ନବବିବାହିତ ଦମ୍ପତିଙ୍କୁ ମୃତ୍ୟୁର ଉପହାର ! କୋରିୟର ଆଣିଥିବା ବ୍ୟକ୍ତି ଚିହ୍ନଟ, ପାର୍ସଲ ଆସିଥିବା ସ୍ଥାନକୁ ଯାଇ ଯାଂଚ କରୁଛି ପୁଲିସ

31

କନକ ବ୍ୟୁରୋ : ବାହାଘର ଗିଫ୍ଟ ନେଇଛି ଦୁଇ ଦୁଇଟି ଜୀବନ । ପାଦର ଅଳତା ଲିଭିନି ହେଲେ ଜୀବନ ଦୀପ ଲିଭି ଯାଇଛି । ଆଉ ଜୀବନଦୀପକୁ ଲିଭାଇ ଦେଇଛି ବର-କନ୍ୟା ପାଇଁ ଆସିଥିବା ଗିଫ୍ଟ ପ୍ୟାକେଟ୍ । ରାୟପୁରରୁ ଆସିଥିବା ଉପହାର ଖୋଲିବା ପରେ ହଠାତ୍ ବିସ୍ଫୋରଣ ହୋଇଥିଲା । ଯେଉଁଥିରେ ବର ଓ ଜେଜେମାଙ୍କର ମୃତ୍ୟୁ ହୋଇଥିବା ବେଳେ ନୂବବଧୂ ଏବେ ଜୀବନ ସହ ସଂଘର୍ଷ କରୁଛନ୍ତି । ସଂକଟାପନ୍ନ ଅବସ୍ଥାରେ ନବବଧୁଙ୍କ ଚିକିତ୍ସା ରାଉରକେଲା ଆଇଜିଏଚରେ କରାଯାଉଛି । ଗିଫ୍ଟ ପାର୍ସଲ ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ, ଘର କାନ୍ଥରେ ଫାଟ ହୋଇଯାଇଛି, ଜଳିଯାଇଛି ସବୁ ଜିନିଷପତ୍ର । ବିସ୍ଫୋରଣସ୍ଥଳରୁ ମିଳିଥିବା ଆଲୁମିନିୟମ୍ ଖଣ୍ଡକୁ ଜବତ କରିଛି ସାଇଂଟିଫିକ୍ ଟିମ୍ । ତେବେ କିଏ ଓ କାହିଁକି ଗିଫ୍ଟ ପାର୍ସଲରେ ବୋମା ପଠାଇଥିଲେ ତାକୁ ନେଇ ତନଘନା ଜାରି ରଖିଛି ପାଟଣାଗଡ ପୁଲିସ ।

ସୂଚନାଯୋଗ୍ୟ ବିବାହର ୫ ଦିନ ପରେ ହିଁ ଉଜୁଡ଼ିଗଲା ସଂସାର । ସବୁ କିଛି ଜାଳିଦେଲା ବିବାହ ଉପହାର । ଗତକାଲି ସମୟ ଅପରାହ୍ନ ଗୋଟାଏ ସମୟରେ ରାୟପୁରରୁ ଆସିଲା ଗିଫ୍ଟ ପ୍ୟାକ୍ । ବାହାଘରର ୫ ଦିନ ପରେ ଘରକୁ ଆସିଥିଲା ଛତିଶଗଡର ରାୟପୁରରୁ ଏକ ଗିଫ୍ଟ ପାର୍ସଲ । ହେଲେ ପାର୍ସଲରେ ପଠାଇଥିବା ଲୋକର ଠିକଣା ଲେଖା ନଥିଲା । ବିବାହ ଉପହାର ଭାବି ଖୁସିରେ ପ୍ୟାକେଟ୍ ଖୋଲିଥିଲେ ଜେଜେମା ଓ ନୂଆ ଦମ୍ପତି । ହେଲେ ପାର୍ସଲରୁ ହଠାତ୍ ଖୁବଜୋରରେ ବିସ୍ଫୋରଣ ହୋଇଥିଲା । କେହି କିଛି ଭାବିବା ପୂର୍ବରୁ ଦୂରକୁ ଛିଟିକି ପଡିଥିଲେ ସମସ୍ତେ । କ୍ଷଣିକ ମଧ୍ୟରେ ଜଳିଯାଇଥିଲା ଘରଦ୍ୱାର । କାନ୍ଥରେ ବିରାଟ ଫାଟ, ଭାଂଗିଯାଇଥିଲା ଲୁହା ଝରକା । ନିଆଁ ଲାଗିଯାଇଥିଲା ଆସବାବପତ୍ରରେ । ଘରର କବାଟ ବାହାରେ ଛିଟିକି ପଡିଥିଲା ଯାହା ବୟାନ କରୁଥିଲା କେତେ ଭୟଙ୍କର ଥିଲା ବିସ୍ଫୋରଣ ।