ଅସହାୟଙ୍କ ଆଶା ‘କ୍ଲିନ ସିଟି’: ସମାଜ ଆଖିରେ ବୋଝ ସାଜିଥିବା ମଣିଷଙ୍କୁ ଦେବତା ଭଳି ସେବା କରନ୍ତି, ମଉଳା ଓଠରେ ହସ ଫୁଟାନ୍ତି

151

କନକ ବ୍ୟୁରୋ: ସେମାନେ ଘୃଣ୍ୟ ନୁହଁନ୍ତି, ଅସ୍ପୃଶ୍ୟ ନୁହଁନ୍ତି, ସମାଜ ପାଇଁ ସେମାନେ ପର ନୁହଁନ୍ତି କି ବୋଝ ବି ନୁହଁନ୍ତି । ହୁଏତ ସେମାନେ କିଛି ବୁଝି ପାରୁନାହାନ୍ତି କି କାହାରିକୁ ଜାଣି ପାରୁନାହାନ୍ତି । ହେଲେ ସବୁ ପରେ ବି ସେମାନେ ଜଣେ ଜଣେ ମଣିଷ । ଆମ ପରି ସେମାନଙ୍କ ଦେହରେ ବି ଜୀବନ ଅଛି, ସମାଜରେ ବଞ୍ଚିବାର ଅଧିକାର ଅଛି । ତେଣୁ ସେମାନଙ୍କୁ ସାହାଯ୍ୟ କରିବା ଆମର ଦାୟିତ୍ୱ… ବୋଧହୁଏ ଏଇ କଥାକୁ ଭଲଭାବେ ବୁଝି ସମାଜ ପାଇଁ ଅଦରକାରୀ ହୋଇପଡିଥିବା ମଣିଷମାନଙ୍କ ସେବା ପାଇଁ ଆଗେଇ ଆସିଛନ୍ତି ଏଇ ହୃଦୟବାନ ବ୍ୟକ୍ତିମାନେ ।

ମାନସିକ ଅନଗ୍ରସର ବ୍ୟକ୍ତିଙ୍କ ସେବା ପାଇଁ ବ୍ରହ୍ମପୁରରୁ ଯାଇ ଗୁଣପୁରରେ ପହଞ୍ଚିଛନ୍ତି କ୍ଲିନ ସିଟି ସ୍ୱେଚ୍ଛାସେବୀ ସଙ୍ଗଠନର ସଦସ୍ୟମାନେ । ଆଉ ସେଠାରେ ପହଞ୍ଚି ରାସ୍ତା କଡରେ ବୁଲୁଥିବା, ବେସାହାରା ହୋଇ ପଡିଥିବା ୩ ଜଣ ବ୍ୟକ୍ତିଙ୍କୁ ଉଦ୍ଧାର କରିଥିଲେ । ମୁହଁରେ ବଢି ଯାଇଥିବା ଦାଢି, ମୁଣ୍ଡରେ ବଢିଯାଇଥିବା ଚୁଟି ଆଉ ହାତର ବଢିଲା ନଖକୁ କାଟି ସେମାନଙ୍କୁ ଭଲକରି ଗାଧୋଇ ଦେଇଥିଲେ । ତେବେ ସଫାସୁତୁରା କରିବା ପରେ ସେମାନଙ୍କୁ ନୂଆ ଲୁଗା ଦେଇ ପେଟେ ଖୁଆଇଥିଲେ ।

ତେବେ ମାନବ ସେବାକୁ ମାଧବ ସେବା ଭାବି ଜିଲ୍ଲା ଜିଲ୍ଲା ବୁଲି ନିରାଶ୍ରୟଙ୍କୁ ସାହାଯ୍ୟ କରୁଥିବା ଏ ଟିମ ବ୍ରହ୍ମପୁର, ଗଞ୍ଜାମ ଓ ଗଜପତିରେ କିଛି ଦିନ ହେବ ଏଭଳି ପ୍ରୟାସ କରି ଆସୁଛନ୍ତି । ଶୀତ କାକରରେ ରହୁଥିବା ଏ ଅସହାୟଙ୍କ ଦୁଃଖ ଦେଖି ସାମାଜର ସବୁ ବର୍ଗର ଲୋକେ ଆଗେଇ ଆସନ୍ତୁ ବୋଲି ଟିମ ସଦସ୍ୟମାନେ ଅନୁରୋଧ କରିଛନ୍ତି । ଯାହା ଫଳରେ ସମାଜରେ ସେମାନଙ୍କୁ କେହି ଦୂର… ଦୂର… ଖିନ ଖିନ କହିବେନି…