ମତଦାନ ପାଇଁ ବାହାବେଦୀ ଛାଡି ଆସିଲେ ବରକନ୍ୟା ! ପ୍ରଥମେ ଭୋଟ୍, ପରେ ସଂପନ୍ନ ହେଲା ବିବାହ ନୀତି, କହିଲେ ଜୀବନରେ ବିବାହ ପରି ମତଦାନ ବି ଗୁରୁତ୍ୱପୂର୍ଣ୍ଣ ।

145

କନକ ବ୍ୟୁରୋ : ସାରା ଦେଶରେ ଶେଷ ହୋଇଛି ଦ୍ୱିତୀୟ ପର୍ଯ୍ୟାୟ ମତଦାନ । ମତଦାନରେ ଅନେକ ଜନତା ତ ସାମିଲ ହୋଇଥିଲେ, ହେଲେ ଜାମ୍ମୁକାଶ୍ମୀରର ଭୋଟିଂର ଏହି ଚିତ୍ର ସାରା ଦେଶର ନଜରକୁ ଆସିଛି । ମତଦାନ କରିବାକୁ ଆସିଥିଲେ ବରକନ୍ୟା । ଭୋଟିଂର ଏହି ଚିତ୍ର ଏବେ ବେଶ୍ ଭାଇରାଲ୍ ହୋଇଛି । କାରଣ ବିବାହ ପରି କାହିଁକି ଭୋଟ୍ ଦେବା ଜରୁରୀ , ତାର କାରଣ ଦର୍ଶାଇଛନ୍ତି ନବବିବାହିତ ବରକନ୍ୟା ।

ଭୋଟ୍ ଦେଲେ ବରକନ୍ୟା । ଜମ୍ମୁକାଶ୍ମୀର ଉଦ୍ଧମପୁରର ଚିତ୍ର । ମତଦାନ ସଚେତନତାର ନିଆରା ଚିତ୍ର । ଗୁରୁବାର ସାରା ଦେଶ ଦ୍ୱିତୀୟ ପର୍ଯ୍ୟାୟ ମତଦାନରେ ବ୍ୟସ୍ତ ଥିବା ବେଳେ ସାମ୍ନାକୁ ଆସିଥିଲା ଏହି ଚିତ୍ର । ଦେହରେ ବରବେଶ । ବର ଆସିଛନ୍ତି ଭୋଟ୍ ଦେବାକୁ । ସାଥୀରେ ଆସିଛନ୍ତି କନ୍ୟା । ମତଦାନର ଏପରି ଚିତ୍ର ଦେଖିବା ଲୋକକୁ ବି ବେଶ୍ ତାଜୁବ୍ କରିଦେବ ନିଶ୍ଚୟ । କାରଣ ଆମର ଏହି ସାଧାରଣ ସମାଜରେ ଏପରି ଚିତ୍ର ସାଧାରଣତଃ ଦେଖିବାକୁ ମିଳିନଥାଏ । ହେଲେ ଜାମ୍ମୁକାଶ୍ମୀରର ଡୋଡା ଲୋକସଭା କ୍ଷେତ୍ରରେ ଉଦ୍ଧମପୁରରେ ଏପରି କିଛି ଦେଖିବାକୁ ମିଳିଥିଲା । ପୁଲିଂ ବୁଥ୍ ଭିତରେ ପଶିଥିଲେ ବରକନ୍ୟା । ସମସ୍ତ ପ୍ରକ୍ରିୟା ଶେଷ କରିବା ସହ ଭୋଟ୍ ବି ଦେଇଥିଲେ । ଭୋଟ୍ ଦେବା ବେଳେ ମୁହଁରେ ଥିଲା ବଡ ଖୁସି । କାରଣ ୫ ବର୍ଷରେ ଥରେ ଆସୁଥିବା ମତଦାନ ଅଧିକାରକୁ ବିବାହ ପରି ସ୍ମରଣୀୟ ସମୟରେ ସେ ହାତଛଡା କରିନାହାନ୍ତି ।

ଏପଟେ ବିବାହରୁ ଉଠି ଆସି ଭୋଟ୍ ଦେବାକୁ ପୋଲିଂ ବୁଥରେ ପହଁଚିଥିଲେ ବରକନ୍ୟା । ସେପଟେ ଘରେ ଅଟକି ରହିଥିଲା ସବୁ କିଛି । ଅପେକ୍ଷାରେ ଥିଲେ ସମସ୍ତ ଅତିଥୀ । ବିବାହରେ ସାମିଲ ହେବାକୁ ଆସିଥିବା ଅତିଥୀ ବରକନ୍ୟାଙ୍କ ମତଦାନ ନେଇ ଆଗ୍ରହକୁ ବେଶ୍ ତାରିଫ କରିଛନ୍ତି । ମତଦାନର ଏହି ଦୃଶ୍ୟ ହିଁ ସ୍ପଷ୍ଟ କରୁଥିଲା ମତଦାନକୁ ନେଇ ନବ ଦମ୍ପତି କେତେ ସଚେତନ । ବିବାହ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ, ହେଲେ ମତଦାନ ବି କିଛି କମ୍ ଗୁରୁତ୍ୱପୂର୍ଣ୍ଣ ନୁହଁ । ଖାସ୍ କରି ଲୋକଙ୍କୁ ଏପରି ବାର୍ତା ଦେବାକୁ ଜାମ୍ମୁକାଶ୍ମୀରର ବରକନ୍ୟା ଆପଣାଇଥିଲେ ଏହି ବାଟ । ଏବେ ନବ ବିବାହିତା ଦମ୍ପତିଙ୍କ ଏହି ଭୋଟିଂର ଫଟୋ ସୋସିଆଲ୍ ମିଡିଆରେ ବେଶ୍ ଭାଇରାଲ୍ ହେବାରେ ଲାଗିଛି । ଅନେକ ଏହାକୁ ନେଇ ବରକନ୍ୟାଙ୍କୁ ଶୁଭେଛା ଦେବା ସହିତ ଗଣତନ୍ତ୍ରକୁ ବି ସାବାସୀ ଦେଇଛନ୍ତି ।