ଡାକ୍ତରଖାନାରେ ଜୟଲଳିତାଙ୍କ ଖାଇବା ଖର୍ଚ୍ଚ ୧କୋଟି ୧୭ଲକ୍ଷ ! ୭୫ଦିନ ଧରି ଅପୋଲୋ ହସ୍ପିଟାଲରେ ଚିକିତ୍ସିତ ଥିଲେ ତାମିଲନାଡୁର ପୂୂର୍ବତନ ମୁଖ୍ୟମନ୍ତ୍ରୀ

ଦେଖିବାକୁ ଆସୁଥିବା ନେତା, ମନ୍ତ୍ରୀ ବି ଖାଉଥିଲେ

269

କନକ ବ୍ୟୁରୋ: ଦିନକୁ ଖାଇବା ଖର୍ଚ୍ଚ ଦେଢ ଲକ୍ଷ ଟଙ୍କା । ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଜୟଲଳିତା ୨୦୧୬ରେ ଚେନ୍ନାଇର ଆପୋଲୋ ହସ୍ପିଟାଲ ଥିବା ବେଳେ ଖାଦ୍ୟପେୟ ବାବଦକୁ ୧କୋଟି ୧୭ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି । ତେବେ ୭୫ଦିନ ରହଣୀ କାଳରେ ଦିନକୁ ପ୍ରାୟ ଦେଢ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି କେବଳ ଖାଦ୍ୟପେୟ ବାବଦରେ । ଆପୋଲୋ ହସ୍ପିଟାଲରେ ୭୫ଦିନ ଚିକିତ୍ସାଧିନ ଥିଲେ ଜୟଲଳିତା । ଏହି ସମୟରେ ହସ୍ପିଟାଲରେ ରହଣୀ ପାଇଁ ରୁମ୍ ଦେୟ ବାବଦରେ ୨୪ଲକ୍ଷ ୧୦ହଜାର ଟଙ୍କା ହୋଇଥିବା ବେଳେ ଖାଦ୍ୟପେୟ ବାବଦରେ ୧କୋଟି ୧୭ଲକ୍ଷରୁ ଅଧିକ ଖର୍ଚ୍ଚ ହୋଇଥିବା ଦର୍ଶାଯାଇଛି । ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।

ଆପୋଲୋର ଜଣେ ବରିଷ୍ଠ ଅଧିକାରୀଙ୍କ ସୂତ୍ରରୁ ଜଣାପଡିଛି ଯେ, ଏହି ଖାଦ୍ୟପେୟ ବିଲ୍ରେ ଜୟଲଳିତାଙ୍କୁ ଦେଖିବାକୁ ଆସୁଥିବା ନେତା, ମନ୍ତ୍ରୀ ଓ ଅଫିସରଙ୍କ ଖାଦ୍ୟପେୟ ଖର୍ଚ୍ଚ ମଧ୍ୟ ସାମିଲ ରହିଛି । ଜୟାଙ୍କ ସହଯୋଗୀ ଭିକେ ଶଶିକଳା ଏବଂ ତାଙ୍କ ଜନିଷ୍ଠ ସହଯୋଗୀ ଓ ଅନ୍ୟ ଅଧିକାରୀଙ୍କ ପାଇଁ ରହଣୀ ବାବଦରେ ୧କୋଟି ୨୪ଲକ୍ଷରୁ ଅଧିକ ଖର୍ଚ୍ଚ ହୋଇଛି । ଜୟଲଳିତାଙ୍କ ଫିଜିଓ ଥେରାପୀ ବାବଦରେ ସିଙ୍ଗାପୁରର ମାଉଂଟ ଏଲିଜାବେଥ ହସପିଟାଲକୁ ୧କୋଟି ୨୯ଲକ୍ଷ ଟଙ୍କା ଦିଆଯାଇଛି ।

୨୦୧୬ରେ ଜୟଲଳିତା ଆପୋଲୋ ହସପିଟାଲରେ ରହିବା ବେଳେ ସମୁଦାୟ ଖର୍ଚ୍ଚ ୬କୋଟି ୮୫ଲକ୍ଷ ଟଙ୍କା ହୋଇଥିଲା । ଡିସେମ୍ବର ୫, ୨୦୧୬ରେ ଜୟଲଳିତାଙ୍କ ମୃତ୍ୟୁ ହେବା ପରେ ୧୫ଜୁନ୍ ୨୦୧୭ ସୁଦ୍ଧା ଏଆଇଏଡିଏମକେ ଦଳ ଦ୍ୱାରା ହସ୍ପିଟାଲକୁ ୬କୋଟି ଟଙ୍କା ଦିଆଯାଇଛି । ଏବେବି ଜୟଲଳିତା ଚିକିତ୍ସା ଖର୍ଚ୍ଚ ବାବଦରେ ହସପିଟାଲର ୪୪ଲକ୍ଷ ୫୬ହଜାର ଟଙ୍କା ବକେୟା ରହିଛି ।