ଲର୍ଡସରେ ଲେଖା ହେଲା ନୂଆ ଇତିହାସ । ବିଶ୍ୱକପ୍ ଜିତିଲା ଇଂଲଣ୍ଡ, ହୃଦୟ ଜିତିଲା ନ୍ୟୁଜିଲାଣ୍ଡ ।

713

କନକ ବ୍ୟୁରୋ : ପରାଜୟ ସତ୍ୱେ ଲଢୁଆ ଖେଳ ପାଇଁ ବିଶ୍ୱ କ୍ରିକେଟପ୍ରେମୀଙ୍କ ହୃଦୟ ଜିତିଛି ନ୍ୟୁଜିଲାଣ୍ଡ । ବିଶ୍ୱକପରେ ଇତିହାସରେ ପ୍ରଥମ ଥର ପାଇଁ ଡବଲ ଟାଇ ପରେ ହୋଇଛି ମ୍ୟାଚର ଫଇସଲା । ବିଶ୍ୱକପରେ ସବୁଠୁ ରୋମାଂଚକର ମ୍ୟାଚରେ ଇଂଲଣ୍ଡ ଦଳ ବାଜି ମାରିନେଇଛି ସତ କିନ୍ତୁ କୋଟି କୋଟି କ୍ରୀଡାପ୍ରେମୀଙ୍କ ହୃଦୟ ଜିତିନେଇଛି କିୱି ଟିମ୍ ।

୨୦୧୯ ବିଶ୍ୱକପ୍ ଫାଇନାଲରେ ଶେଷ ପର୍ଯ୍ୟନ୍ତ ସଂଘର୍ଷ କରିଥିଲା ନ୍ୟୁଜିଲାଣ୍ଡ । ଏପରିକି ସୁପରଓଭରରେ ମ୍ୟାଚକୁ ଟାଇ କରିବାରେ ବି ସଫଳ ହୋଇଥିଲା । କିନ୍ତୁ ଅଧିକ ବାଉଣ୍ଡ୍ରୀ ଆଧାରରେ ବିଶ୍ୱବିଜେତା ବନିଥିଲା ଇଂଲଣ୍ଡ । ପ୍ରଥମେ ବ୍ୟାଟିଂ କରି ଇଂଲଣ୍ଡକୁ ଆଗରେ ମାତ୍ର ୨୪୧ ରନର ବିଜୟଲକ୍ଷ୍ୟ ଧାର୍ଯ୍ୟ କରିବା ପରେ ଦମଦାର ବୋଲିଂ ପ୍ରଦର୍ଶନ କରିଥିଲା ନ୍ୟୁଜିଲାଣ୍ଡ । ଏପରିକି ଶେଷ ପର୍ଯ୍ୟନ୍ତ ମ୍ୟାଚକୁ ନିଜ କବଜାରେ ରଖିଥିଲା କିୱି ଟିମ୍ । କିନ୍ତୁ ଶେଷ ଓଭରରେ ବଦଳିଯାଇଥିଲା ଖେଳର ରୂପରେଖ । ଏବଂ ମ୍ୟାଚକୁ ଟାଇ ରଖିଥିଲା ଇଂଲଣ୍ଡ ।

ଫଳରେ ମ୍ୟାଚ୍ ସୁପର ଓଭରକୁ ଯାଇଥିଲା । ସୁପର ଓଭରରେ ଇଂଲଣ୍ଡର ଦୁଇ ବ୍ୟାଟ୍ସମ୍ୟାନ୍ ବେନ୍ ଷ୍ଟୋକ୍ସ ଓ ଜୋସ୍ ବଟଲର ୧୫ ରନ୍ ଆଦାୟ କରିଥିଲେ । ଏହାର ଜବାବରେ ନ୍ୟୁଜିଲାଣ୍ଡ ମଧ୍ୟ ସୁପର ଓଭରରେ ଖୁବ୍ ଭଲ ଆରମ୍ଭ କରିଥିଲା । ଜିମି ନିସାମ ଦ୍ବିତୀୟ ବଲରେ ଛକା ମାରି ନ୍ୟୁଜିଲାଣ୍ଡକୁ ବିଜୟ ଆଶା ଦେଇଥିଲେ । ତେବେ ଶେଷ ବଲରୁ ବିଜୟ ପାଇଁ ୨ ରନର ଦରକାର ଥିଲା ବେଳେ ଗପ୍ଟିଲ ରନ୍ ଆଉଟ୍ ହୋଇଯିବାରୁ ସୁପର ଓଭର ମଧ୍ୟ ଟାଇ ରହିଥିଲା । କିନ୍ତୁ ସୁପର ଓଭରରେ ଅଧିକ ବାଉଣ୍ଡାରି ଆଧାରରେ ଇଂଲଣ୍ଡକୁ ବିଜେତା ଘୋଷଣା କରାଯାଇଥିଲା ।