ଗଙ୍ଗା ନଦୀରେ ଆବର୍ଜନା ପକାଇଲେ ୫୦,୦୦୦ ଟଙ୍କା ଜରିମାନା : ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲ

116

ପବିତ୍ର ଗଙ୍ଗା ନଦୀକୁ ସ୍ୱଚ୍ଛ ରଖିବାକୁ କେନ୍ଦ୍ର ସରକାର ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରିଥିଲେ ସୁଦ୍ଧା ଲୋକଙ୍କ ମାନସିକତାରେ ପରିବର୍ତ୍ତନ ଘଟୁନାହିଁ । ଏପରିସ୍ଥଳେ ସ୍ଥିତି ସୁଧୁରିବା ପରିବର୍ତ୍ତେ ଗଙ୍ଗା ନଦୀର ସୁରକ୍ଷା ଅଧିକ ବିପନ୍ନ ହୋଇପଡୁଛି । ଏନେଇ ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲ (ଏନଜିଟି) ଗୁରୁବାର ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି । ଗଙ୍ଗା ନଦୀ କୂଳରୁ ୫୦୦ ମିଟର ପରିସୀମା ଭିତରେ ଆବର୍ଜନା ପକାଉଥିବା ବ୍ୟକ୍ତି କିମ୍ବା କଳ କାରଖାନା ମାଲିକଙ୍କ ଉପରେ ୫୦,୦୦୦ ଟଙ୍କା ଜୋରିମାନା ଲାଗୁ କରାଯିବ ବୋଲି ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲ ନିଷ୍ପତି ନେଇଛନ୍ତି ।

ଟ୍ରିବ୍ୟୁନାଲ ପ୍ରଥମ ପର୍ଯ୍ୟାୟରେ ଉତ୍ତରାଖଣ୍ଡର ହରିଦ୍ୱାର ଠାରୁ ଉନାଓ ପର୍ଯ୍ୟନ୍ତ ୫୦୦ କିମି ଦୂରତ୍ୱରେ ପ୍ରବାହିତ ଗଙ୍ଗା ନଦୀକୁ ସ୍ୱଚ୍ଛ କରିବାକୁ ଉଦ୍ୟମ ଆରମ୍ଭ କରିଛନ୍ତି । ଏହି ୫୦୦ କିମି ମଧ୍ୟରେ ଛୋଟବଡ ୮୬ଟି ନଳାର ଦୂଷିତ ପାଣି ଗଙ୍ଗାରେ ପଡୁଥିବା ଜଣାପଡିଛି । ନଦୀକୂଳରୁ ୧୦୦ ମିଟର ପର୍ଯ୍ୟନ୍ତ ଅଞ୍ଚଳରେ କୌଣସି ଉନ୍ନତିମୂଳକ କାର୍ଯ୍ୟ କରାଯିବ ନାହିଁ ବୋଲି ଏନଜିଟି ନିର୍ଦେଶ ଦେଇଛନ୍ତି । ଆସନ୍ତା ଛଅ ସପ୍ତାହ ମଧ୍ୟରେ ୮୬ଟି ନଳା ମୁହଁକୁ ବନ୍ଦ କରିବାକୁ ବିଭାଗୀୟ କର୍ମଚାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

ଗଙ୍ଗା ନଦୀର ସ୍ୱଚ୍ଛତା କû~ýðକ୍ରମକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାତୀୟ ପ୍ରକଳ୍ପ ଭାବେ ଘୋଷଣା କରିବା ସହ ଏ ବାବଦରେ କୋଟି କୋଟି ଟଙ୍କାର ବ୍ୟୟବରାଦ କରିଛନ୍ତି । ୧୯୮୬ରୁ ୨୦୧୭ ଜୁନ ୩୦ ପର୍ଯ୍ୟନ୍ତ  କେନ୍ଦ୍ରରେ କ୍ଷମତାରେ ରହୁଥିବା ବିଭିନ୍ନ ସରକାର ଗଙ୍ଗାନଦୀ ପ୍ରସଙ୍ଗରେ କୋଟି କୋଟି ଟଙ୍କା ଖର୍ଚ୍ଚ କରିସାରିଥିଲେ ମଧ୍ୟ ଏଯାଏଁ ସେପରି କିଛି ଆଖିଦୃଶିଆ ସଫଳତା ମିଳିନାହିଁ ।

ବର୍ତ୍ତମାନ ଟ୍ରିବ୍ୟୁନାଲ ଦେଇଥିବା ରାୟକୁ କଡାକଡିଭାବେ କାର୍ଯ୍ୟକାରୀ କରିବାକୁ ଏନଜିଟି ଅଧ୍ୟକ୍ଷ ନିର୍ଦ୍ଦେଶ ଦେଇଛନ୍ତି । ବାରାଣସୀ, ଆହ୍ଲାବାଦ, ଗୟା ଭଳି ସହର ଦେଇ ଗଙ୍ଗା ନଦୀ ପ୍ରବାହିତ ହୋଇଥିବାବେଳେ ଏଠାରେ ଗଙ୍ଗାପାଣି ପିଇବା ଉପଯୁକ୍ତ ନୁହେଁ ବୋଲି ଏକ ସର୍ଭେରୁ ଜଣାପଡିଛି । ଏଥିରୁ ଗଙ୍ଗା କେତେ ପ୍ରଦୂଷିତ ତାହା ସହଜରେ ଅନୁମେୟ ।

ଗଙ୍ଗା ଭାରତର ସବୁଠାରୁ ପବିତ୍ର ନଦୀ ହୋଇଥିବାରୁ ଏହାର ସ୍ୱଚ୍ଛତା ପ୍ରତି କେନ୍ଦ୍ର ଓ ଏହାସହ ସଂଯୁକ୍ତ ରାଜ୍ୟ ସରକାର ସମାନ ପରିମାଣରେ ସଚେତନ ହେବା ଉଚିତ୍ ବୋଲି ଟ୍ରିବ୍ୟୁନାଲ ପକ୍ଷରୁ କୁହାଯାଇଛି । ଏହି ପ୍ରକଳ୍ପକୁ କାର୍ଯ୍ୟକାରୀ କରିବା ପାଇଁ ପରିବେଶ ମନ୍ତ୍ରାଳୟ, ରାଜ୍ୟ ସରକାରଙ୍କ ଅଧିକାରୀ ଓ ପରିବେଶବିତଙ୍କୁ ନେଇ ତଦାରଖ କମିଟି ଗଠନ କରିବାକୁ ଟ୍ରିବ୍ୟୁନାଲ ନିର୍ଦ୍ଦେଶ ଦେଇଛନ୍ତି ।