ଓଡ଼ିଶାରେ ଜିରୋ ନାଇଟ୍ ସେଲିବ୍ରେସନ୍ ପାଇଁ କାଉଂଟଡାଉନ୍ ଆରମ୍ଭ : ହୋଟେଲ ଏବଂ କ୍ଲବରେ ବ୍ୟାପକ ପ୍ରସ୍ତୁତି

41

କନକ ବ୍ୟୁରୋ : ଜିରୋ ନାଇଟ୍ । ବିଦାୟ ଓ ସ୍ୱାଗତର ମିଳନ ଘଡି । ଅପେକ୍ଷା ସେହି ମୁହୂର୍ତକୁ । ଯେଉଁ ମୁହୂର୍ତରେ ପାଦ ଦେବ, ଆଉ ଏକ ଆଶା ଓ ସଂଭବାନାର ନୂଆ ବର୍ଷ । କାଉଂଟଡାଉନ୍ ବି ଆରମ୍ଭ ହୋଇ ସାରିଛି । ଚିକିମିକି ଲାଇଟ୍ ଆଲୁଆ ଭିତରେ ପୁଣି ଧୁମଧଡ଼ାକା ଡିଜେ ଗୀତ । ବର୍ଷ ୨୦୧୮କୁ ସ୍ୱାଗତ ପାଇଁ ସବୁଠି ସଜବାଜ ।

ରାଜଧାନୀ ଭୁବନେଶ୍ୱରର ବଡ ବଡ ତାରକା ହୋଟେଲ ଏବଂ କ୍ଲବରେ ଜମିବ ରଙ୍ଗା ରଙ୍ଗ କାର୍ଯ୍ୟକ୍ରମ । ଓଲିଉଡ ଏବଂ ବଲିଉଡ ତାରକାଙ୍କ ଗହଣରେ ସ୍ୱାଗତ କରାଯିବ, ନୂଆ ବର୍ଷ । ଗ୍ରାହକଙ୍କୁ ଭରପୁର ମନୋରଂଜନ ଦେବା ପାଇଁ ହୋଟେଲ ଗୁଡ଼ିକ ପକ୍ଷରୁ ହୋଇଛି ବ୍ୟାପକ ବ୍ୟବସ୍ଥା । କେବଳ ଭୁବନେଶ୍ୱର କାହିଁକି, କଟକ, ପୁରୀ, ବ୍ରହ୍ମପୁର ଏବଂ ବାଲେଶ୍ୱର ସହରରେ ବି ନୂଆବର୍ଷର ସ୍ୱାଗତ ଏବଂ ଜିରୋ ନାଇଟ୍ ସେଲିବ୍ରେସନ୍ ପାଇଁ ପ୍ରସ୍ତୁତ ରହିଛି ବିଭିନ୍ନ ହୋଟେଲ ଏବଂ କ୍ଲବ୍ । ଗ୍ରାହକ ଏବଂ ସଦସ୍ୟଙ୍କ ପାଇଁ ହୋଇଛି ମନୋରଂଜନର ବ୍ୟବସ୍ଥା ।

ଆଉ ପୁରୀରେ ବାଲୁକା କଳାକୃତି ଜରିଆରେ ନୂଆବର୍ଷକୁ ସ୍ୱାଗତ କରିଛନ୍ତି ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ । ପ୍ରଭୁ ଜଗନ୍ନାଥଙ୍କ ଏକ ବିରାଟ୍ ପ୍ରତିକୃତି ସ୍ଥାନ କରି ବର୍ଷ ୨୦୧୮କୁ ସ୍ୱାଗତ କରୁଛନ୍ତି । ଆଉ କେଇ ଘଂଟାର ପ୍ରତୀକ୍ଷା । ବଦଳିଯିବ କ୍ୟାଲେଣ୍ଡର, ଯୋଡ଼ି ହୋଇଯିବ ନୂଆ ପୃଷ୍ଟା । ପୁରୁଣା ହୋଇଯିବ ୨୦୧୭, ଆସିବ ୨୦୧୮ । ଆଉ ଏହି ନୂଆବର୍ଷକୁ ସ୍ୱାଗତ କରିବା ପାଇଁ ବର୍ଷର ଶେଷ ଦିନରେ ସବୁଠି ସଜବାଜ । ନଇଁ ଯାଇଛି ବର୍ଷର ଶେଷ ସୂରୁଜ । ନୂଆ ଆଶା ଏବଂ ନୂଆ ସଂଭାବନା ନେଇ ପୁଣି କାଲି ଉଇଁବ ସୂରୁଜ । ହେଲେ ସେତେବେଳକୁ ବଦଳି ଯାଇଥିବ କ୍ୟାଲେଣ୍ଡର ।