ନୂଆବର୍ଷକୁ ଆଉ କିଛି ଘଣ୍ଟାର ଅପେକ୍ଷା ! ଚାରିଆଡ଼େ ବଣଭୋଜିର ମାହୋଲ୍

70

କନକ ବ୍ୟୁରୋ : ନୂଆ ବର୍ଷକୁ ଆଉ କିଛି ଘଣ୍ଟାର ଅପେକ୍ଷା । ସାରା ସହର ଏବେ ସେଲିବ୍ରେସନ୍ ମୁଡ଼ରେ । ସବୁ ବର୍ଗର ଲୋକ ନିଜ ନିଜ ତରିକାରେ ନୂଆ ବର୍ଷ ପାଳନ କରିବାକୁ ପ୍ରସ୍ତୁତ । ପୁରୁଣା ବର୍ଷକୁ ବିଦାୟ ଦେବା ପାଇଁ ଜିରୋ ଆଓ୍ଵାର୍କୁ ଅପେକ୍ଷା କରିବାକୁ ଆଉ ଧୈର୍ଯ୍ୟ ନାହିଁ । ଆଗୁଆ ବଣଭୋଜି ଆୟୋଜନ କରି ଏଇ ବର୍ଷର ଶେଷ ବନ୍ଧୁମିଳନ ଜୋର୍ସୋରରେ ଚାଲିଲାଣି । ରାଜଧାନୀବାସୀଙ୍କୁ ବଣଭୋଜି ପାଇଁ ବେଶି ଦୂର ଯିବା ଆବଶ୍ୟକ ପଡ଼୍‍ୁନି । ସହର ଭିତରେ ଓ ଉପକଣ୍ଠରେ କିଛି ପିକନିକ୍‌ ସ୍ପଟ୍ ଲୋକଙ୍କୁ ଏହି ସୁଯୋଗ ଦେଇଛି । କିଏ ପରିବାର ସହ ତ କିଏ ସାଙ୍ଗସାଥୀଙ୍କ ସହ ବଣଭୋଜିର ବେଶ୍ ମଜା ନେଉଛନ୍ତି । ସହରର ଭିତରେ ପ୍ରମୁଖ ପିକନିକ୍‌ ସ୍ପଟ୍ ରହିଛି ଜୟଦେବ ବାଟିକା ଓ ଶିଖରଚଣ୍ଡୀ । ପୁଣି ଉପକଣ୍ଠରେ ଅଛି ଧଉଳି, ଡେରାସ, ଝୁମୁକା, ଚଉଷଠି ଯୋଗିନୀ ଓ ନନ୍ଦନକାନନ ବଟାନିକାଲ୍ ଗାର୍ଡେନ୍ । ରାଜଧାନୀ ଓ ଏହାର ଆଖପାଖ ଅଞ୍ଚଳ ପାଇଁ ଏଗୁଡ଼ିକ ସବୁଠାରୁ ଲୋକପ୍ରିୟ ପିକନିକ୍‌ ସ୍ପଟ୍ ହୋଇଥିବାରୁ ପିକନିକ୍‌ ଋତୁ ଚାରି ମାସ ଏଠାରେ ପ୍ରାୟତଃ ଭିଡ଼ ରହେ । କିନ୍ତୁ ନୂଆବର୍ଷ କାଉଣ୍ଟଡାଉନ୍ ଆରମ୍ଭ ହୋଇ ଯାଇଥିବାରୁ ଏବେ ଭିଡ଼ ଅସମ୍ଭାଳ ହୋଇଗଲାଣି । ଖାସ୍ ପୁରୁଣା ବର୍ଷକୁ ବିଦାୟ ଦେବା ପାଇଁ ସ୍ୱତନ୍ତ୍ର ଭାବେ ଆୟୋଜନ କରାଯାଉଛି ବଣଭୋଜି ।

ଗତକାଲି ସବୁ ପିକନିକ୍‌ ସ୍ପଟ୍ ଗୁଡ଼ିକରେ ଖଚାଖଚ୍ ଭିଡ଼ ଦେଖିବାକୁ ମିଳିଥିଲା । ସକାଳ ୮ଟାରୁ ଭୋଜି ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଥିଲା । ଏଥିପାଇଁ ଆଗୁଆ ପିଣ୍ଡି ବୁକିଂ କରିଦେଇଥିଲେ ଆୟୋଜକମାନେ। ଯେଉଁଠି ପିଣ୍ଡି ବ୍ୟବସ୍ଥା ନାହିଁ, ସେଠି ଭୋରରୁ ଲୋକ ଆସି ସରଞ୍ଜାମ ରଖି ସ୍ଥାନକୁ ଜଗି ରହୁଥିଲେ । ପିକନିକ୍‌ ସ୍ପଟ୍ ଗୁଡ଼ିକର ନିକଟସ୍ଥ ଅଞ୍ଚଳରେ ରୋଷେଇ ସରଞ୍ଜାମ, ଟେଣ୍ଟ୍ ସାମଗ୍ରୀ ବି ଅଭାବ ପଡ଼ିଥିଲା । ଯେହେତୁ ସନ୍ଧ୍ୟା ପରେ ସବୁଠି ବଣଭୋଜି ମନା, ସେଥିପାଇଁ ସନ୍ଧ୍ୟା ସୁଦ୍ଧା ସମସ୍ତେ ବଣଭୋଜି ଶେଷ କରିଥିଲେ । କେବଳ ଆଜି ନୁହେଁ, ଆସନ୍ତାକାଲି ଓ ରବିବାର ପାଇଁ ମଧ୍ୟ ସବୁଠି ପିଣ୍ଡି ବୁକିଂ ଶେଷ ହୋଇଛି । ଏବେ ଯିଏ ଆସୁଛନ୍ତି, ସେମାନଙ୍କୁ ନିରାଶ ହେବାକୁ ପଡ଼ୁଛି । ୨୦୧୮ର ପ୍ରଥମ ଦିନ ସୋମବାର ପଡ଼ୁଥିବାରୁ ସେହିଦିନ ଭୋଜି ଜମିବ ନାହିଁ ବୋଲି କୁହାଯାଉଛି । କିନ୍ତୁ ପିକନିକ୍‌ ସ୍ପଟ୍ ଗୁଡ଼ିକ ଉପରେ ତାହାର ବିଶେଷ ପ୍ରଭାବ ନାହିଁ । ସେହିଦିନ ମଧ୍ୟ ବଣଭୋଜି ପାଇଁ ପିଣ୍ଡି ବୁକିଂ ସରିଛି ।

ଜୟଦେବ ବାଟିକାରେ ଏବେ ୨୬ଟି ପିଣ୍ଡି, ୧୫୦ଟି ସ୍ପଟ୍ ଅଛି ଯେଉଁଠି ଲୋକ ଭୋଜି କରିପାରିବେ । ଏହା ସହିତ କ୍ୟାଫେଟେରିଆର ବ୍ୟବସ୍ଥା ରହିଛି, ଯେଉଁଠି ଆମିଷ ଓ ନିରାମିଷ ଉଭୟ ପ୍ରକାରର ଖାଦ୍ୟ ମିଳୁଛି । ଏବେ ଦିନକୁ ପ୍ରାୟ ସାତ ହଜାର ଲୋକ ଏଠାରେ ଭୋଜି କରୁଛନ୍ତି ବୋଲି କହିଛନ୍ତି ଏହାର ଫିଲ୍ଡ ଆସଷ୍ଟାଣ୍ଟ୍ ପ୍ରମୋଦ କୁମାର ସାହୁ। ସେହିପରି ବଟାନିକାଲ୍ ଗାର୍ଡେନରେ ବି ନାହିଁ ନ ଥିବା ଭିଡ଼ । ଏଠାରେ ୯ଟି ରୋଷେଇଶାଳ ରହିଛି । ଏହା ସହ ୧୦୦ ପିଣ୍ଡି ବି ଅଛି । ନୂଆବର୍ଷରେ ୫୦୦୦ ହଜାରରୁ ଅଧିକ ଲୋକ ଏଠାରେ ଭୋଜି ପାଇଁ ବୁକିଂ କରିଛନ୍ତି ।

ଧଉଳିରେ ମଧ୍ୟ ନୂଆବର୍ଷ ଭିଡ଼କୁ ଲକ୍ଷ୍ୟ ରଖି ଆବଶ୍ୟକ ପ୍ରସ୍ତୁତି କରାଯାଇଛି । ଲୋକଙ୍କ ସୁବିଧା ପାଇଁ ୬ଟି ଶୌଚାଳୟ ବ୍ୟବସ୍ଥା ହୋଇଛି । ଏଠାରେ ମାତ୍ର ୭ଟି ପିଣ୍ଡି ରହିଥିଲେ ବି ବିକ୍ଷିପ୍ତ ଭାବେ ବିଭିନ୍ନ ସ୍ଥାନରେ ଲୋକମାନେ ଭୋଜି ଆୟୋଜନ କରୁଛନ୍ତି । ପର୍ଯ୍ୟଟକଙ୍କ ପାଇଁ ଏଠାରେ ଥିବା ବୁଦ୍ଧପାର୍କକୁ ସଫା କରାଯାଇ ଅନେକ ପ୍ରକାରର ଫୁଲ ଗଛ ଲଗାଯାଇଛି । ଶିଖରଚଣ୍ଡୀରେ ମଧ୍ୟ ଭୋଜି ପାଇଁ ମନ୍ଦିର କମିଟି ପକ୍ଷରୁ ଆବଶ୍ୟକ ପ୍ରସ୍ତୁତି କରାଯାଇଛି । ଏଠାରେ ୩୨ଟି ପିଣ୍ଡିର ବ୍ୟବସ୍ଥା ରହିଛି । ରୋଷେଇ ପାଇଁ ପାଣିର ସୁବିଧା ରହିଛି । ପିଣ୍ଡି ବାଦ୍‌ ଖୋଲା ଜାଗାରେ ମଧ୍ୟ ଭୋଜି ଆୟୋଜନ କରାଯାଇପାରୁଛି । ସେହିପରି ସହରଠାରୁ ସାମାନ୍ୟ ଦୂର ଡେରାସ ଓ ଝୁମୁକାରେ ଚନ୍ଦକା ଜଙ୍ଗଲର ପ୍ରାକୃତିକ ଶୋଭାରାଜି ଭିତରେ ବି ବଣଭୋଜିର ନିଆରା ଅନୁଭବ ସାଉଁଟୁଛନ୍ତି ସହରବାସୀ ।