ବି ଏବଂ ଓ ବ୍ଲଡ ଗ୍ରୁପର ଶୁଭ ପରିଣୟ : ନିଜ ବିବାହ ଉତ୍ସବରେ ରକ୍ତ ଦାନ ଭଳି ମହତ କାର୍ଯ୍ୟ କଲେ ନବ ଦମ୍ପତି

96

କନକ ବ୍ୟୁରୋ : ବି ଏବଂ ଓ ବ୍ଲଡ ଗ୍ରୁପର ଶୁଭ ପରିଣୟ । ନିଜ ବିବାହ ଉତ୍ସବରେ ରକ୍ତ ଦାନ ଭଳି ମହତ କାର୍ଯ୍ୟ କରିଛନ୍ତି କଟକ ନୂଆପଡା ଅଂଚଳର ନବ ଦମ୍ପତି ସାଇପ୍ରକାଶ ଓ ପ୍ରଣତି । ବିବାହ ଉତ୍ସବରେ ଏଭଳି କାର୍ଯ୍ୟ ସବୁଦିନ ପାଇଁ ସ୍ମରଣୀୟ ହୋଇ ରହିବ ବୋଲି କହିଛନ୍ତି ଏହି ନବଦମ୍ପତି ।

ବର ଓ କନ୍ୟାଙ୍କ ରକ୍ତଦାନ । ବିବାହ ଉତ୍ସବରେ ଭୋଜି ଭାତ ଠାରୁ ଆରମ୍ଭ କରି ବାଜା ରୋଷଣୀ ଏ ସବୁ ଚିରାଚରିତ । ହେଲେ ବିବାହ ଉତ୍ସବରେ କିଛି ହିତକର କାମ କରିବାକୁ ଇଚ୍ଛା କରିଥିଲେ କଟକ ନୂଆପଡା ଅଂଚଳର ସାଇପ୍ରକାଶ । ତେଣୁ ତାଙ୍କର ବିବାହ ଅବସରରେ ରକ୍ତଦାନ ଶିବିରରେ ପହଂଚି ସାଇପ୍ରକାଶ ଓ ପ୍ରଣତି ଏବଂ ଭାଇ ଓ ଭାଇବୋହୂ ସୁବାଷ ଓ ମୀନାକ୍ଷୀ ରକ୍ତଦାନ କରିଛନ୍ତି । ବିବାହ ଅବସରରେ ଏଭଳି ମହତ କାର୍ଯ୍ୟରେ ନିଜକୁ ସାମିଲ କରି ବେଶ ଖୁସି ଥିବା କହିଛନ୍ତି ଏମାନେ ।

ରକ୍ତ ଅଭାବରୁ କାହାରିକୁ ମରିବାକୁ ଦିଆଯିବ ନାହିଁ । ଏପରି ପଦକ୍ଷେପ ଦ୍ୱାରା ରକ୍ତଦାନ ପାଇଁ ଅଧିକରୁ ଅଧିକ ଲୋକ ଉତ୍ସାହିତ ହେବେ ବୋଲି ନବଦମ୍ପତି କହିଛନ୍ତି । ଏହି ନବ ଦମ୍ପତି ଯେଉଁଭଳି ନିଜ ବିବାହ ଉତ୍ସବରେ ରକ୍ତଦାନ କରିଛନ୍ତି ଆଗାମୀ ଦିନରେ ଏହା ଏକ ପରମ୍ପରା ପାଲଟୁ । ତେବେ ଏହା ଦ୍ୱାରା ରକ୍ତ ଅଭାବ ଦୂର କରିବାରେ ଏହା କିଛି ମାତ୍ରାରେ ସହାୟକ ହେବ ।


ରକ୍ତଦାନ ଭଳି ମହତ କାର୍ଯ୍ୟ ତାହା ପୁଣି ବିବାହ ଭଳି ପବିତ୍ର ଦିନରେ । ନିଶ୍ଚିତ ଏହି ବିବାହ ଉତ୍ସବ କେବଳ ସ୍ମରଣୀୟ ହେବ ନାହିଁ ବରଂ ଅନ୍ୟ ମାନଙ୍କ ପାଇଁ ଏକ ପ୍ରେରଣା ମଧ୍ୟ ପାଲଟିବ ବୋଲି ଆଶା ।