NFHS ରିପୋର୍ଟ ! ବାଲ୍ୟ ବିବାହ ନେଇ ଦେଶରେ ୧୧ଟି ରାଜ୍ୟର ଦୟନୀୟ ସ୍ଥିତି, ଓଡ଼ିଶାକୁ ନେଇ କ’ଣ କହୁଛି ସର୍ଭେ ରିପୋର୍ଟ !

ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ଭେ ରିପୋର୍ଟ ଅନୁସାରେ ବାଲ୍ୟ ବିବାହ କ୍ଷେତ୍ରରେ ୧୦ ବର୍ଷର ରେକର୍ଡ଼ ଭାଙ୍ଗିଛି ପଶ୍ଚିମବଙ୍ଗ ।

212

କନକ ବ୍ୟୁରୋ: ବାଲ୍ୟ ବିବାହ ନେଇ ଦେଶରେ ସବୁଠୁ ଆଗରେ ରହିଛି ପଶ୍ଚିମବଙ୍ଗ । ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ଭେ ରିପୋର୍ଟ ଅନୁସାରେ ବାଲ୍ୟ ବିବାହ କ୍ଷେତ୍ରରେ ୧୦ ବର୍ଷର ରେକର୍ଡ଼ ଭାଙ୍ଗିଛି ପଶ୍ଚିମବଙ୍ଗ । ୨୦୦୫ ମସିହାରେ ବିହାରରେ ସର୍ବାଧିକ ବାଲ୍ୟ ବିବାହ ଘଟଣା ଘଟିଥିବାବେଳେ ଏବେ ବିହାରକୁ ପଛରେ ପକାଇଛି ପଶ୍ଚିମବଙ୍ଗ ।

ବାଲ୍ୟ ବିବାହ କ୍ଷେତ୍ରରେ ଜାତୀୟ ହାର ୧୧.୯% ଥିବାବେଳେ ବର୍ତ୍ତମାନ ପଶ୍ଚିମବଙ୍ଗର ହାର ୨୫.୬% ରହିଛି । ଅନ୍ୟପଟେ ୨୦୦୫ ମସିହାରେ ବିହାରରେ ୪୭.୮% ବାଲ୍ୟ ବିବାହ ହେଉଥିବାବେଳେ ବର୍ତ୍ତମାନ ଏହା ୧୯.୭%କୁ ହ୍ରାସ ପାଇଛି । ତଥାପି ଜାତୀୟ ବାଲ୍ୟ ବିବାହ ତୁଳନା ଠାରୁ ୭.୮% ଅଧିକ ରହିଛି । ସେହିଭଳି ଉତ୍ତରପ୍ରଦେଶ, ପଞ୍ଜାବ, ଜମ୍ମୁ-କାଶ୍ମୀର, ଉତ୍ତରଖଣ୍ଡ, ସିକିମ୍ , ମିଜୋରାମ ଏବଂ କେରଳ ଭଳି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ବାଲ୍ୟ ବିବାହ ରେକର୍ଡ ପ୍ରଂଶନୀୟ ରହିଛି ।

ଅନ୍ୟପଟେ ଓଡ଼ିଶା ମଧ୍ୟ ବିଗତ ୧୦ ବର୍ଷର ଇତିହାସ ବଦଳାଇଛି । ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ଭେ ରିପୋର୍ଟ ଅନୁସାରେ ଗତ ୨୦୦୫ ମସିହାରେ ଓଡ଼ିଶାରେ ପ୍ରାୟ ୨୦.୩% ବାଲ୍ୟ ବିବାହ ହେଉଥିବାବେଳେ ବର୍ତ୍ତମାନ ଏହା ହ୍ରାସ ପାଇ ୧୦%କୁ ଛୁଇଁଛି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଯେ, ୧୫ରୁ ୧୮ ବର୍ଷ ମଧ୍ୟରେ ନାବାଳିକା ମାନଙ୍କ ବିବାହ ହେଉଥିବା ନେଇ ସର୍ଭେ କରାଯାଇଥିବା ଏହି ରିପୋର୍ଟରେ ଓଡ଼ିଶା ମଧ୍ୟ ସଚେତନତା ଆପଣାଉଛି ।

ଦେଶରେ ବାଲ୍ୟ ବିବାହ ବିଶେଷ କରି ଗାଁ ମାନଙ୍କରେ ହେଉଥିବାବେଳେ ସହରୀ ଲୋକ ଏଥିପ୍ରତି ବେଶ୍ ସଚେତନ ଅଛନ୍ତି ବୋଲି ସର୍ଭେ ରିପୋର୍ଟ କହୁଛି । ସେହିଭଳି ଜଣେ ନାବାଳିକା ଗର୍ଭଧାରଣ କରିବା ବାଲ୍ୟ ବିବାହର ମୂଖ୍ୟ କାରଣ ହୋଇଥିବାବେଳେ ୧୫ରୁ ୧୯ ବର୍ଷ ବୟସର ଝିଅ ମାନଙ୍କ ମଧ୍ୟରୁ ପ୍ରତି ୩ଜଣରେ ଜଣେ ନାବାଳିକା ଗର୍ଭବତୀ ହେଉଛନ୍ତି ବୋଲି ସର୍ଭେ ରିପୋର୍ଟ କହୁଛି । ଏହି ପରିପ୍ରେକ୍ଷୀରେ ଗୋଆର ସ୍ଥାନ ପ୍ରଥମ ରହିଥିବାବେଳେ ଦ୍ୱିତୀୟରେ ମିଜୋରାମ ଏବଂ ତୃତୀୟରେ ମେଘାଳୟ ରହିଛି ।