ସେବାୟତ ଗଢିବା ପାଇଁ ହେବ ଗୁରୁକୁଳ ! ସିବିଏସଇ ଢାଞ୍ଚାରେ ପଢିବେ ପାଠ, ଜଗନ୍ନାଥ ମନ୍ଦିରରେ କରିବେ ପ୍ରାକ୍ଟିକାଲ

35

କନକ ବ୍ୟୁରୋ : ଶ୍ରୀମନ୍ଦିର ସଂସ୍କାର ପାଇଁ ସୁପ୍ରିମକୋର୍ଟଙ୍କ ଅନ୍ତରୀଣ ଆଦେଶ ମଧ୍ୟରେ ବଂଶାନୁକ୍ରମିକ ସେବା ପ୍ରଥା ଉଚ୍ଛେଦ ପ୍ରସ୍ତାବ ରଖିଛନ୍ତି। ଏହି ପ୍ରସ୍ତାବକୁ ଶ୍ରୀମନ୍ଦିର ପ୍ରଶାସନ ଗୁରୁତ୍ୱର ସହ ବିଚାରକୁ ନେଇଛି। ପୁରୀ ଗସ୍ତରେ ଆସିଥିବା ଆମିକସ୍ କ୍ୟୁରିଙ୍କୁ ମଧ୍ୟ ସବିଶେଷ ବିବରଣୀ ଉପସ୍ଥାପନ କରିଛି। ଶ୍ରୀଜଗନ୍ନାଥ ମନ୍ଦିରର ସେବା, ପୂଜା ସ୍ୱତନ୍ତ୍ର ହୋଇଥିବା କାରଣରୁ ବଂଶାନୁକ୍ରମିକ ସେବକ ପ୍ରଥା ଉଚ୍ଛେଦ ନ କରି ଏହି ସଂଖ୍ୟା କମାଇବାକୁ ପ୍ରସ୍ତାବ ରଖିଛନ୍ତି। ସେବକ ସଂଖ୍ୟା ହ୍ରାସ ହେଲେ ଆଗାମୀ ପିଢିରେ ସେବକ ସଙ୍କଟ ଉପୁଜିବାର ସମ୍ଭାବନା ରହିଥିବାରୁ ଏ ନେଇ ବିକଳ୍ପ ବ୍ୟବସ୍ଥା ସଂପର୍କରେ ମଧ୍ୟ ଆମିକସ୍ କ୍ୟୁରିଙ୍କୁ ସୂଚନା ଦିଆଯାଇଛି।

ବଂଶାନୁକ୍ରମିକ ସେବକ ପ୍ରଥା ଉଚ୍ଛେଦ ନ କରି ବିକଳ୍ପ ସେବାୟତ ସନ୍ଧାନ କରିବାକୁ ନିଷ୍ପତ୍ତି ହୋଇଛି। ସେବକ ସଂଖ୍ୟା ହ୍ରାସ କରି ଦ୍ୱିତୀୟ ପିଢ଼ିରେ ଉଚ୍ଚଶିକ୍ଷିତ ସେବାୟତ ତିଆରି ପାଇଁ ପ୍ରଶାସନ ପକ୍ଷରୁ ସେବାୟତ ଗୁରୁକୁଳ ପ୍ରତିଷ୍ଠା ପ୍ରସ୍ତାବକୁ ଖୁବଶୀଘ୍ର କାର‌୍ୟ୍ୟକ୍ଷମ କରିବାକୁ ନିଷ୍ପତ୍ତି ହୋଇଛି। ଏହି ପ୍ରକ୍ରିୟାକୁ ତ୍ୱରାନ୍ଵିତ କରିବାକୁ ମଧ୍ୟ ଆଲୋଚନା ହୋଇଛି। ସେବକ ସଂପ୍ରଦାୟର ପିଲାମାନେ ଏହି ଗୁରୁକୁଳରେ ରହି ଅଧ୍ୟୟନ କରିବେ। ସେମାନେ ଅନ୍ୟ ଛାତ୍ରଛାତ୍ରୀଙ୍କ ଭଳି ସିବିଏସଇ ପାଠ୍ୟକ୍ରମରେ ପାଠ ପଢିବେ। ତେବେ ଗୁରୁକୁଳରେ ସେମାନଙ୍କୁ ଶାସ୍ତ୍ର ସମ୍ବନ୍ଧୀୟ ଜ୍ଞାନ ଶିକ୍ଷା ଦିଆଯିବ। ସେମାନେ ବେଦ, ଉପନିଷଦ, ଜଗନ୍ନାଥ ସଂସ୍କୃତି ସମ୍ପର୍କରେ ଅଧ୍ୟୟନ କରିବେ।

ମହାପ୍ରଭୁଙ୍କ ସେବା ପାଇଁ ଆବଶ୍ୟକ ସେବକ ତିଆରି କରିବା ପାଇଁ ଶ୍ରୀଜଗନ୍ନାଥ ମନ୍ଦିରରେ ସେମାନଙ୍କ ପ୍ରାକ୍ଟିକାଲ କରାଯିବ। ସେବକ ସଂପ୍ରଦାୟର ପିଲାଙ୍କୁ ସଂପୂର୍ଣ୍ଣ ମାଗଣାରେ ଶିକ୍ଷା ଦିଆଯିବ। ଫଳରେ ବଂଶାନୁକ୍ରମ ସେବା, ପୂଜା ପରମ୍ପରାକୁ ନେଇ ଆଉ ସଙ୍କଟ ରହିବ ନାହିଁ ବୋଲି ଜଣାପଡ଼ିଛି। ଗୁରୁକୁଳ ସମ୍ପର୍କରେ ମଧ୍ୟ ଆମିକସ୍ କ୍ୟୁରିଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି। ସୂଚନାଯୋଗ୍ୟ, ସେବାୟତ ଗୁରୁକୁଳ ପାଇଁ ମାଳତୀପୁଟ ନିକଟ ସମଗରା ଅଞ୍ଚଳରେ ପ୍ରାୟ ଦଶ ଏକର ଜମି ଅଧିଗ୍ରହଣ ସରିଛି। ଆସନ୍ତା ବର୍ଷରୁ ଏଠାରେ ପାଠପଢ଼ା ପାଇଁ ପ୍ରକ୍ରିୟା ଆରମ୍ଭ ହେବ ବୋଲି ଜଣାପଡିଛି।