ପ୍ରଥମ ଟି-ଟ୍ୱେଂଟିରେ ନ୍ୟୁଜିଲାଣ୍ଡକୁ ୫୩ ରନରେ ହରାଇଲା ଭାରତ : ନେହରାଙ୍କୁ ‘ନ୍ୟୁଜିଲାଣ୍ଡ ବିଜୟ’ ଉପହାର

70

କନକ ବ୍ୟୁରୋ : ଦିଲ୍ଲୀ ଦ୍ରୁତ ବୋଲର ଆଶିଷ ନେହରାଙ୍କୁ ଭାରତୀୟ କ୍ରିକେଟ୍‌ ଦଳ ଆଶାତୀତ ଉପହାର ଦେଇଛି। ନେହରାଙ୍କ ଶେଷ ଅନ୍ତର୍ଜାତୀୟ ମ୍ୟାଚ୍‌ରେ ଟି-୨୦ର ଏକ ନମ୍ବର ଦଳ ନ୍ୟୁଜିଲାଣ୍ଡକୁ ୫୩ ରନ୍‌ରେ ହରାଇ ତାଙ୍କ ବିଦାୟୀକୁ ସ୍ମରଣୀୟ କରି ଦେଇଛି। ବୁଧବାର ଖେଳିଥିବା ତିନି ଟିକିଆ ଟି-୨୦ ଶୃଙ୍ଖଳାକୁ ଏକତରଫା ଭାବେ ଜିତି ଟି-୨୦ ଇତିହାସରେ ପ୍ରଥମ ଥର ପାଇଁ ନ୍ୟୁଜିଲାଣ୍ଡକୁ ହରାଇବାର ସୌଭାଗ୍ୟ ମଧ୍ୟ ଲାଭ କରିଛି । ଭାରତ ପୂର୍ବରୁ ନ୍ୟୁଜିଲାଣ୍ଡ ବିପକ୍ଷରେ ୫ ଟି-୨୦ ଖେଳିଥିଲେ ମଧ୍ୟ କୌଣସି ଗୋଟିକୁ ଜିତି ପାରି ନଥିଲା। ହେଲେ ନେହରାଙ୍କ ୧୮ ବର୍ଷର ଅନ୍ତର୍ଜାତୀୟ ଖେଳ ଜୀବନର ଶେଷ ମୁକାବିଲାରେ କିଓ୍ଵି ଦଳକୁ ପରାସ୍ତ କରିବାର ପରାକ୍ରମ କରିଛି। ସେଥିପାଇଁ ଘରୋଇ ପରିବେଶରେ ଏବଂ ପରିବାର ବର୍ଗଙ୍କ ଉପସ୍ଥିତିରେ ନିଜ ଶେଷ ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳିଥିବା ନେହରାଙ୍କ ବିଦାୟୀ ସବୁ ଦିନ ପାଇଁ କ୍ରିକେଟ୍‌ ପ୍ରେମୀଙ୍କ ମନରେ ସୁଖଦ ଅନୁଭୂତି ଭାବେ ଲିପିବଦ୍ଧ ହୋଇ ଯାଇଛି।

ନ୍ୟୁଜିଲାଣ୍ଡ ସଂପ୍ରତି ଟି-୨୦ ମାନ୍ୟତାର ପ୍ରଥମ ସ୍ଥାନରେ ଥିବାରୁ ତାକୁ ହରାଇବା ଭାରତୀୟ ଦଳର ଖୁସିକୁ ଦ୍ୱିଗୁଣିତ କରିଛି। ବୁଧବାର ମ୍ୟାଚ୍‌ କିନ୍ତୁ ଥିଲା ପୂରା ଏକତରଫା। ଭାରତ ୨୦୩ ରନ୍‌ର ବିଜୟ ଲକ୍ଷ୍ୟ ଦେଇଥିଲା। ହେଲେ ନିୟମିତ ବ୍ୟବଧାନରେ ଓ୍ଵିକେଟ୍‌ ହରାଇ ନ୍ୟୁଜିଲାଣ୍ଡ ନିର୍ଧାରିତ ୨୦ ଓଭରରେ ୮ ଓ୍ଵିକେଟ୍‌ ହରାଇ ମାତ୍ର ୧୪୯ ରନ୍‌ କରି ପାରିଥିଲା। ନେହରା ୪ ଓଭର ବୋଲିଂ କରି ୨୯ ରନ୍‌ ବିନିମୟରେ କୌଣସି ଓ୍ଵିକେଟ୍‌ ନେଇ ନଥିଲେ। ହେଲେ ଅଭିଜ୍ଞତାରୁ ଭାରତ ବୋଲରଙ୍କୁ ବହୁତ ଫାଇଦା ମିଳିଥିଲା।

ନୂଆଦିଲ୍ଲୀର ଫରୋଜ ସାହା କୋଟଲା ପଡ଼ିଆରେ ଖେଳା ଯାଇଥିବା ଏହି ମ୍ୟାଚ୍‌ରେ ଭାରତ ଦୁଇ ପ୍ରାରମ୍ଭିକ ଯୋଡ଼ି ଶିଖର ଧାଓ୍ଵନ ଏବଂ ରୋହିତ ଶର୍ମାଙ୍କ ୧୫୮ ରନ୍‌ର ଭାଗୀଦାରି ବଳରେ ମାତ୍ର ୩ ଓ୍ଵିକେଟ୍‌ ହରାଇ ୨୦୨ ରନ୍‌ର ବଡ଼ ସ୍କୋର କରି ନେଇଥିଲା। ଧାଓ୍ଵନ ଏବଂ ରୋହିତ ୧୬.୨ ଓଭର ପର୍ଯ୍ୟନ୍ତ ନ୍ୟୁଜିଲାଣ୍ଡ ବୋଲରଙ୍କୁ ନୟାନ୍ତ କରି ଏହି ବିଶାଳ ଭାଗୀଦାରି କରିଥିଲେ। ଯାହା ଟି-୨୦ରେ ଭାରତ ପାଇଁ ସର୍ବବୃହତ୍‌ ପ୍ରଥମ ଓ୍ଵିକେଟ୍‌ ଭାଗୀଦାରି ଥିଲା। ଏହା ପରେ ଅଧିନାୟକ ବିରାଟ କୋହଲି ୧୧ ବଲ୍‌ରୁ ୨୬ ରନ୍‌ର ଦ୍ରୁତ ପାଳି ଖେଳି ଭାରତ ସ୍କୋରକୁ ୨୦୦ ରନ୍‌ ପାର କରାଇ ଦେଇଥିଲେ। ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନି (୭ଞ୍ଚ) ମଧ୍ୟ ଗୋଟିଏ ବିଶାଳ ଛକା ସହ ଦୁଇଟି ବଲରୁ ୭ ରନ୍‌ର ଯୋଗଦାନ ଦେଇଥିଲେ। ଭାରତ ପାଳିରେ ୧୬ ଚୌକା ଏବଂ ୧୦ ଛକା ଦେଖିବାକୁ ମିଳିଥିଲା। ଉଭୟ ଧାଓ୍ଵନ ଏବଂ ରୋହିତ ୮୦ ରନ୍‌ ଲେଖାଏଁ କରିବା ବୁଧବାର ମୁକାବିଲାର ନିଆରା ସଂଯୋଗ ଥିଲା।

ମୁମ୍ବାଇର ମଧ୍ୟକ୍ରମ ଖେଳାଳି ଶ୍ରେୟସ୍‌ ଆୟର ଆଜି ତାଙ୍କ ଅନ୍ତର୍ଜାତୀୟ ଖେଳ ଜୀବନ ଆରମ୍ଭ କରିଥିଲେ। ବିସ୍ଫୋରକ ବ୍ୟାଟିଂ କରିଥିବା ମ୍ୟାଚର ଶ୍ରେଷ୍ଠ ଖେଳାଳି ଧାଓ୍ଵନ ମାତ୍ର ୩୭ ବଲ୍‌ ଏବଂ ରୋହିତ ୪୨ ବଲ୍‌ରୁ ଅର୍ଧଶତକ ପୂରଣ କରିଥିଲେ। ଧାଓ୍ଵନଙ୍କର ଏହା ତୃତୀୟ ଏବଂ ରୋହିତଙ୍କ ଦ୍ୱାଦଶ ଟି-୨୦ ଅର୍ଧଶତକ ଥିଲା।୨୦୩ ରନ୍‌ର ବିଜୟ ଲକ୍ଷ୍ୟ ନେଇ ବ୍ୟାଟିଂ ଆରମ୍ଭ କରିଥିବା ନ୍ୟୁଜିଲାଣ୍ଡ ମାତ୍ର ୧୮ ରନ୍‌ରେ ନିଜ ପ୍ରାରମ୍ଭିକ ଯୋଡ଼ିକୁ ହରାଇବାର ଧକ୍କାକୁ ସହି ପାରି ନଥିଲା। ୟୁଜବେନ୍ଦ୍ର ଚହଲଙ୍କ ବଲ୍‌ରେ ହାର୍ଦିକ ପାଣ୍ଡ୍ୟା ଲଙ୍ଗ୍‌ ଅନ୍‌ରେ ଉଡ଼ି ଉଡ଼ି ଏକ ଅବିଶ୍ୱସନୀୟ କ୍ୟାଚ୍‌ ନେଇ ମାର୍ଟିନ ଗପ୍ଟିଲଙ୍କୁ ଆଉଟ୍‌ କରିବା ପରେ ହିଁ ନ୍ୟୁଜିଲାଣ୍ଡ ଅଧୋପତନ ଆରମ୍ଭ ହୋଇ ଯାଇଥିଲା। ୧୨ ରନ୍‌ ପରେ କଲିନ୍‌ ମୁନ୍ରୋ ବି ଗପ୍ଟିଲଙ୍କ ପଦାଙ୍କ ଅନୁସରଣ କରିଥିଲେ। ତାଙ୍କୁ ଭୁବନେଶ୍ୱର କୁମାର ପାଭିଲିୟନ ପଥ ଦେଖାଇ ଦେଇଥିଲେ। ଅଧିନାୟକ କେନ୍‌ ଓ୍ଵିଲିୟମସନ୍‌ (୨୮), ଟମ୍‌ ଲାଥମ (୩୯) ଏବଂ ନବାଗତ ଟମ୍‌ ବ୍ରୁସ୍‌ (୧୦) ବିଫଳ ହେବା ପରେ ନ୍ୟୁଜିଲାଣ୍ଡ ପରାଜୟ ସୁନିଶ୍ଚିତ ହୋଇ ଯାଇଥିଲା। କଲିନ ଗ୍ରାଣ୍ଢୋମେ, ହେନରି ନିକୋଲାସ ଓ ଟିମ୍‌ ସାଉଦି ଏକ ଅଙ୍କରେ ସୀମିତ ହେବା ପରେ ନ୍ୟୁଜିଲାଣ୍ଡ ନିର୍ଧାରିତ ୨୦ ଓଭରରେ ୮ ଓ୍ଵିକେଟ୍‌ ହରାଇ ମାତ୍ର ୧୪୯ ରନ୍‌ କରି ପାରିଥିଲା। ଭାରତ ପକ୍ଷରୁ ଚହଲ ଏବଂ ଅକ୍ଷର ପଟେଲ ଦୁଇଟି ଲେଖାଏଁ ଓ୍ଵିକେଟ୍‌ କରାୟତ କରିଥିଲା ବେଳେ ଭୁବନେଶ୍ୱର କୁମାର, ଯସପ୍ରୀତ ବୁମରା ଓ ହାର୍ଦିକ ପାଣ୍ଡ୍ୟାଙ୍କୁ ଗୋଟିଏ ଲେଖାଏଁ ଓ୍ଵିକେଟ୍‌ ମିଳିଥିଲା। ନ୍ୟୁଜିଲାଣ୍ଡ ବୃହତ୍‌ ପରାଜୟରୁ ତିନି ଟିକିଆ ଶୃଙ୍ଖଳା ଆରମ୍ଭ କରିଥିଲା। ଅନ୍ୟ ପକ୍ଷରେ ବୃହତ୍‌ ବିଜୟରୁ ନେହରା ନିଜ ଅନ୍ତର୍ଜାତୀୟ ଜୀବନ ଶେଷ କରିଥିଲେ।

ଭାବପୂର୍ଣ୍ଣ ବିଦାୟ
ଘରୋଇ ଫିରୋଜ ଶାହା କୋଟଲା ପଡ଼ିଆରେ ଶେଷ ମ୍ୟାଚ୍‌ ଖେଳି ବାମହାତୀ ଦ୍ରୁତ ବୋଲର ଆଶିଷ ନେହେରା ବୁଧବାର ତାଙ୍କ ଆନ୍ତର୍ଜାତିକ କ୍ରିକେଟ୍‌ ଜୀବନ ଶେଷ କରିଛନ୍ତି। ନ୍ୟୁଜିଲାଣ୍ଡ୍‌ ବିପକ୍ଷ ପ୍ରଥମ ଟି-୨୦ ମ୍ୟାଚ୍‌ ଖେଳିବା ସହିତ ନେହେରା ତାଙ୍କ ୧୮ ବର୍ଷର ଖେଳ ଜୀବନରେ ପୂର୍ଣ୍ଣଛେଦ ଟାଣିଛନ୍ତି। ଏହି ମ୍ୟାଚ୍‌ରେ ସେ ଓ୍ଵିକେଟ୍‌ ପାଇନଥିଲେ ମଧ୍ୟ ସାଥୀ ଖେଳାଳିମାନେ ବିଜୟ ସହ ତାଙ୍କୁ ଭାବପୂର୍ଣ୍ଣ ବିଦାୟ ଜଣାଇଛନ୍ତି। ନେହେରାଙ୍କୁ ସମ୍ମାନ ଜଣାଇ ଦିଲ୍ଲୀ ଜିଲ୍ଲା କ୍ରିକେଟ୍‌ ସଂଘ ବୁଧବାର ତାଙ୍କ ନାମରେ ଫିରୋଜ ଶାହା କୋଟଲା ଷ୍ଟାଡିୟମ୍‌ର ଗୋଟିଏ ପାର୍ଶ୍ୱକୁ ନାମକରଣ କରିଥିଲା। ଆଉ ସେହି ପାର୍ଶ୍ୱରୁ ହିଁ ନିଜ ଆନ୍ତର୍ଜାତିକ ଜୀବନର ଶେଷ ଓଭର ବୋଲିଂ କରି ବିଦାୟ ନେଇଥିଲେ। ନିଜ ନାମରେ ନାମିତ ପାର୍ଶ୍ୱରୁ ବୋଲିଂ କରିବାରେ ନେହେରା ମଧ୍ୟ ଇଂଲଣ୍ଡ ଦ୍ରୁତ ବୋଲର ଜେମ୍‌ସ ଆଣ୍ଡରସନ୍‌ଙ୍କ ପରେ ଦ୍ୱିତୀୟ ଆନ୍ତର୍ଜାତିକ ବୋଲର ହୋଇଥିଲେ। ପୂର୍ବରୁ ମ୍ୟାଚ୍‌ର ଟସ୍‌ ପଡ଼ିଲା ବେଳେ ଅଧିନାୟକ ବିରାଟ କୋହଲି ଓ ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ନେହେରାଙ୍କ ୧୮ ବର୍ଷ ଖେଳ ଜୀବନର ସ୍ମୃତିଚାରଣ କରିବା ସହିତ ତାଙ୍କୁ ଏକ ଟ୍ରଫି ଉପହାର ପ୍ରଦାନ କରିଥିଲେ। ଏଥି ସହିତ ସଚିନ୍‌ ତେନ୍ଦୁଲକର, ସୌରଭ ଗାଙ୍ଗୁଲି, ରାହୁଲ ଦ୍ରାବିଡ୍‌, ଭିଭିଏସ୍‌ ଲକ୍ଷ୍ମଣ, ବୀରେନ୍ଦ୍ର ସେହବାଗ୍‌, ଜାହିର ଖାନ୍‌ଙ୍କ ପରେ ନେହେରାଙ୍କ ଯୁଗର ମଧ୍ୟ ଅବସାନ ଘଟିଲା।

୧୯୯୯ ଫେବ୍ରୁଆରି ୨୪ରେ କଲମ୍ବୋରେ ଶ୍ରୀଲଙ୍କା ବିପକ୍ଷରେ ଟେଷ୍ଟ ପଦାର୍ପଣ କରିଥିବା ନେହେରା ତାଙ୍କ ୧୮ ବର୍ଷର ଲମ୍ବା ଆନ୍ତର୍ଜାତିକ କ୍ରିକେଟ୍‌ ଜୀବନ ମଧ୍ୟରେ ୧୭ ଟେଷ୍ଟ ଖେଳି ୪୪ ଓ୍ଵିକେଟ୍‌ ଅକ୍ତିଆର କରିଥିଲେ। ୬/୧୧୭ ତାଙ୍କର ଶ୍ରେଷ୍ଠ ବୋଲିଂ ଚିତ୍ର ଥିଲା। ଟେଷ୍ଟରେ ସେ ୧୧ ଥର ଅପରାଜିତ ରହିଥିଲା ବେଳେ ମୋଟ ୭୭ ରନ୍‌ କରିଥିଲେ। ୨୦୦୪ରେ ରାଓ୍ଵଲପିଣ୍ଡିରେ ପାକିସ୍ତାନ ବିପକ୍ଷ ମ୍ୟାଚ୍‌ ତାଙ୍କର ଶେଷ ଟେଷ୍ଟ ଥିଲା। ତେବେ ୨୦୦୧ରେ ହରାରେଠାରେ ଜିମ୍ବାେଓ୍ଵ ବିପକ୍ଷରୁ ଦିନିକିଆ ପଦାର୍ପଣ କରିଥିବା ନେହେରା ମୋଟ ୧୨୦ ମ୍ୟାଚ୍‌ ଖେଳି ୧୫୭ ଓ୍ଵିକେଟ୍‌ ଦଖଲ କରିଥିଲେ। ୬/୨୩ ଦିନିକିଆରେ ତାଙ୍କର ଶ୍ରେଷ୍ଠ ବୋଲିଂ ଚିତ୍ର ଥିଲା। ୨୦୧୧ ମାର୍ଚରେ ମୋହାଲିରେ ପାକିସ୍ତାନ ବିପକ୍ଷ ମ୍ୟାଚ୍‌ ତାଙ୍କ ଶେଷ ଦିନିକିଆ ଆନ୍ତର୍ଜାତିକ ଥିଲା। ୨୦୦୯ ଡିସେମ୍ବରରେ ନାଗପୁରଠାରେ ଶ୍ରୀଲଙ୍କା ବିପକ୍ଷରେ ନେହେରା ଟି-୨୦ ଆନ୍ତର୍ଜାତିକ ପଦାର୍ପଣ କରିଥିଲେ। ବୁଧବାରକୁ ମିଶାଇ ସେ ୨୭ ଟି-୨୦ ଆନ୍ତର୍ଜାତିକ ମ୍ୟାଚ୍‌ ଖେଳିଥିଲା ବେଳେ ୩୪ ଓ୍ଵିକେଟ୍‌ ଅକ୍ତିଆର କରିଥିଲେ। ୩/୧୯ ତାଙ୍କର ଶ୍ରେଷ୍ଠ ଟି-୨୦ ବୋଲିଂ ଚିତ୍ର ଥିଲା। ସୌରଭ ଗାଙ୍ଗୁଲିଙ୍କ ନେତୃତ୍ୱରେ ୨୦୦୩ ବିଶ୍ୱକପ୍‌ ଦଳର ସଦସ୍ୟ ମଧ୍ୟ ଥିଲେ ନେହେରା। ସେହି ବିଶ୍ୱକପ୍‌ରେ ଇଂଲଣ୍ଡ ବିପକ୍ଷ ଏକ ମ୍ୟାଚ୍‌ରେ ୨୩ ରନ୍‌ରେ ୬ ଓ୍ଵିକେଟ୍‌ ଦଖଲ କରିଥିବା ତାଙ୍କ ପାଇଁ ସ୍ମରଣୀୟ ମୁହୂର୍ତ୍ତ ଥିଲା ବୋଲି ନେହେରା କହିଥିଲେ। ଏହାପରେ ସେ ଧୋନିଙ୍କ ନେତୃତ୍ୱରେ ଖେଳି ୨୦୧୧ ବିଶ୍ୱକପ୍‌ ବିଜେତା ହୋଇଥିଲେ।

୧୯୯୭ ମସିହାରେ ଦିଲ୍ଲୀ ପାଇଁ ରଣଜୀ ଟ୍ରଫି ଖେଳି ନେହେରା ଶେଷରେ ଭାରତ ପାଇଁ ଅନ୍ତର୍ଜାତୀୟ କ୍ରିକେଟ୍‌ ଖେଳିଥିଲେ। ୨୦୦୩ ବିଶ୍ୱକପ୍‌ ଫାଇନାଲ୍‌ ତାଙ୍କ ଖେଳ ଜୀବନର ଶ୍ରେଷ୍ଠ ମୁହୂର୍ତ ହୋଇଥିଲେ ବି ଏହା ଅଧୁରା ରହିଗଲା। ଭାରତ ସେଥର ଫାଇନାଲରେ ଅଷ୍ଟ୍ରେଲିଆଠାରୁ ହାରି ଉପ ବିଜେତାରେ ସନ୍ତୁଷ୍ଟ ରହିଥିଲା। ବିଗତ ୧୮ ବର୍ଷ ଭଳି ପରବର୍ତୀ ୧୮ ବର୍ଷ ମଧ୍ୟ ସ୍ମରଣୀୟ ରହିବ ବୋଲି ୩୮ ବର୍ଷ ବୟସ୍କ ନେହେରା ଭାବବିହ୍ଵଳ ମନ୍ତବ୍ୟ ରଖିଥିଲେ। କୋଟଲାରେ ମୁଁ ପ୍ରଥମ ରଣଜୀ ଖେଳିବା ବେଳେ ରମଣ ଲାମ୍ବା, ଅଜୟ ଶର୍ମା, ଅତୁଲ ଓ୍ଵାସନ୍‌ ଏବଂ ରବିନ୍‌ ସିଂହ ଜୁନିୟରଙ୍କ ଭଳି ଖେଳାଳି ଦଳରେ ଥିଲେ। ସେମାନଙ୍କଠାରୁ ଅନେକ କିଛି ଶିଖି ଆଗକୁ ବଢ଼ିଥିଲି। ପଦାର୍ପଣ ମ୍ୟାଚ୍‌ରେ ଅଜୟ ଜାଦେଜାଙ୍କୁ ଉଭୟ ପାଳିରେ ଶୂନରେ ଆଉଟ୍‌ କରିବା ମୋ ପାଇଁ ସ୍ମରଣୀୟ ରହିଛି ବୋଲି କହିଥିଲେ ନେହେରା। ମହେନ୍ଦ୍ର ସିଂହ ଧୋନି ଏବଂ ଅଜୟ ଜାଦେଜାଙ୍କ ଭଳି ଦୁଇ ଜଣ ଚତୁର କ୍ରିକେଟ୍‌ରଙ୍କ ସହିତ ମୁଁ ଆଲୋଚନା କରିବାର ସୌଭାଗ୍ୟ ବି ପାଇଛି। ସଚୋଟତାର ସହ ଉଦ୍ୟମ କରିବା ମୋ କାମ ଥିଲା। ମୁଁ ଶିଖିକରି ଖେଳି ନଥିଲି, ଖେଳି ଖେଳି ଶିଖିଥିଲି ବୋଲି ନେହେରା ପ୍ରକାଶ କରିଛନ୍ତି। ଭାରତ ପାଇଁ ମୋଟ ୧୬୪ ଆନ୍ତର୍ଜାତିକ ମ୍ୟାଚ୍‌ ଖେଳିଥିବା ନେହେରା ଆଇପିଏଲ୍‌ରେ ୧୩୧ ମ୍ୟାଚ୍‌ ଖେଳି ୧୬୨ ଓ୍ଵିକେଟ୍‌ ନିଜ ନାମରେ ରଖିଛନ୍ତିି।