ଆହୁରି ୨୪ ଘଣ୍ଟା ବର୍ଷିବ, ୬୦ କିଲୋମିଟର ବେଗରେ ପବନ ବହିବ ! ସର୍ତକ ସୂଚନା ଜାରି କଲା ପାଣିପାଗ ବିଭାଗ

43

କନକ ବ୍ୟୁରୋ : ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଘନୀଭୂତ ହୋଇ ଏବେ ଅବପାତରେ ପରିଣତ ହୋଇଛି । ଏହା ଗୋପାଳପୁର ଠାରୁ ଦକ୍ଷିଣ, ଦକ୍ଷିଣ-ପଶ୍ଚିମ ଦିଗରେ ୩୧୦ କିଲୋମିଟର ଦୂରରେ ରହିଛି । ଏହା ଆସନ୍ତା ୨୪ ଘଂଟା ମଧ୍ୟରେ ଉତର, ଉତର ପୂର୍ବ ଦିଗରେ ଗତି କରିବ । ଏହାର ଗତିପଥ ଉତର ଆନ୍ଧ୍ର ଓ ଦକ୍ଷିଣ ଓଡିଶା ଉପକୂଳର ଅତି ପାଖରେ ରହିବ । ଏହି ଦିଗରେ ଆଗକୁ ଗତି କରିବା ସହ ଧିରେ ଧିରେ ଦୁର୍ବଳ ହେବ ବୋଲି ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ । ଏହାର ପ୍ରଭାବରରେ ଆସନ୍ତା ୩୬ ଘଂଟା ମଧ୍ୟରେ ଉପକୂଳ ଓଡିଶାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ସେହିପରି ଆଭ୍ୟନ୍ତରୀଣ ଓଡିଶାରେ କେତେକ ସ୍ଥାନରେ ମଧ୍ୟ ବର୍ଷା ହୋଇପାରେ ବୋଲି ଆଇଏମଡି ସୂଚନା ଦେଇଛି ।

rain1ରାଜ୍ୟର ଗଜପତି, ଗଂଜାମ, ଖୋର୍ଦ୍ଧା, ଜଗତସିଂହପୁର, ଭଦ୍ରକ, ପୁରୀ, ବାଲେଶ୍ୱର, ଭୁବନେଶ୍ୱର ଓ କଟକରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ସେହିପରି ପବନର ବେଗ ୬୦ କିଲୋମିଟର ଯାଏଁ ହୋଇପାରେ ବୋଲି ପାଣିପାଗ ବିଭାଗ ଆକଳନ କରିଛି । ତେବେ ଏହାର ପ୍ରଭାବରେ ଉପକୂଳ ଓଡିଶାରେ ଅଧିକ ବର୍ଷା ହୋଇଛି । ପଶ୍ଚିମ ଓଡିଶାରେ ସେତେଟା ବର୍ଷା ହୋଇନଥିବା କହିଛନ୍ତି ଏସଆରସି ବିଷ୍ଣୁ ପଦସେଠୀ । ଦକ୍ଷିଣ ଓଡିଶାର ଗଜପତି ଓ ଗଂଜାମ ବ୍ୟତୀତ ଅନ୍ୟ କେଉଁଠି ବର୍ଷା ହୋଇନି । ପୁରୀରେ ୫୬ ମିଲିମିଟର, ଜଗତସିଂହପୁରରେ ୫୨.୩ ମିଲିମିଟର , ଗଜପତିରେ ୪୪.୩, କେନ୍ଦ୍ରାପଡାରେ ୪୪, ଗଂଜାମରେ ୩୯.୩ ମିଲିମିଟର ବର୍ଷା ରେକର୍ଡ କରାଯାଇଛି ।

ବର୍ଷା ଜନିତ ଫସଲ କ୍ଷୟକ୍ଷତି ନେଇ ପ୍ରତିକ୍ରିୟା ରଖିଛନ୍ତି ସ୍ୱତନ୍ତ୍ର ରିଲିଫ କମିସନର ବିଷ୍ଣୁ ପଦ ସେଠୀ । କୃଷି ବିଭାଗ ଫସଲ କ୍ଷୟକ୍ଷତିି ନେଇ ତର୍ଜମା କରୁଛି, କ୍ଷେତ୍ରାଧିକାରୀଙ୍କୁ ସୂଚନା ଦିଆଯାଇଛି । ଚାଷୀଙ୍କ ପାଇଁ ପରାମର୍ଶ ଜାରି ହୋଇଛି । ବର୍ଷା ସରିବା ପରେ କ୍ଷକ୍ଷୟତି ଆକଳନ କରାଯିବ ବୋଲି ଏସଆରସି ସୂଚନା ଦେଇଛନ୍ତି । ଯେଉଁ ସ୍ଥାନରେ ୧୨୪.୫ ମିମିରୁ ଅଧିକ ବର୍ଷାର ଆକଳନ ହେବ ତାକୁ ପ୍ରାକୃତିକ ବିପର୍ଯ୍ୟୟରେ ସାମିଲ କରିବା ପାଇଁ ତର୍ଜମା ହେବ । ପ୍ରଥମେ ମରୁଡ଼ି ସ୍ଥିତି, ପରେ ଚକଡ଼ା ପୋକ ଆଉ ଏବେ ଲଘୁଚାପ ବର୍ଷା ।ଗୋଟିଏ ପରେ ଗୋଟିଏ ସଂକଟ ଚାଷୀଙ୍କ ସମସ୍ୟାକୁ ବଢ଼ାଇ ଦେଉଛି ।

ଅଦିନିଆ ବର୍ଷାରେ ବିଲରେ ଭିଜୁଛି ଚାଷୀର ସ୍ୱପ୍ନ । ମରୁଡି ଏବଂ ଚକଡ଼ା ପୋକ ପରେ ଚାଷୀଙ୍କ ଅଂଟାକୁ ଭାଙ୍ଗି ଦେଇଛି ଲଘୁଚାପ ଜନିତ ବର୍ଷା । ପିପିଲିରେ ଚାଷ ଜମିରେ ପାଣି ମାଡିଯାଇଛି । ବର୍ଷା ପାଣି ଯୋଗୁଁ ଧାନ ଫସଲ ଜମିରେ ଶୋଇରହିଛି । ଚାଷୀ ଧାନ କାଟି ସୁରକ୍ଷିତ ସ୍ଥାନକୁ ବୋହି ଆଣିବା ପୂର୍ବରୁ ମାଡ଼ି ଆସିଛି ବର୍ଷା । ଏକର ଏକର ଧାନ ଚାଷ ଏମିତି ବିଲରେ ହିଁ ପଡ଼ି ରହିଛି । ସେପଟେ ଜମିରେ ପାଣି ଜମି ରହିଥିବା ବେଳେ ବିଲରୁ ବର୍ଷା ଜଳ ନିଷ୍କାସନ ପାଇଁ ଲାଗି ପଡ଼ିଛି ଚାଷୀ ।