବଢୁଛି, ନା ପ୍ରସଙ୍ଗର ସମାଧାନାର ସୁତ୍ର ବାହାରୁଛି, ଏବେ ତାକୁ ଅପେକ୍ଷା ।