ନୂଆ ଆଶା ଓ ଉନ୍ମାଦନା ସହ ନୂଆବର୍ଷକୁ ସ୍ୱାଗତ କଲେ ରାଜଧାନୀବାସୀ ! ମଧ୍ୟରାତ୍ରିରେ ହୋଟେଲ ଓ କ୍ଲବ ଆଦିରେ ଉତ୍ସବର ମାହୋଲ

75

ନୂଆ ଆଶା ଓ ଉନ୍ମାଦନାର ସହ ୨୦୧୮କୁ ସ୍ୱାଗତ କରିଛନ୍ତି ରାଜଧାନୀବାସୀ । ଜିରୋ ଆଓ୍ଵାର ଆସିବା ପୂର୍ବରୁ ଗୋଟିଏ ବର୍ଷର ଦୁଃଖକୁ ଗୋଟିଏ ରାତିରେ ଭୁଲାଇବା ସହ ଆଉ ଏକ ବର୍ଷ ପାଇଁ ଖୁସି, ସୁଖର ଆଶା ଭରିଛନ୍ତି । ସରି ଯାଉଥିବା ବର୍ଷକୁ ମନଭରି ଉପଭୋଗ କରିବା ସହ ବିତି ଯାଉଥିବା ବର୍ଷର ଶେଷ ରାତିକୁ ମନଭରି ଉପଭୋଗ କରିଛନ୍ତି । ସମସ୍ତେ ପାର୍ଟି ମୁଡରେ ଥିଲେ । ରାତି ଯେତେ ବଢ଼ୁଥିଲା ପାର୍ଟିର ଉନ୍ମାଦନା ସେତେ ଜମୁଥିଲା । ଆଉ ଯେତେବେଳେ ଘଣ୍ଟା କଣ୍ଟା, ମିନିଟ୍‌ କଣ୍ଟା ଓ ସେକେଣ୍ଡ କଣ୍ଟା ୧୨ ଉପରେ ପହଞ୍ଚିଲା, ସେତେବେଳେ ଆକାଶ ରଙ୍ଗିନ ହୋଇଗଲା । ଆତସବାଜିରେ ଚାରିଆଡ଼େ କମ୍ପିଲା। ଯିଏ ଯାହାକୁ ଦେଖିଲା ତାକୁ ଆଲିଙ୍ଗନ କରି ନବବର୍ଷର ଅଭିନନ୍ଦନ ଜଣାଉଥିଲେ । କେହି କେହି ହାତକୁ ଗୋଲାପ ଫୁଲଟିଏ ବଢ଼େଇ ଦେଇ କହୁଥିଲେ ‘ହାପି ନିଉ ଇୟର୍‌’ ।

ବିଦାୟ ନେଇଛି ୨୦୧୭ । ପୁରୁଣା ବର୍ଷକୁ ଏମିତି ସହଜରେ ଛାଡ଼ିବା ମୁଡ୍‌ରେ ରାଜଧାନୀବାସୀ ନ ଥିଲେ । ସରି ଯାଉଥିବା ବର୍ଷ ଓ ଆସିବାକୁ ଥିବା ନୂଆବର୍ଷ ମଧ୍ୟରେ ଥିବା ପ୍ରତିଟି ମୁହୂର୍ତ୍ତ ଯେପରି ଜୀବନ କ୍ୟାଲେଣ୍ଡର୍‌ରେ ଲେଖି ହୋଇ ରହିବ ସେହି ମୁଡ୍‌ରେ ଥିଲେ ରାଜଧାନୀବାସୀ । ଏଥିପାଇଁ ମସ୍ତିର ସବୁ ପ୍ରକାରର ଖୋରାକ୍‌ ଯୋଗାଉଥିଲେ ରାଜଧାନୀର ବିଭିନ୍ନ ହୋଟେଲ ଓ କ୍ଲବ୍‌ । ନୂଆବର୍ଷକୁ ସେଲିବ୍ରେସନ୍‌ କରିବା ପାଇଁ କେବଳ ହୋଟେଲ ଓ କ୍ଲବ୍‌ରେ ପ୍ରସ୍ତୁତି ହୋଇ ନ ଥିଲା । ବହୁ ହଷ୍ଟେଲ୍‌, କଲୋନି ଓ ବସ୍ତି ଓ ଗାଁରେ ମଧ୍ୟ ନୂଆବର୍ଷକୁ ସ୍ୱାଗତ କରିବା ପାଇଁ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । କିଏ ନାଚି ଗୀତ ଗାଇ ନୂଆବର୍ଷକୁ ସ୍ୱାଗତ କରିଥିଲେ ତ କିଏ ନୃତ୍ୟରେ ଝୁମି ଝୁମି ନୂଆବର୍ଷର ପ୍ରଥମ କିଛି ମୁହୂର୍ତ୍ତର ମଜା ନେଇଥିଲେ ।

ପୁରୁଣା ବର୍ଷକୁ ବିଦାୟ ଦେବା ଓ ନୂଆବର୍ଷକୁ ସେଲିବ୍ରେସନ୍‌ କରି ସ୍ୱାଗତ କରିବା ପାଇଁ କ୍ଲବ, ହୋଟେଲରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ରାଜଧାନୀର ପ୍ରାୟ ସମସ୍ତ ତାରକା ହୋଟେଲରେ ନୂଆବର୍ଷ ସେଲିବ୍ରେସନ୍‌ ପାଇଁ ବ୍ୟାପକ ବନ୍ଦୋବସ୍ତ କରାଯାଇଥିଲା । ବିଭିନ୍ନ ରିଅଲିଟି ସୋ’ର କଣ୍ଠଶିଳ୍ପୀ, ଦେଶୀ ଓ ବିଦେଶୀ ନୃତ୍ୟାଙ୍ଗନା ଆସିଥିଲେ ମନୋରଂଜନର ଖୋରାକ୍‌ ଯୋଗାଇବାକୁ । ଆଉ ତା’ ସହିତ ମଡେଲ୍‌ଙ୍କ କ୍ୟାଟ୍‌ ୱାକ୍‌ ଓ ବେଲି ଡ୍ୟାନ୍ସ ସାଜିଥିଲା କାର୍ଯ୍ୟକ୍ରମର ଆକର୍ଷଣ । ଗ୍ରାହକଙ୍କ ଡିମାଣ୍ଡରେ ଗୀତ ଗାଉଥିଲେ ସେଲିବ୍ରିଟି କଣ୍ଠଶିଳ୍ପୀ । ଡ୍ୟାନ୍‌ସ ଫ୍ଲୋର୍‌ରେ କାହା ହାତରେ ସଫ୍‌ଟ ଡ୍ରିଙ୍କ୍‌ ଥିଲା ତ କାହା ହାତରେ ହାର୍ଡ ଆଉ ବିଅର୍‌ । ସମସ୍ତେ ଗୀତର ଧୁନ୍‌ରେ ଝୁମୁଥିଲେ । ଆଉ ଜିରୋ ଆୱାରକୁ ପୂରା ମସ୍ତିରେ ସେଲିବ୍ରେଟ୍‌ କରିଥିଲେ । ଖାଲି ହୋଟେଲରେ ନୁହେଁ, ବିଭିନ୍ନ ଚର୍ଚ୍ଚରେ ଆଜି ଖ୍ରୀଷ୍ଟ ଧର୍ମାବଲମ୍ବୀଙ୍କୁ ବିଳମ୍ବିତ ରାତିରେ ପ୍ରାର୍ଥନା କରୁଥିବା ଦେଖିବାକୁ ମିଳିଥିଲା । ଆଉ ଫୁଲ ଦୋକାନଗୁଡ଼ିକରେ ଫୁଲ ତୋଡ଼ା ଓ ବୁକେ ପାଇଁ ଭିଡ଼ ଦେଖିବାକୁ ମିଳିଥିଲା ।

ରାଜଧାନୀର ପ୍ରାୟ ସମସ୍ତ ତାରକା ହୋଟେଲରେ ମିଡ୍‌ନାଇଟ୍‌ ସେଲିବ୍ରେସନ୍‌ ପାଇଁ ବ୍ୟାପକ ବନ୍ଦୋବସ୍ତ କରାଯାଇଥିଲା । ମେ ଫେୟାରରେ ‘ଇଲ୍ୟୁଜନ୍‌’, ଏଚ୍‌ଏଚ୍‌ଆଇରେ ହାଲୋଓ୍ଵିନ୍‌, ମ୍ୟାରିଅନ୍‌ରେ ‘ଦି ନିଉ ଇୟର୍ସ ଏଭେ ବାସ୍‌’, ସ୍ୱସ୍ତି ପ୍ରିମିୟମ୍‌ରେ ‘ସିମର୍‌’, ହୋଟେଲ୍‌ ସୂର୍ଯ୍ୟାଂଶରେ ‘ଦି କାଉଣ୍ଟ୍‌ ଡାଉନ୍‌ ଏନ୍‌ଓ୍ଵାଇଇ’ ଭଳି କାର୍ଯ୍ୟକ୍ରମ ଆକର୍ଷଣ ସାଜିଥିଲେ । ମେ ଫେୟାର୍‌ ଚିଙ୍ଗୁଡ଼ି, ଚିକେନ୍‌ ସାଙ୍ଗକୁ ଗ୍ରିଲ୍‌ଡ ଆଇଟମ୍‌ ଭେଟି ଦେଇଥିବା ବେଳେ ସମସ୍ତ ଷ୍ଟାର୍‌ ହୋଟେଲ୍‌ରେ ସ୍ନାକ୍‌ସଠାରୁ ନେଇ ରାତ୍ରି ଭୋଜନ ପାଇଁ ଦେଶୀ ଓ ଚାଇନିଜ୍‌ ଚଟ୍‌ପଟି ଖାଦ୍ୟ ଯୋଗାଇ ଦିଆଯାଇଥିଲା ।